ମୁମ୍ବାଇ: ମୁମ୍ବାଇ ବିଏମଡବ୍ଲୁ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲାରେ ସମ୍ପୃକ୍ତ ଥିବା ମିହିର ଶାହାକୁ ପୁଲିସ ଗତ ବୁଧବାର ଗିରଫ କରିଛି। ଗିରଫ ହେବାପରେ ପୁଲିସ ମିହିରକୁ ଦୁର୍ଘଟଣା ବିଷୟରେ ପଚରାଉଚରା କରୁଛି।

Advertisment

ଏହି ସମୟରେ ମିହିର ପୁଲିସ ସାମ୍ନାରେ ନିଜର ଦୋଷ ସ୍ବୀକାର କରି କହିଛି, ‘ମାନୁଛି ମହିଳା ମୋ କାର ବୋନେଟରେ ଫସି ଯାଇଥିଲେ। ଆଉ ଗାଡ଼ି ସହିତ ସେ ଟାଣି ହୋଇଯାଇଥିଲେ। କିନ୍ତୁ ଏସବୁ ମୁଁ ଜାଣି ପାରି ନଥିଲି। ମୋ ଗାଡ଼ି ତଳେ କାବେରୀଙ୍କ ମୃତ୍ୟୁ ହୋଇଥିବା ଘଟଣାକୁ ନେଇ ମୁଁ ଦୁଃଖୀତ ଅଛି। ମୋର ଭୁଲ ହୋଇଯାଇଛି।’

ମିହିର କିଛିଦିନ ପୂର୍ବରୁ ପୁଲିସକୁ କହିଥିଲା, ‘ଏହି ଘଟଣା ପରେ ମୁଁ ଭୟଭୀତ ହୋଇଯାଇଥିଲି। ଘରଲୋକେ କାଳେ ଗାଳି କରିବେ ସେଥିପାଇଁ ବ‌ାପା ବାନ୍ଦ୍ରା ପହଞ୍ଚିବା ପୂର୍ବରୁ ମୁଁ ସେଠାରୁ ଫେରାର ହୋଇଯାଇଥିଲି। ଭୟରେ ଘରକୁ ନଯାଇ ପ୍ରେମିକା ପାଖରେ ଯାଇ ରହିଥିଲି। ’

ପୁଲିସ କହିଛି ଯେ ଅନେକ ସିସିଟିଭି ଫୁଟେଜରେ ଦ୍ରୁତ ଗତିରେ ଆସୁଥିବା ବିଏମଡବ୍ଲୁ ମହିଳାଙ୍କୁ ବୋନେଟରେ ଟାଣି ନେଇଯାଇଥିବା ଦେଖିବାକୁ ମିଳିଛି। ଶାହା ମୃତକ କାବେରୀଙ୍କୁ ପ୍ରାୟ ୧.୫ କିଲୋମିଟର ଟାଣି ନେବା ପରେ କାରକୁ ଅଟକାଇଥିଲା ଏବଂ ତା’ପରେ ତାର ଡ୍ରାଇଭରଙ୍କ ସହ ସିଟ୍ ବିନିମୟ କରିଥିଲା।

ମହାରାଷ୍ଟ୍ରର ପାଲଘର ଜିଲ୍ଲାର ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ସେନାର ରାଜେଶ ଶାହଙ୍କ ପୁଅ ହେଉଛନ୍ତି ମିହିର ଶାହ(୨୪)। ସେ ଗତ ରବିବାର ସକାଳେ ବିଏମଡବଲ୍ୟୁ କାରରେ ଆସିବା ସମୟରେ ଓର୍ଲି ନିକଟରେ ସ୍କୁଟିରେ ଯାଉଥିବା ଏକ ଦମ୍ପତିଙ୍କୁ ଧକ୍କା ଦେଇ କିଛି ବାଟ ଘୋଷାଡ଼ି ନେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସ୍ୱାମୀ-ସ୍ତ୍ରୀ କିଛି ଫୁଟ ଉପରକୁ ଉଠିଯାଇ କାର୍ ଉପରେ ପଡ଼ିଥିଲେ। କାବେରୀଙ୍କୁ ମିହିର ଗାଡ଼ି ସହ ଘୋଷାଡି ନେଇ ଯାଇଥିଲା। ଏଥିରେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସ୍ବାମୀ ଗୁରୁତର ଆହତ ହୋଇଥିଲେ।