ନୂଆଦିଲ୍ଲୀ: ଭାରତ ଓ କାନାଡା ମଧ୍ୟରେ ବଢ଼ୁଥିବା ଉତ୍ତେଜନା କୁ ନେଇ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସୋମବାର ନୂଆଦିଲ୍ଲୀରେ ଆୟୋଜିତ ଏନଡିଟିଭି ବିଶ୍ୱ ଶିଖର ସମ୍ମିଳନୀ ୨୦୨୪ - 'ଦି ଇଣ୍ଡିଆ ସେଞ୍ଚୁରି'ରେ ଯୋଗଦେଇ ବୈଦେଶିକ ମନ୍ତ୍ରୀ କହିଛନ୍ତି, କାନାଡା ସହିତ ପ୍ରସଙ୍ଗ ଉଭୟ ଏକ ସାଧାରଣ ପାଶ୍ଚାତ୍ୟ ପ୍ରସଙ୍ଗ ଏବଂ କାନାଡା ପାଇଁ ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗ। ଏହାର ଦ୍ବିତୀୟ ଚରିତ୍ର ରହିଛି। ବିଶ୍ବରେ ପରିବର୍ତ୍ତନ ଆସୁଛି । ବିଶ୍ୱସ୍ତରରେ ଶକ୍ତିର ସନ୍ତୁଳନ ବଦଳିବାରେ ଲାଗିଛି । ପାଶ୍ଚାତ୍ୟ ଦେଶମାନେ ଏହାକୁ ହଜମ କରିପାରୁନାହାନ୍ତି । କିନ୍ତୁ ସବୁ ପାଶ୍ଚାତ୍ୟ ଦେଶ ସମାନ ନୁହଁନ୍ତି। 

Advertisment

ଜୟଶଙ୍କର କହିଛନ୍ତି, ଯେତେବେଳେ ମୁଁ ଆମେରିକା କିମ୍ବା ୟୁରୋପ ଗସ୍ତ କରେ, ସେହି ଦେଶଗୁଡ଼ିକ କହୁଛନ୍ତି ଯେ ଭାରତ ସହ କାମ କରିବା ଅର୍ଥପୂର୍ଣ୍ଣ। କିନ୍ତୁ କାନାଡାରେ ଏଭଳି କଥା ଶୁଣିବାକୁ ମିଳୁନାହିଁ । ୧୯୪୫ ମସିହା ପରେ ବିଶ୍ୱ ବ୍ୟବସ୍ଥା ଅତ୍ୟନ୍ତ ପାଶ୍ଚାତ୍ୟ କେନ୍ଦ୍ରୀତ ଥିଲା । ୧୯୯୦ ଦଶକ ପରେ ଏହା ପାଶ୍ଚାତ୍ୟ କେନ୍ଦ୍ରୀତ ରହିଥିଲା। କିନ୍ତୁ ଗତ ୨୦ ବର୍ଷ ମଧ୍ୟରେ ସ୍ଥିତି ବଦଳିଯାଇଛି। ବିଶ୍ୱର ସନ୍ତୁଳନ ବଦଳିଯାଇଛି । ଅନେକ ଅଣ-ପାଶ୍ଚାତ୍ୟ ଦେଶ ପ୍ରଭାବଶାଳୀ ହୋଇଛନ୍ତି। ଅଣ-ପାଶ୍ଚାତ୍ୟ ଓ ପାଶ୍ଚାତ୍ୟ ଶକ୍ତିମାନଙ୍କ ମଧ୍ୟରେ ସମନ୍ୱୟ ବଦଳିବାରେ ଲାଗିଛି। ତେଣୁ ଏହାକୁ ବୁଝିବା ଓ ଆଡଜଷ୍ଟ କରିବା ସହଜ ନୁହେଁ। କାନାଡା ପାଇଁ ଏହା ଏକ ଚ୍ୟାଲେଞ୍ଜ।