ସଂକ୍ରମଣ ବୃଦ୍ଧି ପ୍ରେକ୍ଷାପଟରେ ବିଶ୍ବର ଗହଳି ସମାବେଶ

ନୂଆଦିଲ୍ଲୀ : ଭାରତ ସମ୍ପ୍ରତି ମହାମାରୀ କୋଭିଡ୍‌-୧୯ ଦ୍ବିତୀୟ ଲହରର କ୍ରମବର୍ଦ୍ଧିଷ୍ଣୁ ସଂକ୍ରମଣ ପରି ବିଭୀଷିକା ସହ ଯୁଝି ଚାଲିଛି। ଏଭଳି ସ୍ଥିତିରେ ଗତ ବୁଧବାର କୁମ୍ଭମେଳାର ତ୍ରୟୋଦଶ ଦିବସରେ ଗଙ୍ଗାନଦୀରେ ପବିତ୍ର ସାହି ସ୍ନାନ କରିବା ପାଇଁ ଉତ୍ତରାଖଣ୍ଡର ହରିଦ୍ବାର ଠାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସମବେତ ହେବା ଘଟଣା ଚିନ୍ତାର ବିଷୟ ହୋଇଛି। କାରଣ କୌଣସି ମହୋତ୍ସବ ବା ଧାର୍ମିକ ସମାବେଶ ଅଥବା ନିର୍ବାଚନ ଶୋଭାଯାତ୍ରା ପରି ସାମାଜିକ ଗହଳି ଆଦି କରୋନାଭୂତାଣୁ ସଂକ୍ରମଣକୁ ଆଶାତୀତ ଦ୍ରୁତ ବେଗରେ ବଢ଼ାଇବାର ଆଶଙ୍କା ଥିଲା ବେଳେ ସାଧାରଣ ଜନତା ସେସବୁରେ ସାମିଲ ହୋଇ ଉକ୍ତ ମହାମାରୀ ଭୂତାଣୁର ସଂକ୍ରମଣ ଦକ୍ଷତାକୁ ପ୍ରମାଣିତ କରୁଛନ୍ତି। ସାମ୍ପ୍ରତିକ ସ୍ଥିତିରେ ବିଶ୍ବବ୍ୟାପୀ ଏପରି ବିଶାଳ ସମାବେଶଗୁଡ଼ିକ ଏବେ ଚର୍ଚ୍ଚାର ବିଷୟ ହୋଇଛି। କାରଣ ଏହିସବୁ ସମାବେଶରେ ସଂକ୍ରମଣ ବୃଦ୍ଧିର ୮୦ ପ୍ରତିଶତ କେବଳ ୨୦ ପ୍ରତିଶତ ସଂକ୍ରମିତଙ୍କ ଦ୍ବାରା ସାଧିତ ହୋଇଥାଏ ବୋଲି ବିଶେଷଜ୍ଞମାନଙ୍କ ମତ। ଏପରିକି ୯୦ ପ୍ରତିଶତ ସଂକ୍ରମିତ ମାମଲା ସଂକ୍ରମଣକ୍ଷଣ ୧୦ ପ୍ରତିଶତଙ୍କ ଦ୍ବାରା ସମ୍ଭବ ବୋଲି ଵାସିଂଟନ ବିଶ୍ବବିଦ୍ୟାଳୟର ରୋଗ ମଡେଲିଂ ପ୍ରତିଷ୍ଠାନର ଗବେଷକ ବେଞ୍ଜାମିନ ଆଲଥାଉସ୍‌ କହିଛନ୍ତି।

ସୂଚନାନୁଯାୟୀ, ଉପରବର୍ଣ୍ଣିତ ସାମାଜିକ ସମାବେଶ କ୍ରମରେ ଗତବର୍ଷ ଫେବ୍ରୁଆରି ୧୮ରେ ଜର୍ମାନୀ ଓ ସ୍ବିଜରଲାଣ୍ଡ ସୀମାନ୍ତ ଲକ୍ଷେ ଜନସଂଖ୍ୟା ବିଶିଷ୍ଟ ଫରାସୀ ସହର ମଲ୍‌ହାଉସରେ ‘ଖ୍ରୀଷ୍ଟିଆନ୍‌ ଓପନ୍‌ ଡୋର୍‌’ ନାମକ ବାର୍ଷିକ ଉତ୍ସବ ଆରମ୍ଭ ହୋଇଥିଲା। ସେତେବେଳକୁ ଫ୍ରାନ୍ସରେ ମାତ୍ର ୧୨ଟି ସଂକ୍ରମିତ ମାମଲା ରହିଥିବା ବେଳେ ମହୋତ୍ସବ ପରେ ସେଠାରେ ୨,୫୦୦ରୁ ଅଧିକ ସଂକ୍ରମିତ ମାମଲା ଦେଖାଦେବା ସହ ମାର୍ଚ୍ଚ ୨୦ ବେଳକୁ ୧୦,୦୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେହିପରି ଗତବର୍ଷ ଫେବ୍ରୁଆରି ୧୯ରେ ଇଟାଲିର ସାନ୍‌ ସିରୋ ଷ୍ଟାଡିଅମ୍‌ରେ ଅନୁଷ୍ଠିତ ଫୁଟବଲ୍‌ ଟୁର୍ନାମେଣ୍ଟ୍‌ ପରେ ବର୍ଗାମୋ ସହରରେ ୭,୦୦୦ରୁ ଅଧିକ ସଂକ୍ରମଣ ମାଲା ଠାବ କରାଯିବା ସହ ହଜାରେ ଲୋକଙ୍କର ମୃତ୍ୟୁ ଘଟିଥିଲା। ମାଲେସିଆର କ୍ବାଲା ଲମ୍ପୁରରେ ଫେବ୍ରୁଆରି ୨୭ରୁ ମାର୍ଚ୍ଚ ପହିଲା ଭିତରେ ଆୟୋଜିତ ଇସଲାମୀୟ ଧାର୍ମିକ ଅନୁଷ୍ଠାନ ତବଲିଗି ଜମାତ୍‌ରେ ୧,୫୦୦ ବିଦେଶୀଙ୍କ ସମେତ ୧୬,୦୦୦ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ପରେ ତାହା ସଂକ୍ରମଣର କେନ୍ଦ୍ର ପାଲଟିବା ସହ ବିଭିନ୍ନ ରାଷ୍ଟ୍ରକୁ ମଧ୍ୟ ସଂକ୍ରମଣ ବ୍ୟାପିଯାଇଥିଲା। ଗତ ଜାନୁଆରି ୬ ତାରିଖରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ଶହ ଶହ ସମର୍ଥକ ବିନା ମାସ୍କରେ ସଂସଦ ଭବନ ହିଂସା ରଚାଇଥିଲେ। ପରେ ସେଠାରେ ୧୫୦ ଜଣ ଜାତୀୟ ସୁରକ୍ଷା କର୍ମୀ, ୩୮ ରାଜଧାନୀ ପୁଲିସ ଏବଂ ଏପରିକି ୪ ଜଣ ସାଂସଦ ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ସେହିପରି ଆମେରିକାର ଏକ ହୋଟେଲରେ ବାୟୋଟେକ୍ନୋଲୋଜି କମ୍ପାନି ବାୟୋଜେନ୍‌ ତରଫରୁ ଆୟୋଜିତ ଆନ୍ତର୍ଜାତିକ ସମାବେଶ ୩ ଲକ୍ଷରୁ ଅଧିକ ସଂକ୍ରମଣ ମାମଲାର କାରଣ ସାଜିଥିବା ଏକ ଅଧ୍ୟୟନରୁ ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର