ପତ୍ନୀଙ୍କୁ ପରିତ୍ୟାଗ କରିଥିବା ୩୩ ପ୍ରବାସୀ ଭାରତୀୟଙ୍କ ପାସ୍‌ପୋର୍ଟ ରଦ୍ଦ କଲେ ସରକାର, ୮ ଜଣଙ୍କୁ ଖୋଜିବାକୁ ଲୁକ୍‌-ଆଉଟ୍‌ ସର୍କୁଲାର ଜାରି

ନୂଆଦିଲ୍ଳୀ: ନିଜ ପତ୍ନୀଙ୍କୁ ପରିତ୍ୟାଗ କରିବା କାରଣରୁ କେନ୍ଦ୍ର ସରକାର ୩୩ ଜଣ ପ୍ର୍ରବାସୀ ଭାରତୀୟଙ୍କ ପାସ୍‌ପୋର୍ଟକୁ ରଦ୍ଦ କରି ଦେଇଛନ୍ତି। ପ୍ରବାସୀ ଭାରତୀୟଙ୍କ ପତ୍ନୀମାନଙ୍କ ପକ୍ଷରୁ ଅଭିଯୋଗ ଆସିବା ପରେ ଏହି ମାମଲାର ତଦନ୍ତ କରିବା ପାଇଁ କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏକ ଇଣ୍ଟିଗ୍ରେଟେଡ୍‌ ନୋଡାଲ୍‌ ଏଜେନ୍ସି(ଆଇଏନ୍‌ଏ) ଗଠନ କରାଯାଇଥିଲା। ଏହି ଏଜେନ୍ସିର ସୁପାରିସ କ୍ରମେ ୩୩ ପ୍ରବାସୀ ଭାରତୀୟଙ୍କ ପାସପୋର୍ଟ ରଦ୍ଦ ହୋଇଛି।

ଏଥିସହ ୮ ଜଣ ଏଭଳି ପ୍ରବାସୀ ଭାରତୀୟଙ୍କୁ ଖୋଜିବା ପାଇଁ ଲୁକ୍‌-ଆଉଟ୍‌ ସର୍କୁଲାର ଜାରି ମଧ୍ୟ କରାଯାଇଛି ବୋଲି ବୈଦେଶିକ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ କହିଛନ୍ତି। ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟର ସଚିବ ରାକେଶ ଶ୍ରୀବାସ୍ତବ ଏହି ଏଜେନ୍ସିର ଅଧ୍ୟକ୍ଷ ଅଛନ୍ତି।

ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ଆହୁରି ବି କୁହାଯାଇଛି ଯେ ପ୍ରବାସୀ ଭାରତୀୟଙ୍କ ବିବାହର ଏକ ସପ୍ତାହ ମଧ୍ୟରେ ପଞ୍ଜିକରଣ ବାଧ୍ୟତାମୂଳକ କରାଯିବା ପାଇଁ ଏକ ପ୍ରସ୍ତାବ ଦିଆଯାଇ ମଞ୍ଜୁରୀ ଅପେକ୍ଷାରେ ରହିଛି। ମନ୍ତ୍ରାଳୟର ଅଧିକାରୀ ଆହୁରି ବି କହିଛନ୍ତି କି ପାସ୍‌ପୋର୍ଟ ସଂଶୋଧନ ସୁବିଧା ବି ରହିବ। ଫଳରେ ଫେରାର୍‌ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ରଦ୍ଦ ବି କରାଯାଇ ପାରିବ।

ପ୍ରବାସୀ ଭାରତୀୟଙ୍କୁ ବିବାହ କରିବା କ୍ଷେତ୍ରରେ ମହିଳାମାନଙ୍କୁ ସୁରକ୍ଷା ଦେବା ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ(ଡବ୍ଲୁସିଡି) ଓ ମହିଳା କମିସନଙ୍କ ପକ୍ଷରୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି। ଡବ୍ଲୁସିଡିର ଟୁଇଟର୍‌ ଆକାଉଣ୍ଟ୍‌ରେ ମହିଳାମାନଙ୍କ ପକ୍ଷରୁ ଅଭିଯୋଗ ଗ୍ରହଣ କରିବା ପାଇଁ [email protected] ଇମେଲ୍‌ ଠିକଣା ଦିଆଯାଇଛି।

ପ୍ରବାସୀ ଭାରତୀୟଙ୍କ ଦ୍ୱାରା ମହିଳାମାନେ ଅବହେଳିତ ହେବା ଘଟଣା ବଢ଼ି ଚାଲିଥିବାରୁ ଏପରି ପଦକ୍ଷେପ ନିଆଯାଇଛି। ପ୍ରଥମ ଥର ପାଇଁ ମହିଳାମାନଙ୍କୁ ସୁରକ୍ଷା ଓ ସମର୍ଥନ ଦେବା ପାଇଁ ମିଳିତ ଭାବେ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ, ବୈଦେଶିକ ମନ୍ତ୍ରାଳୟ ଏବଂ ଗୃହ ମନ୍ତ୍ରାଳୟ ପକ୍ଷରୁ ଉଦ୍ୟମ କରାଯାଇଛି ବୋଲି ଅନ୍ୟ ଏକ୍‌ ଟୁଇଟ୍‌ରେ ଡବ୍ଲୁସିଡି ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର