ଟୋକିଓ : ବିଶ୍ବର ସବୁଠୁ ଶକ୍ତିଶାଳୀ ବ୍ୟକ୍ତି ତଥା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କରୋନା ସଂକ୍ରମିତ ହେବା ଖବର ପ୍ରସାରିତ ହେବାପରେ ସାରା ବିଶ୍ବ ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। କେହି କେହି ଟ୍ରମ୍ପ୍ କରୋନା ସଂକ୍ରମିତ ହେବା ଖବରରେ ବିସ୍ମୟ ପ୍ରକାଶ କରିଛନ୍ତି ତ ପୁଣି କେହି ସମବେଦନା ଜଣାଇଛନ୍ତି। ଟ୍ରମ୍ପ୍ଙ୍କୁ କିଛି ଲୋକ ଉପହାସ ମଧ୍ୟ କରିଛନ୍ତି। ଟ୍ରମ୍ପ୍ଙ୍କ ଆରୋଗ୍ୟ କାମନା କରିଛନ୍ତି ଆମେରିକା ଉପରାଷ୍ଟ୍ରପତି ମାଇକ୍ ପେନ୍ସ ଏବଂ ସେ ଟ୍ରମ୍ପ୍ ତାଙ୍କ ଦାୟିତ୍ବ ମାଇକ୍ଙ୍କୁ ହସ୍ତାନ୍ତର କରିବେ ବୋଲି ଜଣାପଡ଼ିଛି।
ଅଷ୍ଟ୍ରେଲିଆର କୃଷି ମନ୍ତ୍ରୀ ଲିଟଲ୍ପ୍ରାଉଡ୍ କହିଛନ୍ତି, ଏହା ଜଣାପଡ଼ିଗଲା ଯେ, କେହି ବି କରୋନା କବଳରୁ ବର୍ତ୍ତି ପାରିବେନି। ଯେତେ ସଚେତନତା ଗ୍ରହଣ କଲେ ମଧ୍ୟ ଆମେମାନେ ସମସ୍ତେ କରୋନା ସଂକ୍ରମିତ ହେବା। କରୋନା ମହାମାରୀ ସମସ୍ତଙ୍କୁ ଛୁଇଁପାରିବ। ଏପରିକି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ମଧ୍ୟ ବୋଲି ସେ କହିଛନ୍ତି । ପୁଟିନ୍ ମଧ୍ୟ ଟ୍ରମ୍ପ୍ଙ୍କୁ ସମର୍ଥନ ପ୍ରଦାନ କରିଛନ୍ତି। ଚୀନ୍ରେ ବି ଟ୍ରମ୍ପ୍ କରୋନା ସଂକ୍ରମିତ ହେବା ଖବର ପ୍ରସାରିତ ହୋଇଛି। କିନ୍ତୁ ଚୀନ୍ ସରକାରଙ୍କ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ରଖାଯାଇନି। ଟ୍ରମ୍ପ୍ ଏବଂ ମେଲାନିଆ କରୋନା ସଂକ୍ରମିତ ହେବା ଖବର ଆଜି ଚୀନ୍ରେ ସବୁଠୁ ଅଧିକ ଥର ସର୍ଚ୍ଚ ହୋଇଥିବା ବିଷୟବସ୍ତୁ ଅଟେ। ଜଣେ ୟୁଜର ଆଜି ଟ୍ରମ୍ପ୍ଙ୍କୁ ପରିହାସ କରି କହିଛନ୍ତି , ଶେଷରେ ଟ୍ରମ୍ପ୍ କିଛି ପଜିଟିଭ୍ ଟ୍ବିଟ୍ କଲେ। ଗ୍ଲୋବାଲ୍ ଟାଇମ୍ସର ଜଣେ ସମ୍ପାଦକ ହୁ ଜିଜିନ୍ କହିଛନ୍ତି, ଶେଷରେ ଟ୍ରମ୍ପ୍ ଏବଂ ମେଲାନିଆ କରୋନା ସହ ଖେଳିବାର ଫଳ ପାଇଛନ୍ତି। ଇରାନ୍ର ରାଷ୍ଟ୍ରାୟତ ଟିଭି ଚ୍ୟାନେଲ୍ରେ ବି ଟ୍ରମ୍ପ୍ କରୋନା ସଂକ୍ରମିତ ହେବା ଖବରକୁ କଡ଼ା କଟାକ୍ଷ କରାଯାଇଛି। କିଓ ୟୁନିଭର୍ସିଟି ଅର୍ଥନୀତି ପ୍ରଫେସର ମସାରୁ କନେକୋ ଆଜି ଏକ ଟ୍ବିଟ୍ କରି କହିଛନ୍ତି, ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ୍ ଏବଂ ବ୍ରାଜିଲ୍ ରାଷ୍ଟ୍ରପତି ଜେଆର ବଲ୍ସୋନାରୋଙ୍କ ପରି ଟ୍ରମ୍ପ୍ ମଧ୍ୟ କରେନାକୁ ସେତେ ଗୁରୁତର ଭାବେ ନେଇନଥିବାରୁ ସେମାନେ କରୋନା ସଂକ୍ରମିତ ହୋଇଛନ୍ତି। ଉଭୟ ବୋରିସ୍ ଏବଂ ବଲ୍ସୋନାରୋ କରୋନାରୁ ସୁସ୍ଥ ହେବାପରେ କରୋନାକୁ ଭଲଭାବେ ମୁକାବିଲା କରିଛନ୍ତି। ତେବେ ଆମେରିକା କ'ଣ ସେମାନଙ୍କୁ ଅନୁକରଣ କରିବ କି ବୋଲି ସେ ପ୍ରଶ୍ନ କରିଛନ୍ତି।