ସୋମନାଥ ମନ୍ଦିରରେ ମୋଦୀଙ୍କ ପୂଜାର୍ଚ୍ଚନା

ଗାନ୍ଧୀନଗର : ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ୩ ଦିନିଆ ରାଜ୍ୟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀ ରବିବାର ଦିନ ପ୍ରସିଦ୍ଧ ଶୈବ ପୀଠ ସୋମନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ମୋଦୀ ସେଠାରେ ଜଳାଭିଷେକ କରିବା ସହିତ ଅନ୍ୟାନ୍ୟ ପାରମ୍ପରିକ ପୂଜା କରିଥିଲେ। ଏଥିସହିତ ମନ୍ଦିର ବାହାରେ ଅପେକ୍ଷା କରିଥିବା ଶ୍ରଦ୍ଧାଳୁମାନଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ସୋମନାଥ ଟ୍ରଷ୍ଟର ମଧ୍ୟ ଅଧ୍ୟକ୍ଷ ରହିଛନ୍ତି। ଶନିବାର ସେ ନିଜ ରାଜ୍ୟରେ ପହଞ୍ଚିଛନ୍ତି। ୩ ଦିନରେ ସେ ୧୮ଟି ରାଲିରେ ଉଦ୍‌ବୋଧନ ଦେବା କାର୍ଯ୍ୟକ୍ରମ ରହିଛି।

ବୋତଡ଼ରେ ଦଳ ପକ୍ଷରୁ ଆୟୋଜିତ ଏକ ରାଲିରେ ରବିବାର ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ନିର୍ବାଚନ କେବଳ ଆସନ୍ତା ୫ ବର୍ଷ ପାଇଁ ନୁହେଁ, ବରଂ ୨୫ ବର୍ଷ ପରେ ଗୁଜରାଟ କିଭଳି ଦେଖାଦେବ ତାହା ଏହି ନିର୍ବାଚନରେ ନିର୍ଦ୍ଧାରଣ ହେବ। ୨୦୦୨ରୁ ୨୦୧୪ ପର୍ଯ୍ୟନ୍ତ ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ସେତେବେଳେ ସେ ଗୁଜରାଟର ବିକାଶ ମଡେଲ ପାଇଁ ଲୋକପ୍ରିୟତା ହାସଲ କରିଥିଲେ।

ସମ୍ବନ୍ଧିତ ଖବର