ନୂଆଦିଲ୍ଲୀ: ଭାରତ ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ‘ରାଇଟିଙ୍ଗ୍ ଓ୍ଵିଥ୍ ଫାୟାର୍’କୁ ଓସ୍କାର ପୁରସ୍କାର ୨୦୨୨ ପାଇଁ ଚୂଡ଼ାନ୍ତ ମନୋନୟନ ତାଲିକାରେ ସାମିଲ କରାଯାଇଛି। ପ୍ରକାଶିତ ଖବର ଅନୁସାରେ, ଓସ୍କାର ପୁରସ୍କାରର ୯୪ତମ ସଂସ୍କରଣର ଚୂଡ଼ାନ୍ତ ତାଲିକାରେ ଏହି ଡକ୍ୟୁମେଣ୍ଟାରିକୁ ‘ବେଷ୍ଟ ଡକ୍ୟୁମେଣ୍ଟାରି ଫିଚର୍’ ବିଭାଗରେ ସ୍ଥାନ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମଙ୍ଗଳବାର ସଂଧ୍ୟାରେ ଏକାଡେମି ଅଫ୍ ମୋସନ୍ ପିକ୍ଚର୍ସର ଟ୍ଵିଟର୍ ପୃଷ୍ଠାରେ ମନୋନୀତ ଚଳଚ୍ଚିତ୍ରର ତାଲିକା ଘୋଷଣା କରାଯାଇଛି। ଟ୍ରେସି ଏଲିସ୍ ରସ୍ ଓ ଲେସ୍ଲି ଜର୍ଡାନ୍ ଏହି ଘୋଷଣା କରିଛନ୍ତି। ‘ରାଇଟିଙ୍ଗ୍ ଓ୍ଵିଥ୍ ଫାୟାର୍’ର ନିର୍ଦ୍ଦେଶନା ଦେଇଛନ୍ତି ରିଣ୍ଟୁ ଥୋମାସ୍ ଓ ସୁସ୍ମିତ ଘୋଷ । ସବୁଠୁ ବଡ କଥା ହେଉଛି, ଏହା ହେଉଛି ଏହି ଦୁଇଜଣଙ୍କ କ୍ୟାରିଅରର ପ୍ରଥମ ଡକ୍ୟୁମେଣ୍ଟାରି।
ଦଳିତ ମହିଳାମାନଙ୍କ ଦ୍ଵାରା ପ୍ରକାଶ କରାଯାଉଥିବା ଭାରତର ଏକମାତ୍ର ଖବର କାଗଜ ‘ଖବର ଲହରିୟା’ ଉପରେ ‘ରାଇଟିଙ୍ଗ୍ ଓ୍ଵିଥ୍ ଫାୟାର୍’ ପ୍ରସ୍ତୁତ ହୋଇଛି । ସମାଜର ଅଧିକ ଲୋକଙ୍କ ସହ ଜଡିତ ହେବା ପାଇଁ କିପରି ପ୍ରିଣ୍ଟରୁ ‘ଖବର ଲହରିୟା’କୁ ଡିଜିଟାଲ ମିଡିଆରେ ପରିବର୍ତ୍ତିତ କରୁଛନ୍ତି ଜଣେ ଦଳିତ ମହିଳା। ଏହି ସମୟରେ ସେ କେଉଁ କେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେହି ବିଷୟ ଉପରେ ‘ରାଇଟିଙ୍ଗ୍ ଓ୍ଵିଥ୍ ଫାୟାର୍’ ଆଧାରିତ। ମୋଟାମୋଟି ଦଳିତ ସ୍ବାବଲମ୍ବନ, ମହିଳା ସଶକ୍ତୀକରଣ ଓ ବୈଷୟିକ ପରିବର୍ତ୍ତନ ଆଦି ପ୍ରସଙ୍ଗକୁ ଏଥିରେ ପ୍ରଦର୍ଶିତ କରାଯାଇଛି।