କାଶିୱାରା: ମନ ଲାଖି ବ୍ୟଞ୍ଜନ ‘ବିନ୍‌-ପେଷ୍ଟ୍‌ ଜେଲି’ ଖାଇବା ପରେ ମଙ୍ଗଳବାର ଦିନ ବିଶ୍ବରେ ଦ୍ବିତୀୟ ତଥା ଜାପାନ୍‌ର ସବୁଠୁ ବୟୋଜ୍ୟଷ୍ଠା ମହିଳା ଫୁସା ତାତ୍‌ସୁମିଙ୍କର ୧୧୬ ବର୍ଷ ବୟସରେ କାଶିୱାରାସ୍ଥିତ ଏକ ନିର୍ସିଂହୋମ୍‌ରେ ମୃତ୍ୟୁ ହୋଇଯାଇଥିବା କଥା ‘ମେଟ୍ରୋ’ ସମ୍ବାଦପତ୍ର ରିପୋର୍ଟ କରିଛି।

Advertisment

ଜାପାନର ଓସାକା ଅନ୍ତର୍ଗତ କାଶିୱାରା ନଗରୀରେ ଜଣେ ସରକାରୀ ଅଧିକାରୀ କହିଛନ୍ତି, ମଙ୍ଗଳବାର ଦିନ ଓସାକାରେ ଥିବା ଏକ ନର୍ସିଂହୋମ୍‌ରେ ୧୧୬ ବର୍ଷ ବୟସରେ ସାତ୍‌ସୁମିଙ୍କର ମୃତ୍ୟୁ ଘଟିଛି।

ଦୁଇଟି ବିଶ୍ବଯୁଦ୍ଧ ଓ ଏକାଧିକ ମହାମାରୀ ଅଙ୍ଗେନିଭାଇଥିବା ତାତ୍‌ସୁମିଙ୍କୁ ଜାପାନର ଦୀର୍ଘଜୀବୀ ମହିଳା ଭାବେ ଚିହ୍ନିତ କରାଯାଇଥିଲା। ତାଙ୍କ ପୂର୍ବରୁ ଗତବର୍ଷ ଜାପାନର ସବୁଠୁ ବୟୋଜ୍ୟଷ୍ଠ ବ୍ୟକ୍ତିଭାବେ ଚିହ୍ନିତ କାନେ ତାନାକାଙ୍କର ୧୧୯ ବର୍ଷ ବୟସରେ ମୃତ୍ୟୁ ଘଟିଥିଲା।

publive-image Image Courtesy of MailOnline

ସୂଚନାଯୋଗ୍ୟ, ସାତ୍‌ସୁମି ଥିଲେ ସମଗ୍ର ବିଶ୍ବରେ ୧୧୬ ବର୍ଷରେ ପଦାର୍ପଣ କରିଥିବା ୨୭ତମ ଏବଂ ଜାପାନରେ ୭ମ ବ୍ୟକ୍ତିବିଶେଷ। ସମ୍ପ୍ରତି ତାଙ୍କର ଅଧିକାଂଶ ଦିନ ନର୍ସିଂହୋମ୍‌ ବେଡ୍‌ରେ କଟୁଥିଲା। ଶଯ୍ୟାଶାୟୀ ହୋଇ ମଧ୍ୟ ସେ ନର୍ସିଂହୋମ୍‌ର କର୍ମଚାରୀମାନଙ୍କୁ ନିୟମିତ ଅଭିନନ୍ଦନ ଜଣାଉଥିଲେ। ସଂଗୃହୀତ ସୂଚନା ଅନୁଯାୟୀ, ଫୁସା ତାତ୍‌ସୁମିଙ୍କର ଆଗରୁ କୌଣସି ଶାରୀରିକ ସମସ୍ୟା ନ ଥିଲା। ସେ କେବେ ଦୁଃସାଧ୍ୟ ରୋଗରେ ପଡ଼ି ନ ଥିଲେ କି, ଆହତ ହୋଇ ନ ଥିଲେ। କିନ୍ତୁ, ୭୦ ଦଶକରେ ପଡ଼ିଯିବାରୁ ତାଙ୍କ ଜଂଘ ହାଡ଼ ଭାଙ୍ଗିଯାଇଥିଲା।

‘ଏଲିମେଣ୍ଟାରି’ ସ୍କୁଲ୍‌ରୁ ସ୍ନାତକ ହାସଲ କରିବା ପରେ ସେ ଉଦ୍ୟାନ କାର୍ଯ୍ୟ ଓ ଜାପାନୀ ଚା ଉତ୍ସବ ଏବଂ ଫୁଲସଜା କାମ କରୁଥିଲେ। ୧୦୬ ବର୍ଷ ବୟସରେ ନର୍ସିଂହୋମ୍‌କୁ ଆସିବା ପର୍ଯ୍ୟନ୍ତ ସେ ଉଦ୍ୟାନ କାର୍ଯ୍ୟ କରିବାକୁ ସୁଖ ପାଉଥିଲେ।

ତାଙ୍କ ମୃତ୍ୟୁ ପରେ ତାଙ୍କର ୭୬ ବର୍ଷିୟ ଜ୍ୟଷ୍ଠପୁତ୍ର କହିଛନ୍ତି, ଏଭଳି ପରିଣତ ବୟସରେ ପହଞ୍ଚିବା ପାଇଁ ସେ ଖୁବ୍‌ ଭଲ କାମ କରିଥି‌ବେ।