ସ୍ପିତିଭାଲି: ହିମାଚଳର ସ୍ପିତି ଉପତ୍ୟକାରେ ୧୫,୨୫୬ ଫୁଟ ଉଚ୍ଚତାରେ ଅବସ୍ଥିତ ତାସିଗାଙ୍ଗରେ ଥିବା ବିଶ୍ୱର ସର୍ବୋଚ୍ଚ ମତଦାନ କେନ୍ଦ୍ରକୁ ଆଦର୍ଶ ମତଦାନ କେନ୍ଦ୍ର ଭାବେ ଘୋଷଣା କରାଯାଇଛି। ତାସିଗାଙ୍ଗରେ ମୋଟ ୬୨ ଜଣ ଭୋଟର ଅଛନ୍ତି, ଯେଉଁଥିରେ ୩୭ ଜଣ ପୁରୁଷ ଓ ୨୫ ଜଣ ମହିଳା ଅଛନ୍ତି। ସହକାରୀ ରିଟର୍ଣ୍ଣିଂ ଅଫିସର ରାହୁଲ ଜୈନ କହିଛନ୍ତି, ତାସିଗାଙ୍ଗ ବିଶ୍ୱର ସର୍ବୋଚ୍ଚ ମତଦାନ କେନ୍ଦ୍ର। ୨୦୧୯ ଲୋକସଭା ନିର୍ବାଚନ ପାଇଁ ଏହି ମତଦାନ କେନ୍ଦ୍ର ସ୍ଥାପନ କରାଯାଇଥିଲା, ଯେତେବେଳେ ଶତପ୍ରତିଶତ ମତଦାନ ରେକର୍ଡ କରାଯାଇଥିଲା। ଚୀନ୍‌ସୀମା ନିକଟରେ ଅବସ୍ଥିତ ଉଭୟ ତାସିଗାଙ୍ଗ ଓ ଜିଉ ପୋଲିଂ ବୁଥକୁ ସମ୍ବେଦନଶୀଳ କେନ୍ଦ୍ର ଭାବେ ଘୋଷଣା କରାଯିବା ସହ ପୃଥକ୍‌ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Advertisment

ଏଠାରେ ନିର୍ବାଚନ ବିଭାଗ ୧୬୮ ଜଣ ପୁଲିସ ଓ ଅର୍ଦ୍ଧସାମରିକ ଯବାନଙ୍କୁ ମୁତୟନ କରିଛି। ଜୁନ୍ ପହିଲାରେ ଅଧିକରୁ ଅଧିକ ଭୋଟ୍ ଦେବା ପାଇଁ ମତଦାନ କେନ୍ଦ୍ରରେ ପହଞ୍ଚିବାକୁ ଜୈନ ସ୍ପିତି ବାସିନ୍ଦାଙ୍କୁ ଅନୁରୋଧ କରିଛନ୍ତି। ଅନ୍ତିମ ଅଭ୍ୟାସ ପରେ ଦୁର୍ଗମ ସ୍ପିତି ଅଞ୍ଚଳର ୨୯ଟି ମତଦାନ କେନ୍ଦ୍ରକୁ ପୋଲିଂ ପାର୍ଟି ପଠାଯାଇଥିଲା। ଏହାବ୍ୟତୀତ ୧୧ଟି ପୋଲିଂ ପାର୍ଟିକୁ ସଂରକ୍ଷିତ ରଖାଯାଇଛି। ଏଥର ସ୍ପିତିରେ ୩ଟି ଗୋଲାପୀ ପୋଲିଂ ବୁଥ୍ ଖୋଲାଯାଇଛି ଯାହାକୁ କେବଳ ମହିଳା କର୍ମଚାରୀମାନେ ପରିଚାଳନା କରିବେ। ସ୍ପିତିରେ ମୋଟ ୨୯ଟି ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି, ଯାହାକୁ ୬ଟି ସେକ୍ଟରରେ ବିଭକ୍ତ କରାଯାଇଛି। ସ୍ପିତିରେ ମୋଟ ୮,୫୧୪ ଜଣ ଭୋଟର ଅଛନ୍ତି, ଯେଉଁଥିରେ ୪,୩୬୬ ଜଣ ପୁରୁଷ ଓ ୪,୧୪୮ ଜଣ ମହିଳା ଅଛନ୍ତି।