ବିଶ୍ବର ପ୍ରଥମ ଟେଲି ରୋବଟିକ୍‌ ହାର୍ଟ ସର୍ଜରି : ୩୨ କିମି ଦୂରରୁ ଡାକ୍ତର କଲେ ଅସ୍ତ୍ରୋପଚାର

ଅହମଦାବାଦ୍‌ : ଚିକିତ୍ସା ବିଜ୍ଞାନରେ ଆଉ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ବିଶ୍ବର ପ୍ରଥମ ଟେଲି‌ରୋବଟିକ୍‌ କରୋନାରି ଇଣ୍ଟରଭେନ୍‌ସନ୍‌ ଦ୍ବାରା ଜଣେ ମହିଳାଙ୍କ ହୃତ୍‌ପିଣ୍ଡ ଅସ୍ତ୍ରୋପଚାର କରାଯାଇଛି। ଏହି ଅପରେସନ୍‌ ସମୟରେ ଡାକ୍ତର ୩୨ କିଲୋମିଟର ଦୂରରେ ଥିଲାବେଳେ ରୋଗୀ ଅପରେସନ୍‌ ଥିଏଟର୍‌ରେ ଥିଲେ।

ଏହି ଐତିହାସିକ ସଫଳତା ହାସଲ କରିଥିବା ଡାକ୍ତର ହେଲେ ଗୁଜରାଟର ଜଣେ ବିଶିଷ୍ଟ ହୃଦ୍‌ ବିଶେଷଜ୍ଞ ତେଜସ ପଟେଲ। ଡାକ୍ତର ତେଜସ ପ୍ରଥମଥର ପାଇଁ ଇଣ୍ଟର‌ନେଟ୍‌ ଚାଳିତ ରୋବଆର୍ମ ଦ୍ବାରା ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରି ଏହି ଅସ୍ତ୍ରୋପଚାର କରିଛନ୍ତି। ଅପରେସନ୍‌ ସମୟରେ ସେ ଗାନ୍ଧୀନଗରର ଅକ୍ଷରଧାମସ୍ଥିତ ସ୍ବାମୀନାରାୟଣ ମନ୍ଦିର ପରିସରରେ ବସିଥିଲେ। ରୋଗୀ ସେଠାରୁ ୩୨ କିଲୋମିଟର ଦୂରରେ ଥିବା ଆପେକ୍ସ ହସ୍ପିଟାଲ୍‌ ଅପରେସନ୍‌ ଥିଏଟରରେ ରହିଥିଲେ। କୌଣସି ଜରୁରୀ ସ୍ଥିତିର ନିୟନ୍ତ୍ରଣ ପାଇଁ ଓଟି (ଅପରେସନ୍‌ ଥିଏଟର୍‌)ରେ ରୋଗୀଙ୍କ ନିକଟରେ ଜଣେ ଡାକ୍ତର ଏବଂ ପାରାମେଡିକାଲ୍‌ ଦଳ ଉପସ୍ଥିତ ଥିଲେ।

ପ୍ରଥମଥର ପାଇଁ ଟେଲି ରୋବଟିକ୍‌ ଉପାୟରେ ଯେଉଁ ମହିଳାଙ୍କ ହୃଦୟ ଅସ୍ତ୍ରୋପଚାର କରାଯାଇଛି, ସେ ନିକଟରେ ହୃଦ୍‌ଘାତର ଶିକାର ହୋଇଥିଲେ। ପ୍ରଥମେ ଧମନୀରେ ବ୍ଲକେଜ୍‌ ହେବାପରେ ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା। କିନ୍ତୁ ପରେ ଅନ୍ୟ ଏକ ରକ୍ତ ଶିରାରେ ବ୍ଲକେଜ୍‌ ହେବାପରେ ଏହାକୁ ରୋବଟିକ୍‌ ଉପାୟରେ କଢ଼ାଯାଇଛି। ଡାକ୍ତର ପଟେଲଙ୍କ କହିବା ଅନୁଯାୟୀ ଟେଲିରୋବଟିକ୍‌ ହେଉଛି ଟେଲିମେଡିସିନ୍‌ ଏବଂ ରୋବଟିକ୍ସର ଏକ ସମ୍ମିଶ୍ରଣ। ଏହାଦ୍ବାରା ଦୁର୍ଗମ ଅଞ୍ଚଳମାନଙ୍କରେ ମଧ୍ୟ ଅତ୍ୟା‌ଧୁନିକ ଚିକିତ୍ସା ସେବା ଯୋଗାଇ ହେବ। ପଟେଲ କହିଛନ୍ତି ଆଜି ୩୨ କିମି ଦୂରରେ ଅସ୍ତ୍ରୋପଚାର ହୋଇଛି। କିନ୍ତୁ ଏହି ସମାନ ଜ୍ଞାନ କୌଶଳର ବ୍ୟବହାର କରି ରାଜ୍ୟ, ଦେଶ କିମ୍ବା ବିଶ୍ବର ଯେକୌଣସି ସ୍ଥାନରେ ମଧ୍ୟ ଅସ୍ତ୍ରୋପଚାର କରିହେବ।

ଡାକ୍ତର ତେଜସ୍‌ ଆପେକ୍ସ ହାର୍ଟ ଇନ୍‌ଷ୍ଟିଚ୍ୟୁଟ୍‌ ପ୍ରତିଷ୍ଠା କରିଥିଲେ। ଯୁକ୍ତରାଷ୍ଟ୍ର ଆମେରିକା ବାଦ୍‌ ପ୍ରଥମକରି ଏହି ହସ୍ପିଟାଲରେ ହିଁ ରୋବୋଟିକ୍‌ ପଦ୍ଧତିରେ ଚିକିତ୍ସା ସୁବିଧା ଉପଲବ୍ଧ ହୋଇପାରିଛି। ଏହି ଚିକିତ୍ସା ପାଇଁ ଡାକ୍ତର ତେଜସ୍‌ କୋର୍‌ପାଥ୍‌-ଜିଆର୍‌ଏକ୍ସ ବ୍ୟବହାର କରିଥିଲେ।

ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ, ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ ଏବଂ ଅକ୍ଷରଧାମ ମନ୍ଦିରର ପୂଜକମାନେ ଏହି ଅପରେସନ୍‌କୁ ଦେଖିଥିଲେ। ଅପରେସନ୍‌ର ସଫଳତା ପରେ ମୁଖ୍ୟମନ୍ତ୍ରୀ ରୁପାନୀ କହିଛନ୍ତି ଯେ ତାଙ୍କ ସରକାର ଏହି ଉପାୟ ପ୍ରୟୋଗ କରି ଗ୍ରାମାଞ୍ଚଳରେ ଚିକିତ୍ସାକୁ ତ୍ବରାନ୍ବିତ କରିବେ।

ହୃଦ୍‌ରୋଗ କାରଣରୁ ପ୍ରତିବର୍ଷ ଦେଶରେ ୧୮ ଲକ୍ଷ ଲୋକଙ୍କର ମୃତ୍ୟୁ ହେଉଥିବାବେଳେ ଡାକ୍ତର ତେଜସଙ୍କ ଏହି ସଫଳତା ଚିକିତ୍ସା ବିଜ୍ଞାନରେ ଏକ ନୂଆ ଆଶା ସଞ୍ଚାର କରିଛି।

ଡାକ୍ତର ତେଜସ୍‌ ୨୦୧୫ ମସିହାରେ ପଦ୍ମଶ୍ରୀ ଉପାଧିରେ ଭୂଷିତ ହୋଇଥିଲେ। ଏହାପୂର୍ବରୁ ୨୦୦୫ ମସିହାରେ ସେ ସମ୍ମାନଜନକ ବିସି ରାୟ ପୁରସ୍କାର ପାଇଥିଲେ, ଯାହାକି ଚିକିତ୍ସା ବିଜ୍ଞାନର ଶ୍ରେଷ୍ଠ ପୁରସ୍କାର। ସେ ମଧ୍ୟ ୨ଟି ପୁସ୍ତକର ରଚୟିତା ଏବଂ ସାରା ବିଶ୍ବରେ ସେ ୫୦୦୦ ହୃଦ୍‌ଡାକ୍ତରଙ୍କୁ ତାଲିମ୍‌ ଦେଇଛନ୍ତି।

ସମ୍ବନ୍ଧିତ ଖବର