ନୂଆଦିଲ୍ଲୀ: ୨୦୧୬ରେ ବଙ୍ଗୋପସାଗରରେ ନିଖୋଜ ହୋଇଥିବା ଭାରତୀୟ ବାୟୁସେନାର ଏଏନ୍-୩୨ ବିମାନର ଭଗ୍ନାବଶେଷ ଚେନ୍ନାଇ ଉପକୂଳଠାରୁ ୩୧୦ କିଲୋମିଟର ଦୂରରେ ଠାବ ହୋଇଛି। ପ୍ରାୟ ୮ ବର୍ଷ ତଳେ ନିଖୋଜ ହୋଇଥିବା ଏହି ବିମାନରେ ୨୯ ଜଣ ଯବାନ ଥିଲେ। ଭଗ୍ନାବଶେଷର ଫଟୋ ଯାଞ୍ଚ କରାଯିବା ପରେ ଏହା ଏକ ଏଏନ୍-୩୨ ବିମାନ ସହ ମେଳ ଖାଉଥିବା ଜଣାପଡ଼ିଥିଲା। ସମ୍ଭାବ୍ୟ ଦୁର୍ଘଟଣାସ୍ଥଳରୁ ଏହା ମିଳିବା ଏବଂ ସେହି ଅଞ୍ଚଳରେ ଅନ୍ୟ କୌଣସି ନିଖୋଜ ବିମାନର ଇତିହାସ ନଥିବାରୁ ଏହା ଦୁର୍ଘଟଣାଗ୍ରସ୍ତ ବାୟୁସେନା ଏଏନ-୩୨ (କେ -୨୭୪୩)ର ଭଗ୍ନାବଶେଷ ବୋଲି ସ୍ପଷ୍ଟ ହୋଇଛି।
୨୦୧୬ ଜୁଲାଇ ୨୨ ତାରିଖ ସକାଳେ ଚେନ୍ନାଇର ତାମ୍ବାରାମ ବାୟୁସେନା ଷ୍ଟେସନରୁ ବାୟୁସେନାର ଆଣ୍ଟୋନୋଭ ଏଏନ୍-୩୨ ବିମାନ ଉଡ଼ାଣ ଭରିଥିଲା। ପୋର୍ଟ ବ୍ଲେୟାରକୁ ସାପ୍ତାହିକ ଭ୍ରମଣରେ ଯାଉଥିବା ଏହି ପରିବହନ ବିମାନରେ କର୍ମଚାରୀଙ୍କ ସମେତ ୨୯ ଜଣ ଥିଲେ। ସକାଳ ୮ଟାରେ ଉଡ଼ାଣ ଆରମ୍ଭ କରିଥିବା ବିମାନ ବଙ୍ଗୋପସାଗର ଉପରେ ରାଡାରରୁ ଅଦୃଶ୍ୟ ହୋଇଯାଇଥିଲା। ସେପ୍ଟେମ୍ବର ୧୫, ୨୦୧୬ରେ ବାୟୁସେନା ଏହି ବିମାନରେ ଯାତ୍ରା କରୁଥିବା ସମସ୍ତ ସଦସ୍ୟଙ୍କୁ ମୃତ ବୋଲି ଧରିନେବାକୁ ସେମାନଙ୍କ ପରିବାର ଲୋକଙ୍କୁ ଅବଗତ କରିଥିଲା।