ମୃତ୍ୟୁର ଅଧିକାର ପାଇଁ ସଂଘର୍ଷ

ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ଘଟଣାକ୍ରମ

ନୂଆଦିଲ୍ଲୀ: ଇଚ୍ଛାମୃତ୍ୟୁକୁ ନେଇ ଆଜି ସୁପ୍ରିମ୍‌ କୋର୍ଟଙ୍କ ଐତିହାସିକ ରାୟ ମୃତ୍ୟୁର ଅଧିକାର ପାଇଁ ସଂଘର୍ଷ କରୁଥିବା ଲୋକଙ୍କୁ ଆଶ୍ୱସ୍ତ କରିଛି। ସ୍ୱାଭିମାନର ସହ ବଞ୍ଚିବା ଓ ମରିବାର ଅଧିକାର ଭିତରେ ରହିଥିବା ଆଇନଗତ ଜଟିଳତାକୁ ଦୂର କରିବା ପାଇଁ ଏହି ନିର୍ଣ୍ଣାୟକ ରାୟ ଅତ୍ୟନ୍ତ ଉପଯୋଗୀ ହେବ। ଭାରତରେ ଇଚ୍ଛାମୃତ୍ୟୁର ଅଧିକାରକୁ ସମ୍ମାନ ଦେବାପାଇଁ ଚାଲିଥିବା ଲଢ଼େଇ ୨୦୦୫ ମସିହାରେ ପ୍ରଭାବଶାଳୀ ଢଙ୍ଗରେ ସାମ୍ନାକୁ ଆସିଥିଲା। ଏ ବାବଦରେ ଦୀର୍ଘ ବର୍ଷ ନ୍ୟାୟିକ କସରତ ପରେ ଆଜି ସୁପ୍ରିମ୍‌ କୋର୍ଟ ତାଙ୍କ ରାୟରେ ଇଚ୍ଛାମୃତ୍ୟୁକୁ ମଂଜୁରି ଦେଇଛନ୍ତି।

୧୧ ମେ, ୨୦୦୫: ସୁପ୍ରିମ୍‌ କୋର୍ଟ ଦୁଃସାଧ୍ୟ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ନିଷ୍କ୍ରିୟ ଅବସ୍ଥାରେ ଇଚ୍ଛାମୃତ୍ୟୁ ଦେବାପାଇଁ ଅନୁମତି ଦେବାକୁ ବେସରକାରୀ ସଂଗଠନ କମନ୍‌ କଜ୍‌ର ଆବେଦନକୁ ବିଚାର ପାଇଁ ଗ୍ରହଣ କରିଥିଲେ। ସମ୍ମାନର ସହିତ ମୃତ୍ୟୁର ଅଧିକାରକୁ ସମ୍ବିଧାନର ଧାରା ୨୧ ଅଧୀନରେ ମୌଳିକ ଅଧିକାର ଭାବେ ଘୋଷଣା କରିବା ପାଇଁ ଅନୁରୋଧ ଉପରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌ କୋର୍ଟ ଜବାବ ମାଗିଥିଲେ। ଏହାପରେ କେନ୍ଦ୍ର ସରକାର ବିଭିନ୍ନ ବିଶେଷଜ୍ଞଙ୍କ ପରାମର୍ଶ ଲୋଡ଼ିବା ସହ ବିଶ୍ୱ ଦୃଶ୍ୟପଟ୍ଟରେ ଏ ବାବଦ ସ୍ଥିତି ଅନୁଧ୍ୟାନ କରିଥିଲେ।

୧୬ ଜାନୁଆରି, ୨୦୦୬: ନ୍ୟାୟାଳୟ ଏହି ପ୍ରସଙ୍ଗରେ ଦିଲ୍ଲୀ ଚିକିତ୍ସା ପରିଷଦ (ଡିଏମ୍‌ସି)କୁ ହସ୍ତକ୍ଷେପ କରିବା ପାଇଁ ଅନୁମତି ଦେଇଥିଲେ ଏବଂ ନିଷ୍କ୍ରିୟ ଅବସ୍ଥାରେ ଇଚ୍ଛା ମୃତ୍ୟୁ ଉପରେ ଦିଲ୍ଲ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

୨୮ ଏପ୍ରିଲ, ୨୦୦୬: ଆଇନ କମିସନ ନିଷ୍କ୍ରିୟ ଅବସ୍ଥାରେ ଇଚ୍ଛାମୃତ୍ୟୁ ବାବଦରେ ଏକ ବିଲ୍‌ ପ୍ରସ୍ତୁତ କରିବାକୁ ପରମର୍ଶ ଦେଇଥିଲେ । ଉଚ୍ଚ ନ୍ୟାୟଳୟରେ ଏ ବାବଦରେ ଦାଏର ହୋଇଥିବା ଆବେଦନଗୁଡ଼ିକ ଉପରେ ବିଶେଷଜ୍ଞଙ୍କ ପରାମର୍ଶ ଆଧାରରେ ହିଁ ନିଷ୍ପତ୍ତି ନେବାକୁ କହିଥିଲେ।

୩୧ ଜାନୁଆରୀ ୨୦୦୭: ଇଚ୍ଛାମୃତ୍ୟୁ ମାମଲାରେ ସମସ୍ତ ପକ୍ଷଙ୍କୁ ଦସ୍ତାବିଜ ଦାଖଲ କରିବାକୁ ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

୭, ମାର୍ଚ୍ଚ ୨୦୧୧: ଅରୁଣା ସାନବାଗଙ୍କ ପକ୍ଷରୁ ଦାଏର ହୋଇଥିବା ଅନ୍ୟ ଆବେଦନ ଉପରେ ନ୍ୟାୟାଳୟ ମୁମ୍ବାଇର ଏକ ହସ୍ପିଟାଲରେ ସଂପୂର୍ଣ୍ଣ ନିଷ୍କ୍ରିୟ ଅବସ୍ଥାରେ ରହିଥିବା ନର୍ସଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେଇଥିଲେ।

୨୩ ଜାନୁଆରି, ୨୦୧୪: ଭାରତର ତତ୍କାଳୀନ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ୩ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି ଆରମ୍ଭ କରିଥିଲେ।

୧୧ ଫେବ୍ରୁଆରି ୨୦୧୪: ଡିଏମ୍‌ସି ଭାରତରେ ନିଷ୍କ୍ରିୟ ଅବସ୍ଥାରେ ଇଚ୍ଛା ମୃତ୍ୟୁ ଉପରେ ନୀତିଗତ ବୟାନ ସଂପର୍କିତ ଚିଠା ପ୍ରସ୍ତୁତ କରିବା ସହ ଏ ବାବଦରେ ଅନ୍ତର୍ଜାତୀୟ କର୍ମଶାଳାରେ ନିଆଯାଇଥିବା ପ୍ରସ୍ତାବ ଓ ଦଲିଲ ନ୍ୟାୟାଳୟକୁ ପ୍ରଦାନ କରିଥିଲେ। ନ୍ୟାୟାଳୟ ଏହି ମାମଲାରେ ରାୟ ସଂରକ୍ଷିତ ରଖିଥିଲେ।

୨୫ ଫେବ୍ରୁଆରି ୨୦୧୪: ଏହି ମାମଲାରେ ବିରୋଧାଭାଷକୁ ଦେଖି ସୁପ୍ରିମ୍‌ କୋର୍ଟଙ୍କ ସମ୍ବିଧାନ ପୀଠକୁ ମାମଲା ଶୁଣାଣି ପାଇଁ ଯାଇଥିଲା ୧୫ ଜୁଲାଇ, ୨୦୧୪: ସୁପ୍ରିମ୍‌ କୋର୍ଟର ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ସମ୍ବିଧାନ ପୀଠ ଏ ସଂକ୍ରାନ୍ତ ଆବେଦନର ଶୁଣାଣି କରିଥିଲେ। ଏ ବାବଦରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳକୁ ନୋଟିସ୍‌ ଜାରି କରି ଏ ବାବଦ ଦଲିଲ ଉପସ୍ଥାପନ କରିବାକୁ କହିଥିଲେ।

୧୧ ଅକ୍ଟୋବର, ୨୦୧୭: ଭାରତର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ସମ୍ବିଧାନ ପୀଠ ଏ ବାବଦ ସମସ୍ତ ଦଲିଲ ଶୁଣିଥିଲେ ଏବଂ ରାୟ ସଂରକ୍ଷିତ ରଖିଥିଲେ। ୯ ମାର୍ଚ୍ଚ, ୨୦୧୭: ନିଷ୍କ୍ରିୟ ଅବସ୍ଥାରେ ଇଛା ମୃତ୍ୟୁକୁ ସୁପ୍ରିମ୍‌ କୋର୍ଟଙ୍କ ଅନୁମତି ପ୍ରଦାନ ।

ଦଲିଲ୍‌ରେ କ’ଣ ରହିବ

କେଉଁ ପରିସ୍ଥିତିରେ ଡାକ୍ତରୀ ଚିକିତ୍ସା ବନ୍ଦ କରିବାକୁ ବା ହଟାଇନେବାକୁ ନିଷ୍ପତ୍ତି ନିଆଯାଇଛି, ସେ ସମ୍ପର୍କରେ ସଂପୃକ୍ତ ରୋଗୀ ଦଲିଲ୍‌ରେ ଉଲ୍ଲେଖ କରିବେ। ଯଦି କିଛି ସର୍ତ୍ତ ବା ନିର୍ଦ୍ଦିଷ୍ଟ ଅନୁଦେଶ ରହିଥାଏ, ତାହା ସେଥିରେ ସ୍ପଷ୍ଟ ଭାବେ ଦର୍ଶାଯିବା ଜରୁରୀ। ଏଥି ସହିତ ଏହାକୁ କାର୍ଯ୍ୟାନ୍ଵୟନ କରିବାକୁ ଥିବା ବ୍ୟକ୍ତି ମଧ୍ୟ ଯେ କୌଣସି ସମୟରେ ସଂପୃକ୍ତ ଅନୁଦେଶକୁ ହଟାଇନେଇପାରିବେ ବୋଲି ଏକ ଧାରା ଉକ୍ତ ଦଲିଲ୍‌ରେ ରହିବା ବାଞ୍ଛନୀୟ। ଏହା କାର୍ଯ୍ୟକାରୀ କରିବାର ପରିଣାମ ବିଷୟରେ ରୋଗୀଟି ଅବଗତ ଅଛି ବୋଲି ସେଥିରେ ଦର୍ଶାଯିବ। ତେବେ ରୋଗୀଟି ଏ ସଂକ୍ରାନ୍ତ ନିଷ୍ପତ୍ତି ନେବାକୁ ଅସମର୍ଥ ଥିଲେ ଜଣେ ଅଭିଭାବକ ବା ସମ୍ପର୍କୀୟଙ୍କ ନାମ ସେଥିରେ ଉଲ୍ଲେଖ ରହିବ ଯିଏ କି ଏହା କାର୍ଯ୍ୟକାରୀ କରିବା ପାଇଁ କ୍ଷମତାପ୍ରାପ୍ତ ରହିବେ।

ସମ୍ବନ୍ଧିତ ଖବର