ନୂଆଦିଲ୍ଲୀ: ଡବ୍ଲୁଏଫ୍ଆଇ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂ ଏବଂ କୁସ୍ତିଯୋଦ୍ଧାମାନଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏତଲା ପରେ ବି ବ୍ରିଜଭୂଷଣକୁ ଗିରଫ କରାଯାଇନଥିବାରୁ ନିରାଶ ହୋଇଛନ୍ତି କୁସ୍ତିଯୋଦ୍ଧା। ଏନେଇ ତାଙ୍କ ମନୋବଳ ବଢ଼ାଇବାକୁ ଯାଉଥିବା ବେଳେ ଗୀତା ଫୋଗାଟଙ୍କୁ ହେପାଜତକୁ ନେଇଛି ପୁଲିସ। ଜନ୍ତର ମନ୍ତରରେ କୁସ୍ତିଯୋଦ୍ଧାମାନେ ଧାରଣାରେ ବସିଥିବା ବେଳେ ଗୀତା ଫୋଗାଟ ଏବଂ ତାଙ୍କ ସ୍ୱାମୀ ପୱନ ସରୋହା ସେଠାକୁ ଯାଉଥିଲେ। ଏହି ସମୟରେ  ସିଙ୍ଘୁ ସୀମାରେ ପୁଲିସ ତାଙ୍କୁ ହେପାଜତକୁ ନେଇଥିବା ଜଣାପଡ଼ିଛି। ଏନେଇ ଗୀତା ଟ୍ବିଟ କରି ଜଣାଇଛନ୍ତି।

Advertisment

ଭାରତୀୟ କୁସ୍ତି ସଂଘର ସଭାପତି ବ୍ରଜଭୁଷଣ ସିଂହଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ କରି ଆଜକୁ ୧୧ ଦିନ ଧରି ଜନ୍ତରମନ୍ତରଠାରେ ଚାଲିଥିବା ଧାରଣାସ୍ଥଳରେ ବୁଧବାର ମଧ୍ୟ ରାତ୍ରିରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଧାରଣାରତ କୁସ୍ତି ଯୋଦ୍ଧାଙ୍କ ସହିତ ପୁଲିସ ମୁହାଁମୁହିଁ ହୋଇଥିଲା। କୁସ୍ତି ଯୋଦ୍ଧାମାନେ ଅଭିଯୋଗ କରିଥିଲେ ଯେ, ପୁଲିସ ସେମାନଙ୍କୁ ଗାଳିଗୁଲଜ କରି ଆକ୍ରମଣ କରିଥିଲା। ଏହି ଘଟଣା ପରେ ବିନେଶ ଫୋଗାଟ୍ ଘୋଷଣା କରିଛନ୍ତି ଯେ କୁସ୍ତିଯୋଦ୍ଧାମାନେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଜିତିଥିବା ସମସ୍ତ ପଦକ ଫେରାଇ ଦେବେ।

ଏ ସଂକାନ୍ତରେ ଗଣମାଧ୍ୟମକୁ ସୂଚନା ଦେଇ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ କହିଛନ୍ତି ଯେ, ସମଗ୍ର ଦେଶରେ ଏହା ବିରୋଧରେ ସ୍ବର ଉତ୍ତୋଳନ ହେବା ଆବଶ୍ୟକ। ପୁଲିସ ବଳପୂର୍ବକ ମହିଳାଙ୍କୁ ଅସଦାଚରଣ କରୁଥିବାବେଳେ ବିଜ୍ରଭୂଷଣଙ୍କୁ ସୁରକ୍ଷା ଦେବାରେ ଲାଗିଛି। ଏ ସଂକ୍ରାନ୍ତରେ ବ୍ରିଜ ଭୂଷଣ କହିଛନ୍ତି ଯେ, ଏହା ତାଙ୍କ ବିରୋଧରେ ଏକ ରୀତିମତ ଷଡଯନ୍ତ୍ର।