ନୂଆଦିଲ୍ଲୀ: ଯନ୍ତର ମନ୍ତରରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ଜାରି ରହିଛି। ଦ୍ବିତୀୟ ପର୍ଯ୍ୟାୟର ଏହି ଆନ୍ଦୋଳନକୁ ରବିବାର ଦୁଇ ସପ୍ତାହ ପୂରିଛି। ହେଲେ ଏପର୍ଯ୍ୟନ୍ତ ଦୋଷୀକୁ ଦଣ୍ଡ ମିଳିନାହିଁ। କୁସ୍ତିଯୋଦ୍ଧା ଭାରତୀୟ କୁସ୍ତି ସଂଘ (ଡବଲ୍ୟୁଏଫ୍ଆଇ) ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ସଙ୍ଗୀନ ଆରୋପ ଆଣିବା ପରେ ପ୍ରଥମେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା।
ଏନେଇ କୁସ୍ତିଯୋଦ୍ଧାମାନେ କୋର୍ଟର ଦ୍ବାରସ୍ଥ ହେବା ପରେ ବ୍ରିଜଭୂଷଣଙ୍କ ବିରୋଧରେ ଏତଲା ରୁଜୁ ହୋଇଥିଲେ ବି ତାଙ୍କୁ ଗିରଫ କରାଯାଇନାହିଁ। ୨ସପ୍ତାହ ହେଲାଣି କେହି ଦାବି ପୂରଣ କରୁନଥିବାରୁ ଆଜି କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି ଚାଷୀ।କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରିବା ପାଇଁ ଯନ୍ତର ମନ୍ତରରେ କୃଷକ ସଂଗଠନ ଏବଂ ଖାପ ପଞ୍ଚାୟତ ପହଞ୍ଚିଥିବା ବେଳେ ଆଜି ସରକାରଙ୍କ ୧୫ଦିନର ଅଲଟିମେଟମ ଦିଆଯାଇଛି। ଏଥିରେ କୁହାଯାଇଛି ଯେ ଯଦି ବ୍ରିଜଭୂଷଣ ଶରଣ ସିଂଙ୍କୁ ୧୫ଦିନ ମଧ୍ୟରେ ଗିରଫ କରାଯାଏ ନାହିଁ, ତେବେ ଏକ ବଡ ନିଷ୍ପତ୍ତି ନିଆଯିବ।
ରବିବାର ସନ୍ଧ୍ୟା ପ୍ରାୟ ୪.୩୦ ସମୟରେ ଏକ ସାମ୍ବାଦିକ ସମ୍ମିଳନୀ କରୁଥିବାବେଳେ କୃଷକ ନେତା ରାକେଶ ଟିକାୟତ କହିଛନ୍ତି ଯେ କୁସ୍ତିଯୋଦ୍ଧାମାନେ ସେମାନଙ୍କ ସଂଗ୍ରାମ ଜାରି ରଖିବା ଉଚିତ୍। ସଂଯୁକ୍ତ କିସାନ୍ ମୋର୍ଚ୍ଚା ଏବଂ ଖାପ୍ ପଞ୍ଚାୟତ ବ୍ରିଜଭୂଷଣଙ୍କୁ ଗିରଫ କରାଯିବାକୁ ଦାବି କରିଛନ୍ତି। ଯଦି ବ୍ରିଜଭୂଷଣଙ୍କୁ ମେ’ ୨୧ସୁଦ୍ଧା ଗିରଫ ନକରାଯାଏ, ତେବେ ଏକ ବଡ ନିଷ୍ପତ୍ତି ନିଆଯିବ। ଖେଳାଳିଙ୍କ ଅପମାନକୁ ବରଦାସ୍ତ କରାଯିବ ନାହିଁ। ଏହି କୁସ୍ତିଯୋଦ୍ଧାମାନେ ଦେଶର ସମ୍ପତ୍ତି। କୁସ୍ତିଯୋଦ୍ଧାମାନେ ମେ’ ୨୧ପର୍ଯ୍ୟନ୍ତ ଯନ୍ତର ମନ୍ତରରେ ରହିବେ, ଏଠାରେ ଅଭ୍ୟାସ କରିବେ ଏବଂ ଆନ୍ଦୋଳନ ଜାରି ରଖିବେ।