ବିଶ୍ୱର ସବୁଠୁ ମୋଟା ମହିଳା ଇମାନଙ୍କ ମୃତ୍ୟୁ

କୋଲକାତା: ବିଶ୍ୱର ସବୁଠୁ ମୋଟା ମହିିଳା ଇମାନ ଅହମଦଙ୍କ ଆଜି ୩୭ ବର୍ଷ ବୟସରେ ମୃତ୍ୟୁ ହୋଇଯାଇଛି। ଇଜିପ୍ଟର ଆଲେକଜାଣ୍ଡ୍ରିଆର ଇମାନ୍‌ ଓଜନ ହ୍ରାସ ଅପରେସନ ପାଇଁ ଗତ ଫେବ୍ରୁଆରୀ ମାସରେ ମୁମ୍ବାଇରେ ଆସି ପହଞ୍ଚିଥିଲେ। ସେତେବେଳେ ତାଙ୍କ ଓଜନ ଥିଲା ୫୦୦ କେଜି। ଚିିକିତ୍ସାପାଇଁ ଇଜିପ୍ଟରେ ନିରାଶ ହେବାପରେ ତାଙ୍କ ଭଉଣୀ ତାଙ୍କୁ ଭାରତରେ ଆଣି ଚିକିତ୍ସା କରାଇଥିଲେ। ସୈଫି ହସ୍ପିଟାଲ୍‌ରେ ପ୍ରତିଷ୍ଠିତ ସ୍ପେସାଲିଷ୍ଟ୍‍ ଡକ୍ଟର ମୁଜାଫଲ ଲକଡ଼ଓ୍ଵାଲାଙ୍କ ଦ୍ୱାରା ପରିଚାଳିତ ୧୫ ଜଣିଆ ଡାକ୍ତରି ଦଳ ତାଙ୍କ ଚିକିତ୍ସା କରିଥିଲେ। ଚିକିତ୍ସା ପ୍ରକ୍ରିୟାରେ ତାଙ୍କର ୩୩୦ କେଜି ଓଜନ କମିଯାଇଥିଲା। ତେବେ ଏହାପରେ ଇମାନଙ୍କୁ ମେ’ ୪ ତାରିଖରେ ଚିକିତ୍ସା ପାଇଁ ୟୁଏଇ ପଠାଇଦିଆଯାଇଥିଲା। ଅବୁ ଧାବୀର ବୁର୍ଜିଲ ହସ୍ପିଟାଲକୁ ତାଙ୍କୁ ଚିିକିତ୍ସା ପାଇଁ ପଠାଯାଇଥିଲା। ବୁର୍ଜିଲ ହସ୍ପିଟାଲ୍‌ରେ ୪ ମାସ ଚିକିତ୍ସାଧିନ ରହିବାପରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି। ହୃଦ୍‌ ସମସ୍ୟା ଏବଂ କିଡନୀ ଅକାମି ହୋଇଯିବା ହେତୁ ତାଙ୍କର ମୃତ୍ୟୁ ହୋଇଥିବା ବୁର୍ଜିଲ ଚିକିତ୍ସକମାନେ ପ୍ରକାଶ କରିଛନ୍ତି। ବୁର୍ଜିଲ୍‌ରେ ୨୦ଜଣ ସ୍ପେସାଲିଷ୍ଟ୍‍ ଡକ୍ଟର ଇମାନଙ୍କ ଚିକିତ୍ସା କରୁଥିଲେ। ଇମାନ ପିଲାଟିଦିନୁ ଏକ ବିରଳ ଥାଇରଏଡ୍‌ କଣ୍ଡିସନ୍‌ରେ ପୀଡିତ ଥିଲେ ଏବଂ ତାଙ୍କ ଅପରେସନ ପୂର୍ବରୁ ସେ ଦୀର୍ଘ ୨୫ ବର୍ଷ ଧରି ତାଙ୍କ ମୋଟାପଣ ଘର ଛାଡ଼ିପାରିନଥିଲେ। ଜନ୍ମଦିନର ମାତ୍ର ଗୋଟିଏ ସପ୍ତାହ ପରେ ତାଙ୍କର ମୃତ୍ୟୁ ହୋଇଛି। ତେବେ ଇମାନଙ୍କ ଭଉଣୀ ମୁମ୍ବାଇ ହସ୍ପିଟାଲ୍‌ରେ ଇମାନଙ୍କର ସନ୍ତୋଷଜନକ ଚିକିତ୍ସା ହୋଇନଥିବା ଅଭିଯୋଗ ଆଣିଛନ୍ତି ଏବଂ କହିଛନ୍ତି ଚିକିତ୍ସକମାନେ କେବଳ ପ୍ରଚାର ପାଇଁ ଇମାନଙ୍କ ଚିିକିତ୍ସା ପାଇଁ ଉତ୍ସାହ ପ୍ରକାଶ କରିଥିଲେ। ଇମାନଙ୍କ ଚିକିତ୍ସାପାଇଁ ସୈଫି ହସ୍ପିଟାଲ୍‌ରେ ୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଇମାନଙ୍କ ପରିବାର ସଦସ୍ୟଙ୍କଠାରୁ ଏଥିପାଇଁ ଟଙ୍କାଟିଏ ବି ନିଆଯାଇନଥିବା କଥା ସୈଫି ହସ୍ପିଟାଲ୍‌ର କର୍ତ୍ତୃପକ୍ଷମାନେ କହିଛନ୍ତି। ବିଭିନ୍ନ ଲୋକ ଏହି ଅପରେସନ ପାଇଁ ୬୫ ଲକ୍ଷ ଟଙ୍କା ପାଣ୍ଠି ଆକାରରେ ଦେଇଛନ୍ତି।

ସମ୍ବନ୍ଧିତ ଖବର