ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟର ଖାପ ପଞ୍ଚାୟତ, କୃଷକ ତଥା ଜନ୍ତର ମନ୍ତରରେ ବିରୋଧ କରୁଥିବା କୁସ୍ତିଯୋଦ୍ଧାମାନେ ରବିବାର ସଂସଦ ଭବନ ନିକଟରେ ଏକ ‘ମହିଳା ସମ୍ମାନ ମହାପଞ୍ଚାୟତ’ ପାଇଁ ଡାକରା ଦେଇଥିଲେ। ନୂତନ ସଂସଦ ଭବନ ଅଭିମୁଖେ ମାଡ଼ିଯାଉଥିବା ବିରୋଧୀ କୁସ୍ତିଯୋଦ୍ଧାମାନଙ୍କୁ ଜନ୍ତର ମନ୍ତରରେ ଅଟକ ରଖାଯାଇଛି ଏବଂ ପ୍ରତିବାଦସ୍ଥଳରୁ ଲୋକଙ୍କୁ ହଟାଇ ଦିଆଯାଇଛି। ପୁଲିସ ଜନ୍ତର ମନ୍ତରରୁ ତମ୍ବୁ ହଟାଇ ବିରୋଧ ସ୍ଥାନକୁ ସଫା କରିଦେଇଛି। ସଂସଦ ଭବନ ଆଡକୁ ଯାଉଥିବା ବେଳେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ସୁରକ୍ଷା କର୍ମୀମାନେ ଅଟକ ରଖିଥିଲେ। ରାସ୍ତାରେ ଯିବା ସେମାନଙ୍କର ଅଧିକାର ବୋଲି କହିବା ସହ ବିକ୍ଷୋଭକାରୀମାନେ ଏହାକୁ ସେମାନଙ୍କ ‘ଶାନ୍ତିପୂର୍ଣ୍ଣ’ ପଦଯାତ୍ରା ଥିଲା ବୋଲି କହିଛନ୍ତି। କୁସ୍ତିଯୋଦ୍ଧାଙ୍କ ଦ୍ବାରା ଡାକରା ଦିଆଯାଇଥିବା ‘ମହିଳା ସମ୍ମାନ ମହାପଞ୍ଚାୟତ’ ପାଇଁ ନୂତନ ସଂସଦ ଭବନ ଆଡକୁ ଯାଉଥିବା ପ୍ରଦର୍ଶନକାରୀଙ୍କୁ ପୋଲିସ ଅଟକ ରଖିଥିଲା। ବିକ୍ଷୋଭକାରୀ କୁସ୍ତିଯୋଦ୍ଧାମାନେ ନୂତନ ସଂସଦ ଭବନ ଆଡ଼କୁ ଯିବା ପାଇଁ ଜନ୍ତର ମନ୍ତରରେ ପୋଲିସ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢ଼ୁଥିବା ସମୟରେ ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା।

Advertisment

ପ୍ରତିବାଦ ସ୍ଥଳରୁ ଲୋକଙ୍କୁ ହଟାଗଲା
ତମ୍ବୁ ଉପାଡ଼ି ଦେଲା ପୁଲିସ
ବଡ଼ ଆନ୍ଦୋଳନ ପାଇଁ ଚେତାବନୀ
ବିରୋଧୀ ଦଳ ନେତାଙ୍କ ନିନ୍ଦା

ପୁଲିସ ଓ କୁସ୍ତିଯୋଦ୍ଧାଙ୍କ ଭିତରେ ସଂଘର୍ଷର ଏକ ଭିଡିଓ ପ୍ରଦଶିତ ହୋଇଛି। ଗୋଟିଏ ଭିଡିଓରେ କିଛି ମହିଳା ପୁଲିସ୍ କର୍ମଚାରୀ ଜଣେ ମହିଳାଙ୍କୁ ବିକ୍ଷୋଭ ସ୍ଥାନରୁ ଟାଣି ନେଉଥିବାର ଦେଖିବାକୁ ମିଳିଛି। କୁସ୍ତିଯୋଦ୍ଧା ସାକ୍ଷୀ ମଲିକଙ୍କ ଦ୍ୱାରା ସେୟାର କରାଯାଇଥିବା ଏକ ଭିଡିଓରେ ପୁଲିସ ଦ୍ବାରା ଟଣାଓଟରା‌ରେ କିଛି ମହିଳା କୁସ୍ତିଯୋଦ୍ଧା ତଳେ ପଡ଼ିଯାଇଥିବା ଦେଖିବାକୁ ମିଳିଛି। ଭିଡିଓର କ୍ୟାପସନରେ ଲେଖାଅଛି ‘ଆମର ଚାମ୍ପିଅନମାନଙ୍କୁ ଏହିପରି ବ୍ୟବହାର କରାଯାଉଛି, ବିଶ୍ବ ଆମକୁ ଦେଖୁଛି! ସାକ୍ଷୀ ମଲିକ ଗଣମାଧ୍ୟମକୁ କହିଛନ୍ତି ଯେ ସରକାରଙ୍କ ଏହି ଦମନ ନୀତି ବିରୋଧରେ ଆନ୍ଦୋଳନ ବ୍ୟାପକ ହେବ ଏବଂ ଆମେ ପୁଣି ଜନ୍ତର ମନ୍ତରକୁ ଫେରିବୁ।

ଦିଲ୍ଲୀ ମହିଳା କମସନ ମୁଖ୍ୟ ସ୍ବାତୀ ମାଲିୱାଲ ଏହାକୁ ନିନ୍ଦା କରି କହିଛନ୍ତି, ଏହି ମହିଳାମାନେ ବିଦେଶୀ ମାଟିରେ ତ୍ରିରଙ୍ଗା ଉଡ଼ାଇଥିଲେ, ଆଜି ଏମାନଙ୍କୁ ଏହିପରି ଘୋଷାଡ଼ି ନେଉଛନ୍ତି ଏବଂ ରାସ୍ତା ଉପରେ ତ୍ରିରଙ୍ଗାର ଅପମାନ କରାଯାଉଛି। ପୁଲିସ ଦ୍ୱାରା ବନ୍ଦୀ ଥିବା ଆମ ଲୋକଙ୍କୁ ମୁକ୍ତ କରିବାକୁ ଆମେ ପ୍ରଶାସନକୁ ନିବେଦନ କରୁଛୁ ବୋଲି କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ କହିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ କୁସ୍ତିଯୋଦ୍ଧାଙ୍କୁ ଅଟକ ରଖାଯିବା ଘଟଣାର ନିନ୍ଦା କରିଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା କହିଛନ୍ତି, ଯେଉଠିଁ ଆନ୍ଦୋଳନରତ କୁସ୍ତିଯୋଦ୍ଧାଙ୍କୁ ନ୍ୟାୟ ମିଳିପାରୁନାହିଁ ସେଠି ନୂଆ ସଂସଦ ଭବନର ଆବଶ୍ୟକତା କ’ଣ ରହିଛି ? କୁସ୍ତିଯୋଦ୍ଧାଙ୍କ ଦାବି ନ୍ୟାୟସଙ୍ଗତ ଏବଂ ଏହାକୁ ଭାରତୀୟ ଭାବେ ସମର୍ଥନ କରିବା ଆମର ଦାୟିତ୍ବ ବୋଲି ସିଦ୍ଧରମେୟା କହିଛନ୍ତି। ନ୍ୟାୟ ଦାବି କରୁଥିବା କୁସ୍ତିଯୋଦ୍ଧାଙ୍କୁ ଅଟକ ରଖିବା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ସେ କହିଛନ୍ତି।