ମଧ୍ୟାହ୍ନ ଭୋଜନରେ ପୋକ; ପିଲାମାନଙ୍କୁ ସାର୍‌ କହିଲେ ସେ ସବୁ ଜିରା

କୋଲକାତା: ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲା ଅନ୍ତର୍ଗତ ହସିମ୍‌ପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ପରଷା ଯାଇଥିବା ମଧ୍ୟାହ୍ନ ଭୋଜନରେ ପୋକ ବାହାରିବାରୁ ବଡ଼ ଉତ୍ତେଜନାମୟ ପରିସ୍ଥିତି ସୃଷ୍ଟି ହୋଇଥିଲା।

କ୍ରୋଧାନ୍ଵିତ ଅଭିଭାବକମାନେ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କୁ ଘେରାଉ କରି, ମଧ୍ୟାହ୍ନ ଭୋଜନରେ ପରଷା ଯାଇଥିବା ଖିଚିଡ଼ିରେ କାହିଁକି ପୋକ ବାହାରିଲା ତାହାର କୈଫୟତ୍‌ ଦାବି କରିଥିଲେ।

୪ର୍ଥ ଶ୍ରେଣୀର ଛାତ୍ର ରୋହିତ ଶର୍ମା କହନ୍ତି: ଭୋଜନରେ ପୋକ ପଡ଼ିଥିବା ଦେଖାଇ ଦେବାରୁ ଶିକ୍ଷକ ତାହାକୁ ହାତରେ ଆଡ଼େଇ ଦେଇ କହିଲେ ସେଗୁଡ଼ିକ ଜିରା।

ରୋହିତର ସାଙ୍ଗ ବୃଷ୍ଟି ହାଲଦାର ମଧ୍ୟ ଏକା କଥା କହିଛି।
ସପ୍ନା ନାମ୍ନୀ ଜଣେ ଅଭିଭାବକ କହନ୍ତି: ସ୍କୁଲ୍‌ରେ ପରଷା ଯାଉଥିବା ଖାଦ୍ୟର ଅବସ୍ଥା ଯଦି ଏମିତି, ଆମ ପିଲାଏ ନିରାପଦ ବୋଲି କେମିତି ନିଶ୍ଚିତ ହେବୁ?

ଅଭିଭାବକ ଓ ସ୍ଥାନୀୟ ଲୋକେ ଧମକ ଦେଇ କହିଛନ୍ତି ଯେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଫଳ ହେଲେ ସେମାନେ କର୍ତ୍ତୃପକ୍ଷଙ୍କ ବିରୋଧରେ ପ୍ରବଳ ପ୍ରତିବାଦ କରିବେ।

ସେମାନେ ଅଭିଯୋଗ କରିଛନ୍ତି ଯେ ବର୍ଷେ ହେବ ଖାଦ୍ୟର ମାନ ହ୍ରାସ ପାଇଲାଣି। ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ କର୍ତ୍ତୃପକ୍ଷମାନେ କୌଣସି ଯାଞ୍ଚ କରୁ ନାହାନ୍ତି।

କିନ୍ତୁ, ଖାଦ୍ୟରେ ପୋକ ଥିବା କଥାକୁ ସ୍କୁଲ୍‌ ପକ୍ଷରୁ ଅସ୍ୱୀକାର କରାଯାଇଛି।

ସମ୍ବନ୍ଧିତ ଖବର