ନୂଆଦିଲ୍ଲୀ: ଛତ୍ରସାଲ ଷ୍ଟାଡିୟମ୍ ବିବାଦ ମାମଲାରେ ଦୁଇ ଥର ଅଲିମ୍ପିକ୍ ପଦକ ବିଜେତା କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ନିୟମିତ ଜାମିନ ପ୍ରଦାନ କରିଛନ୍ତି। ସୁଶୀଲ କୁମାରଙ୍କ ନେତୃତ୍ବରେ ୨୦୨୧ରେ ଛତ୍ରସାଲ ଷ୍ଟାଡିୟମ୍ରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଯୁବ କୁସ୍ତିଯୋଦ୍ଧା ସାଗର ଧଙ୍କଡ଼ଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାରେ ସୁଶୀଲଙ୍କୁ ୨୦୨୧ ମେ’ ମାସରେ ଗିରଫ କରାଯାଇଥିଲା। ତାଙ୍କ ଆଣ୍ଠୁ ଅସ୍ତ୍ରୋପଚାର ଲାଗି ଜୁଲାଇ ୨୦୨୩ରେ ତାଙ୍କୁ ୭ ଦିନିଆ ଅନ୍ତରୀଣ ଜାମିନ ମିଳିଥିଲା। ଏହି ମାମଲାରେ ସୁଶୀଲ ସର୍ବଦା ନିର୍ଦୋଷ ଏବଂ ଫସାଇ ଦିଆଯାଇଛି ବୋଲି କହି ଆସୁଛନ୍ତି। ସୁଶୀଲ ମଧ୍ୟ ବହୁଦିନ ହେବ ଜେଲ୍ରେ ରହିବା ସହ ତାଙ୍କ ବିରୋଧରେ ହତ୍ୟାକାଣ୍ଡର୍ ସିଧାସଳଖ କିଛି ପ୍ରମାଣ ଏ ପର୍ଯ୍ୟନ୍ତ ମିଳିନି। ଶୁଣାଣି ପରେ ସୁଶୀଲଙ୍କ ଓକିଲ ଆର୍ ମଲ୍ଲିକ କହିଛନ୍ତି ‘‘ବହୁତ ବିଳମ୍ବ ହୋଇଛି। ସେ ସାଢ଼େ ୩ ବର୍ଷ ଜେଲ୍ରେ ରହିଲେଣି। ସମସ୍ତ ସାକ୍ଷୀଙ୍କ ଜେରା ସରିଗଲାଣି। ଏପର୍ଯ୍ୟନ୍ତ କୌଣସି ପ୍ରମାଣ ତାଙ୍କ ବିରୋଧରେ ନାହିଁ। ଜାମିନ ପାଇଁ ଏହା କାରଣ ବୋଲି ଅନୁଭବ କରି କୋର୍ଟ ଆଜି ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏପର୍ଯ୍ୟନ୍ତ ୩୧ ଜଣ ସାକ୍ଷୀଙ୍କ ଜେରା ଶେଷ ହୋଇସାରିଛି’’। ଜାମିନ ଲାଗି ସୁଶୀଲଙ୍କୁ ୫୦୦୦୦ ଟଙ୍କାର ବେଲ୍ବଣ୍ଡ୍ ଏବଂ ଏହି ସମାନ ରାଶିର ଦୁଇ ଜଣ ଜାମିନଦାର ଦାଖଲ କରିବାକୁ ଜଷ୍ଟିସ୍ ସଂଜୀବ ନରୁଲା ନିର୍ଦେଶ ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, କନିଷ୍ଠ ଜାତୀୟ ବିଜେତା ଧଙ୍କଡ଼ଙ୍କୁ ଜମିଜମା ବିବାଦରେ ନେଇ ସୁଶୀଲ ଓ ଅନ୍ୟ ଅଭିଯୁକ୍ତମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଧଙ୍କଡ଼ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା, ଯାହାଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାର ୧୮ ଦିନ ପରେ ଦିଲ୍ଲୀର ମୁଣ୍ଡକା ଅଞ୍ଚଳରୁ ତାଙ୍କୁ ପୁଲିସ ଗିରଫ କରିଥିଲା। ଏହା ପୂର୍ବରୁ ଗିରଫ ଏଡ଼ାଇବାକୁ ବିଭିନ୍ନ ରାଜ୍ୟ ବୁଲିଥିଲେ। ଗିରଫ ଯୋଗୁଁ ରେଲୱେ ତାଙ୍କୁ ଚାକିରିରୁ ନିଲମ୍ବନ କରିଥିଲା। ଅକ୍ଟୋବର ୨୦୨୨ରେ ଟ୍ରାଏଲ୍ କୋର୍ଟରେ ସୁଶୀଲଙ୍କ ସହ ୧୭ ଜଣଙ୍କ ବିରୋଧରେ ହତ୍ୟା, ଦଙ୍ଗା, ଷଢ଼ଯନ୍ତ୍ର ନେଇ ଅଭିଯୋଗ ଦଖଲ କରାଯାଇଥିଲା। ଏଥିରେ ଦିଲ୍ଲୀ ପୁଲିସ ସୁଶୀଲଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଥିଲା। ସୂଚନାଯୋଗ୍ୟ ଯେ ସୁଶୀଲ ୨୦୦୮ ବେଜିଂ ଅଲିମ୍ପିକ୍ରେ କାଂସ୍ୟ ଏବଂ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ରୌପ୍ୟ ଜିତିଥିଲେ।