ବିଶ୍ବର ସବୁଠାରୁ ବୟସ୍କ ବ୍ୟକ୍ତିଙ୍କ ପରଲୋକ

ଟୋକିଓ : ବିଶ୍ବର ସବୁଠାରୁ ବୟସ୍କ ବ୍ୟକ୍ତିଙ୍କ ୧୧୯ ବର୍ଷ ବୟସରେ ପରଲୋକ ହୋଇଛି । ସେ ହେଉଛନ୍ତି ଜାପାନର ଫୁକୁଓକା ସହରର କେନ ଟାନାକା । ଗତ ୧୯ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିବା କଥା ଜାପାନ ସରକାର ସୋମବାରଦିନ ଘୋଷଣା କରିଛନ୍ତି ।

ସେ ୧୯୦୩ ମସିହାରେ ଜନ୍ମ ଗ୍ରହଣ କରିଥିଲେ, ଯେଉଁ ବର୍ଷ ବିଶ୍ବର ପ୍ରଥମ ଥର ପାଇଁ ଏରୋପ୍ଲେନର ପରୀକ୍ଷଣ ଆରମ୍ଭ ହୋଇଥିଲା । ଦୁଇଭାଇ ଓ୍ବିଲବର ଓ ଅରଭିଲେ ରାଇଟ୍ ଏହି ପରୀକ୍ଷଣ କରିଥିଲେ । ସେହି ବର୍ଷ ଜନ୍ମ ଗ୍ରହଣ କରିଥିବା ବିଶ୍ବ ପ୍ରସିଦ୍ଧ ବ୍ୟକ୍ତିତ୍ବ ହେଲେ ବ୍ରିଟିସ ଲେଖକ ଜର୍ଜ ଓରଓ୍ବେଲ, ଫିଲ୍ମ ନିର୍ଦ୍ଦେଶକ ୟାସୁଜିରୋ ଓଜୁ ଇତ୍ୟାଦି ।

ନିଜର ଜୀବନ କାଳରେ ସେ ଦୁଇ ଦୁଇଟି ବିଶ୍ବଯୁଦ୍ଧ ଦେଖିଛନ୍ତି । ଜାପାନରେ ପରମାଣୁ ବୋମା ପଡ଼ିବା ଦେଖିଛନ୍ତି । ୧୯୦୪ରେ ଜାପାନ-ରୁଷ ଯୁଦ୍ଧର ବର୍ଷକ ପୂର୍ବରୁ ସେ ଜନ୍ମଗ୍ରହଣ କରିଥିଲେ । ନିଜ ଜୀବନକାଳରେ ସେ ଜାପାନରେ ସମ୍ରାଟ ମେଜି, ତାଇସୋ,ହେସେଇ, ରେଓ୍ବାଙ୍କ ଶାସନ ଦେଖିଛନ୍ତି ।

ମାର୍ଚ୍ଚ ୨୦୧୯ରେ ତାଙ୍କୁ ଯେତେବେଳେ ୧୧୬ ବର୍ଷ ହୋଇଥିଲା, ତାଙ୍କୁ ଗିନିସ ଓ୍ବାର୍ଲସ ରେକର୍ଡ ପକ୍ଷରୁ ବିଶ୍ବର ସବୁଠାରୁ ବୟସ୍କ ବ୍ୟକ୍ତିର ମାନ୍ୟତା ପ୍ରଦାନ କରାଯାଇଥିଲା । ସେପ୍ଟେମ୍ବର ୨୦୨୦ରେ ତାଙ୍କୁ ୧୧୭ ବର୍ଷ ହୋଇଥିବାବେଳେ, ତାଙ୍କୁ ଜାପାନରେ ଜନ୍ମ ହୋଇଥିବା ସବୁଠାରୁ ଅଧିକ ବୟସର ବ୍ୟକ୍ତିର ମାନ୍ୟତା ଦିଆଯାଇଥିଲା ।

ଟାନାକାଙ୍କ ମୃତ୍ୟୁପରେ, ଫ୍ରାନ୍ସର ଲୁସିଲ୍ ରାଣ୍ଡନ ବିଶ୍ବର ସବୁଠାରୁ ବୟସ୍କ ବ୍ୟକ୍ତି କୁହାଯାଉଛି । ଏବେ ତାଙ୍କ ବୟସ ୧୧୮ ବର୍ଷ ୭୩ ଦିନ ରହିଛି ।

 

ସମ୍ବନ୍ଧିତ ଖବର