ସବରିମାଲା ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ପ୍ରଶ୍ନ; ‘ରକ୍ତ ଭିଜା ସାନିଟାରି ନାପ୍‌କିନ୍‌କୁ ଧରି କ’ଣ ବନ୍ଧୁ ଘରକୁ ଯାଇ ପାରିବେ?’

ମୁମ୍ବାଇ: ମାସିକ ଧର୍ମ ବଳବତ୍ତର ରହିଥିବା ମହିଳାମାନେ ସବରିମାଲା ମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବେ ନା ନାହିଁ, ତାହାକୁ କେନ୍ଦ୍ର କରି ଏବେ ଦେଶବ୍ୟାପି ଭୟଙ୍କର ବିବାଦ ଓ ବିତର୍କର ସୂତ୍ରପାତ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ କଟାକ୍ଷ ଓ ବିଦ୍ରୁପ କରିବା ଢ଼ଙ୍ଗରେ ଏହି ବିବାଦୀୟ ପ୍ରସଙ୍ଗ ଉପରେ ନିଜର ମନ୍ତବ୍ୟ ରଖିବା ଘଟଣା ଏବେ ଦେଶ ବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି।

କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ଯେ ପ୍ରତ୍ୟେକ ବ୍ୟକ୍ତିର ପୂଜା କରିବାର ଅଧିକାର ରହିଛି, କିନ୍ତୁ ପବିତ୍ରତାକୁ ନଷ୍ଟ କରିବାର କୌଣସି ପ୍ରକାରର ଅଧିକାର ନାହିଁ। ‘ମୋର ମଧ୍ୟ ପୂଜା କରିବାର ଅଧିକାର ଅଛି, କିନ୍ତୁ ପବିତ୍ରତାକୁ ନଷ୍ଟ କରିବା ପାଇଁ କୌଣସି ପ୍ରକାରର ଅଧିକାର ନାହିଁ। ମୁଁ ଏବେ କେନ୍ଦ୍ର କ୍ୟାବିନେଟରେ ଜଣେ ମନ୍ତ୍ରୀ ଥିବାରୁ ସୁପ୍ରିମ୍‌ କୋର୍ଟଙ୍କ ରାୟ ଉପରେ କୌଣସି ପ୍ରକାରର ମତ ମନ୍ତବ୍ୟ ଦେବାର କୌଣସି ଅଧିକାର ନାହିଁ। ତେବେ, ନିହାତି ସାଧାରଣ ଜ୍ଞାନ ଦୃଷ୍ଟିରୁ ମୁଁ ପଚାରିବାକୁ ଚାହୁଁଛି ଯେ ଋତୁସ୍ରାବରେ ରକ୍ତ ଭିଜା ସାନିଟାରି ନାପ୍‌କିନ୍‌କୁ ସଙ୍ଗରେ ନେଇ କ’ଣ ଆପଣ ଆପଣଙ୍କର କୌଣସି ବନ୍ଧୁ ଘରକୁ ଯାଇ ପାରିବେ? କାଦାପି ନୁହେଁ। ତେବେ ଭଗବାନଙ୍କ ଘରକୁ ଗଲାବେଳେ ଋତୁସ୍ରାବରେ ରକ୍ତ ଭିଜା ସାନିଟାରି ନାପ୍‌କିନ୍‌କୁ ସଙ୍ଗରେ ନେଇ ଯିବାଟା କ’ଣ ସମ୍ମାନଜନକ ହେବ’ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। ଶେଷରେ ଏହା ତାଙ୍କର ସଂପୂର୍ଣ୍ଣ ନିଜସ୍ୱ ଓ ବ୍ୟକ୍ତିଗତ ମତ ବୋଲି ସୁଦ୍ଧା କହିବାକୁ ଭୁଲି ନାହାନ୍ତି ସେ। ତେବେ, ଏହି ବିବାଦୀୟ ପ୍ରସଙ୍ଗ ଉପରେ ମନ୍ତ୍ରୀ ସ୍ମୃତି ଇରାନୀ ଏପରି କଟାକ୍ଷ ଓ ବିଦ୍ରୁପ ଭରା ମନ୍ତବ୍ୟକୁ ନେଇ ଏବେ ଦେଶ ବ୍ୟାପି ଆରମ୍ଭ ହୋଇଯାଇଛି ଚର୍ଚ୍ଚା।

କାରଣ, ସୁପ୍ରିମ୍‌ କୋର୍ଟର ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ଏକ ସାମ୍ବିଧାନିକ ଖଣ୍ଡପୀଠ ୪:୧ ବହୁମତରେ ଗତ ସେପ୍ଟେମ୍ବର ୨୮ ତାରିଖରେ କେରଳର ସବରିମାଲା ମନ୍ଦର ମଧ୍ୟକୁ ମାସିକ ଧର୍ମ ବଳବତ୍ତର ରହିଥିବା ୧୦ରୁ ୫୦ ବର୍ଷ ବୟସ୍କା ମହିଳାମାନଙ୍କୁ ପ୍ରବେଶାଧିକାର ପ୍ରଦାନ କରିବା ପରେ ଏହାକୁ କେନ୍ଦ୍ର କରି ଦେଶବ୍ୟାପି ପ୍ରତିକ୍ରିୟା ସୃଷ୍ଟି ହୋଇଛି। ସୁପ୍ରମ୍‌ କୋର୍ଟ ଖଣ୍ଡପୀଠଙ୍କ ଏହି ରାୟର ପୁନଃ ସମୀକ୍ଷା ପାଇଁ ଆଗତ ହୋଇଥିବା ୧୯ଟି ଯାଚିକା ବିଚାର ଅପେକ୍ଷାରେ ରହିଛି।

ସମ୍ବନ୍ଧିତ ଖବର