ଭାରତରେ ଥିଲେ ନୋବେଲ ପୁରସ୍କାର ପାଇପାରିନଥାନ୍ତି : ଅଭିଜିତ ବାନାର୍ଜୀ

ଜୟପୁର : ଭାରତରେ ଥିଲେ ନୋବେଲ ପୁରସ୍କାର ପାଇପାରିନଥାନ୍ତେ ବୋଲି କହିଛନ୍ତି ୨୦୧୯ରେ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଜିତିଥିବା ଅଭିଜିତ ବାନାର୍ଜୀ । ସେ କହିଛନ୍ତି ଯେ ବିଶ୍ୱସ୍ତରୀୟ ସଫଳତା ପାଇବା ଜଣେ ବ୍ୟକ୍ତି ପକ୍ଷରେ ସମ୍ଭବ ନୁହେଁ, ଏଥିପାଇଁ ଏକ ବ୍ୟବସ୍ଥା ଆବଶ୍ୟକ ।
ଜୟପୁର ସାହିତ୍ୟ ଉତ୍ସବ (ଜୟପୁର ଲିଟଫେଷ୍ଟ) ଅବସରରେ ସେ କହିଛନ୍ତି ଯେ ଏହା ନୁହେଁ ଯେ ଭାରତରେ ମେଧାବୀ ବ୍ୟକ୍ତି ନାହାନ୍ତି, କିନ୍ତୁ ସଫଳ ହେବା ପାଇଁ ଆବଶ୍ୟକ ଏକ ସହାୟକ ପରିବେଶ ନାହିଁ । ନିଜର ଏହି ମନ୍ତବ୍ୟକୁ ବୁଝାଇବାକୁ ଯାଇ ସେ କହିଛନ୍ତି ଯେ ତାଙ୍କ ସଫଳତା ପଛରେ କେବଳ ତାଙ୍କ ନିଜର ପରିଶ୍ରମ ନୁହେଁ, ଅନ୍ୟ କେତେକ ଲୋକଙ୍କ ପରିଶ୍ରମ ମଧ୍ୟ ରହିଛି । ସେହି ଲୋକମାନଙ୍କ ସହାୟତା ବିନା ସେ ସଫଳତା ପାଇପାରିନଥାନ୍ତେ ।
ମୁମ୍ବାଇରେ ଜନ୍ମଲାଭ କରିଥିବା ଅଭିଜିତ କୋଲକତା ବିଶ୍ୱବିଦ୍ୟାଳୟ ଓ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ । ଏହା ପରେ ସେ ହାର୍ଭାର୍ଡରୁ ପିଏଚଡି ହାସଲ କରିଥିଲେ । ଏବେ ସେ ଆମେରିକାର ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକନଲୋଜୀ (ଏମଆଇଟି)ରେ ଅର୍ଥନୀତି ବିଭାଗର ପ୍ରଫେସର ଅଛନ୍ତି । ଅଭିଜିତ ପୂର୍ବରୁ ମଧ୍ୟ କେତେକ ପ୍ରସଙ୍ଗରେ ଭାରତ ସରକାରଙ୍କ ନୀତିକୁ ସମାଲୋଚନା କରିଥିଲେ ।

ସମ୍ବନ୍ଧିତ ଖବର