୩୫ ଜଣଙ୍କର କରୋନା ପରୀକ୍ଷଣର ଭୁଲ୍‌ ରିପୋର୍ଟ ଦେଇ ହରଡ଼ଘଣାରେ ଘରୋଇ ଲ୍ୟାବ୍‌

ନୂଆଦିଲ୍ଲୀ: ଜଣେ ନୁହେଁ କି ଦୁଇ ଜଣ ନୁହେଁ ଏକାଥରକେ ୩୫ ଜଣଙ୍କର ନୋଭେଲ କରୋନାଭାଇରସ୍‌ ବା କୋଭିଡ୍‌-୧୯ର ଭୁଲ୍‌ ପରୀକ୍ଷଣ ରିପୋର୍ଟ ଦେବା ଏକ ଘରୋଇ ଲ୍ୟାବ୍‌ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। କାରଣ, ଘରୋଇ ଲ୍ୟାବ୍‌ର ଏହି ଭୁଲ ରିପୋର୍ଟ ସଂପୃକ୍ତ ୩୫ ଜଣ ବ୍ୟକ୍ତି ବିଶେଷଙ୍କର ଜୀବନ ପ୍ରତି ବିପଦର କାରଣ ପାଲଟିବା ସହ ସେମାନଙ୍କୁ ନୋଏଡ଼ାର ଏକ କୋଭିଡ୍‌-୧୯ ହସ୍ପିଟାଲର କ୍ୱାରାଣ୍ଟିନ୍‌ ଓ୍ଵାର୍ଡରେ ୩ ଦିନ ବିତାଇବାକୁ ପଡ଼ିଥିଲା। କରୋନାଭାଇରସ୍‌ ପରୀକ୍ଷା ପାଇଁ ସଂପୃକ୍ତ ଘରୋଇ ଲ୍ୟାବ ଦ୍ୱାରା ନମୁନା ସଂଗ୍ରହରେ ତ୍ରୁଟି ରହିଥିବାରୁ ଏହି ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିବା ଏବେ ଜାଣିବା ପାଇଁ ମିଳିଛି।
ଏ ଘଟଣା ଜଣା ପଡ଼ିବା ପରେ ଏବେ ସଂପୃକ୍ତ ଘରୋଇ ଲ୍ୟାବକୁ ନୋଏଡା ପ୍ରଶାସନ ପକ୍ଷରୁ ଏକ ନୋଟିସ ଜାରି କରାଯିବା ସହ ଥାନାରେ ଏକ ମାମଲା ମଧ୍ୟ ଆଗତ ହୋଇଛି।
ନୋଏଡା ସ୍ୱାସ୍ଥ୍ୟ ବିଭାଗର ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ୩୫ ଜଣ ବ୍ୟକ୍ତି କାଶ, ଥଣ୍ଡା ଏବଂ ଜ୍ୱର ଅନୁଭବ କରିବା ପରେ ପ୍ରଥମେ ଜଣେ ଘରୋଇ ଡାକ୍ତରଙ୍କ ସହିତ ପରାମର୍ଶ କରିଥିଲେ। ଡାକ୍ତର ସେମାନଙ୍କୁ କୋଭିଡ-୧୯ ପାଇଁ ନିଜ ନିଜର ପରୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ଏହା ପରେ ସେମାନେ ସଂପୃକ୍ତ ଘରୋଇ ଲ୍ୟାବକୁ ଯାଇଥିଲେ।

News18

ସଂପୃକ୍ତ ଘରୋଇ ଲ୍ୟାବ୍‌ ସେମାନଙ୍କ ନମୁନା ପରୀକ୍ଷା କରି ଯେଉଁ ରିପୋର୍ଟ ପ୍ରଦାନ କରିଥିଲେ, ସେଥିରେ ସମସ୍ତଙ୍କୁ କରୋନାଭାଇରସ୍‌ ପଜିଟିଭ୍‌ ଥିବା ଦର୍ଶାଇଥିଲା। ପରବର୍ତ୍ତୀ ସମୟରେ ସେମାନଙ୍କୁ ସରକାରୀ କୋଭିଡ୍‌-୧୯ ହସ୍ପିଟାଲର କ୍ୱାରାଣ୍ଟିନ୍‌ ଓ୍ଵାର୍ଡରେ ଭର୍ତ୍ତି କରାଯାଇ ସେମାନଙ୍କ ସ୍ୱାବ୍‌ ନମୁନାକୁ ଯେତେବେଳେ ଆଉଥରେ ପରୀକ୍ଷା ପାଇଁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିକୁ ପଠାଗଲା, ସେତେବେଳେ ସେମାନଙ୍କ ରିପୋର୍ଟ ନେଗେଟିଭ୍‌ ଆସିଲା।
ଏବେ ସଂପୃକ୍ତ ୩୫ ଜଣଙ୍କୁ କୋଭିଡ୍‌-୧୯ ହସ୍ପିଟାଲରୁ ଡିସ୍‌ଚାର୍ଜ କରି ଦିଆଯିବା ସହ ଘଟଣା ସଂପର୍କରେ ତଦନ୍ତ ଆରମ୍ଭ ହୋଇଛି।
ନୋଏଡା ମୁଖ୍ୟ ଚିକିତ୍ସା ଅଧିକାରୀ ଦୀପକ ଓହିର୍‌ କହିଛନ୍ତି ଯେ ସଂପୃକ୍ତ ଘରୋଇ ଲ୍ୟାବ୍‌ଟି ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚର (ଆଇସିଏମ୍‌ଆର) ପରୀକ୍ଷା ନିର୍ଦ୍ଦେଶାବଳୀ ପାଳନ କରିନାହିଁ। ଏହାଛଡ଼ା ଘରୋଇ ଲ୍ୟାବ କର୍ମଚାରୀଙ୍କ ଦ୍ୱାରା ନମୁନା ସଂଗ୍ରହ ସମୟରେ ବହୁ ତ୍ରୁଟି ରହିଥିଲା। ଅନ୍ୟ ପକ୍ଷରେ ଏହି ଲ୍ୟାବଟି ଆଇସିଏମଆର ଦ୍ୱାରା ପଞ୍ଜୀକୃତ ହୋଇ ନଥିଲା। ତଥାପି କୋଭିଡ୍‌-୧୯ ନମୁନା ପରୀକ୍ଷା କରିବା ସହ ପରୀକ୍ଷା ବାବଦରେ ୪୫୦୦ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଆଦାୟ କରୁଥିଲା।

ସମ୍ବନ୍ଧିତ ଖବର