ୱାସିଂଟନ : ବିଶ୍ବରେ ପ୍ରଥମ ଥର ପାଇଁ ଏକ ବିରଳ ଅସ୍ତ୍ରୋପଚାର ହୋଇଛି। ମାତୃ ଗର୍ଭରେ ଥିବା ଶିଶୁର ମସ୍ତିଷ୍କରେ ଅସ୍ତ୍ରୋପଚାର କରାଯାଇ ତାହାକୁ ଠିକ୍ କରାଯାଇଛି। ଶିଶୁଟି ଭେନ ଅଫ୍‌ ଗାଲେନ୍ ମାଲଫର୍ମେସନ ନାମକ ଏକ ଦୁଃସାଧ୍ୟ ରୋଗରେ ପୀଡ଼ିତ ଥିଲା। ଏ ପ୍ରକାର ରୋଗ ସେତିକିବେଳେ ଦେଖାଦେଇଥାଏ ଯେତେବେଳେ ମସ୍ତିଷ୍କରୁ ହୃତପିଣ୍ଡକୁ ରକ୍ତ ପ୍ରବାହ କରୁଥିବା ଧମନୀ ଠିକ୍‌ରେ ବିକଶିତ ହୋଇ ନଥାଏ।

Advertisment

ବ୍ରିଗହାମ୍ ଆଣ୍ଡ ଓମେନ୍ସ ହସ୍ପିଟାଲ ଏବଂ ବୋଷ୍ଟନ ଚିଲଡ୍ରେନସ ହସ୍ପିଟାଲର ଡାକ୍ତରୀଦଳ ଗର୍ଭାଶୟ ଭିତରେ ଥିବା ଉକ୍ତ ଶିଶୁଟିର ଅସ୍ତ୍ରୋପଚାର କରିଛନ୍ତି। ଉକ୍ତ ରୋଗରେ ପୀଡ଼ିତ ଶିଶୁମାନେ ଜନ୍ମ ହେବା ପରେ ଦୁଇଟି ବଡ଼ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ସେଥିରୁ ଗୋଟିଏ ହେଲା ମସ୍ତିଷ୍କରେ ଭୟଙ୍କର କ୍ଷତ ଏବଂ ଦ୍ବିତୀୟଟି ହେଲା ତୁରନ୍ତ ହୃତପିଣ୍ଡ କାର୍ଯ୍ୟ ନକରିବା ବୋଲି ବୋଷ୍ଟନ ଚିଲ‌ଡ୍ରେନ୍ସ ହସ୍ପିଟାଲର ରେଡିଓଲୋଜିଷ୍ଟ ତଥା ଭିଓଜିଏମ୍‌ ରୋଗର ବିଶେଷଜ୍ଞ ଡାକ୍ତର ଡାରେନ ଓରବ୍ୟାକ କହିଛନ୍ତି। ଏହି ରୋଗ ସଂପର୍କରେ ଅଧିକ ସୂଚନା ଦେଇ ସେ କୁହନ୍ତି ଏହି ରୋଗରେ ପୀଡ଼ିତ ଶିଶୁମାନେ ଜନ୍ମ ହେବା ପରେ କ୍ୟାଥେଟର ବ୍ୟବହାର କରି ଚିକିତ୍ସା କରାଯାଇଥାଏ। ରକ୍ତ ପ୍ରବାହକୁ ମନ୍ଥର କରିବା ଲାଗି ଛୋଟ ଛୋଟ କଏଲ ବ୍ୟବହାର କରାଯାଇଥାଏ। କିନ୍ତୁ ଏହି ଚିକିତ୍ସା ଅଧିକାଂଶ ସମୟରେ ବିଳମ୍ବ ହୋଇଯାଇଥାଏ। ଚିକିତ୍ସା ବିଜ୍ଞାନରେ ଅଗ୍ରଗତି ହୋଇଥିଲେ ବି ଏଭଳି ରୋଗରେ ପୀଡ଼ିତ ୫୦ରୁ ୬୦ ପ୍ରତିଶତ ଶିଶୁ ତୁରନ୍ତ ଅସୁସ୍ଥ ହୋଇପଡ଼ନ୍ତି। ଏ କ୍ଷେତ୍ରରେ ମୃତ୍ୟୁହାର ପ୍ରାୟ ୪୦ ପ୍ରତିଶତ। ଏହି ରୋଗରେ ପୀଡ଼ିତ ଯେଉଁ ଶିଶୁମାନେ ବଞ୍ଚନ୍ତି ସେମାନେ ଗୁରୁତର ସ୍ନାୟବିକ ଏବଂ ଅନ୍ୟାନ୍ୟ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।

ମାତୃଗର୍ଭରେ ବଢ଼ୁଥିବା ଶିଶୁଟିର ବୃଦ୍ଧି ସ୍ବାଭାବିକ ଥିଲେ ବି ଅଲ୍ଟ୍ରାସାଉଣ୍ଡ ସମୟରେ ସେ ଏଭଳି ବିରଳ ରୋଗରେ ପୀଡ଼ିତ ଥିବା ଡାକ୍ତରମାନେ ଜାଣିବାକୁ ପାଇଥିଲେ। ଗର୍ଭଧାରଣର ୩୪ ସପ୍ତାହରେ ଡାକ୍ତରୀଦଳ ଗର୍ଭାଶୟରେ ଥିବା ଶିଶୁର ଚିକିତ୍ସା କରିଛନ୍ତି।