ନୂଆଦିଲ୍ଲୀ: ଜ୍ଞାନବାପି ମାମଲାରେ ଆହ୍ଲାବାଦ ହାଇକୋର୍ଟ ଶୁକ୍ରବାର ଶୁଣାଣି କରି ମସଜିଦ କମିଟିକୁ ଝଟକା ଦେଇଛନ୍ତି। ଅର୍ଥାତ ଜ୍ଞାନବାପି ମାମଲାରେ ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ୍ କମିଟି କରିଥିବା ଆବେଦନରେ ହାଇକୋର୍ଟ କୌଣସି ପ୍ରକାର ଆଶ୍ବସ୍ତି ଦେଇନାହାନ୍ତି।

Advertisment

ଆହ୍ଲାବାଦ ହାଇକୋର୍ଟ ଜ୍ଞାନବାପି ମାମଲାର ଶୁଣାଣି କରି କହିଛନ୍ତି, ‘ତହଖାନେରେ ପୂଜାପାଠ ଯେମିତି ଚାଲିଛି ସେମିତି ଚାଲିବ। ଏଥିରେ କେହି ବଧାସୃଷ୍ଟି କରି ପାରିବେ ନାହିଁ। ଆଗାମୀ ଫେବ୍ରୁଆରି ୬ ତାରିଖରେ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହେବ। ତେଣୁ ୬ ତାରିଖ ମଧ୍ୟରେ ମସଜିଦ ସମିତିକୁ ଆବେଦନରେ ସଂଶୋଧନ କରିବାକୁ ନି‌ର୍ଦ୍ଦେଶ ଦିଆଯାଇଛି।

ଜ୍ଞାନବାପି ମସଜିଦ ମାମଲାରେ ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ୍ କମିଟି ମସଜିଦର ସିଲ୍ ବେସମେଣ୍ଟ ଭିତରେ ହିନ୍ଦୁ ଶ୍ରଦ୍ଧାଳୁଙ୍କୁ ପୂଜା କରିବାକୁ ଅନୁମତି ଦେଇଥିବା ଜିଲ୍ଲା ଜଜ୍‌ଙ୍କ ଆଦେଶ ବିରୋଧରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ପ୍ରଶାସନ ପକ୍ଷରୁ ରାତାରାତି ଏହି ଆଦେଶ କାର୍ଯ୍ୟକାରୀ ହେଉଥିବାରୁ ମସଜିଦ କମିଟି ମାମଲାକୁ ତୁରନ୍ତ ତାଲିକାଭୁକ୍ତ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟର ଅବକାଶ ରେଜିଷ୍ଟ୍ରାରଙ୍କ ଦ୍ୱାରସ୍ଥ ହୋଇଥିଲା। ଏହାପରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ସହ ପରାମର୍ଶ କରି ରେଜିଷ୍ଟ୍ରାର ଆବେଦନକାରୀଙ୍କୁ ଜଣାଇ ଦେଇଥିଲେ ଯେ ଏହା ଜରୁରୀ ତାଲିକାଭୁକ୍ତ ହୋଇପାରିବ ନାହିଁ ଏବଂ ଆବେଦନକାରୀ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୁଅନ୍ତୁ। ଏହାପରେ ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ୍ କମିଟି ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ନିଜର ଆବେଦନ ଦାଖଲ କରିଥିଲେ।