ଆନ୍ଦୋଳନରତ ରାମଦେବଙ୍କୁ ଭେଟିବା ଭୁଲ୍‌ ଥିଲା

ପ୍ରଣବ ମୁଖାର୍ଜୀଙ୍କ ସ୍ୱୀକାରୋକ୍ତି

ନୂଆଦିଲ୍ଲୀ : ବିଦେଶରୁ କଳାଧନ ଫେରାଇ ଆଣିବା ଲାଗି ଯୋଗଗୁରୁ ରାମଦେବ ୨୦୧୧ ଜୁନ୍‌ ମାସରେ ଚଳାଇଥିବା ଆନ୍ଦୋଳନରୁ ତାଙ୍କୁ ନିବୃତ୍ତ ରହିବା ଲାଗି ତତ୍କାଳୀନ ଉପା-୨ ସରକାର ନେଇଥିବା ପଦକ୍ଷେପ ଭୁଲ୍‌ ଥିଲା ବୋଲି ପ୍ରାକ୍ତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କହିଛନ୍ତି। ସେତେବେଳେ ଦିଲ୍ଲୀ ବିମାନ ବନ୍ଦରରେ ରାମଦେବଙ୍କୁ ଭେଟି ସେ ଆରମ୍ଭ କରିବାକୁ ଥିବା ଅନଶନରୁ ତାଙ୍କୁ ନିବୃତ୍ତାଇବା ପାଇଁ ତତ୍କାଳୀନ ବରିଷ୍ଠ କ୍ୟାବିନେଟ୍‌ ମନ୍ତ୍ରୀ ପ୍ରଣବ ମୁଖାର୍ଜୀ(ଅର୍ଥ) ଏବଂ କପିଳ ଶିବଲ(ମାନବ ସମ୍ବଳ ବିକାଶ)ଙ୍କୁ ପଠାଯାଇଥିଲା। ମାତ୍ର ସରକାରଙ୍କ ଏହି ନିଷ୍ପତ୍ତି ଭୁଲ୍‌ ଥିଲା ଏବଂ ପ୍ରଣବ ତାହା କରିବା ଉଚିତ ନଥିଲା ବୋଲି ଏହାର ଛଅ ବର୍ଷ ପରେ ଶ୍ରୀ ମୁଖାର୍ଜୀ ସ୍ୱୀକାର କରିଛନ୍ତି। ତେବେ ବେଳେ ବେଳେ ଏପରି ଭୁଲ୍‌ ହୋଇଯାଏ ବୋଲି ସେ କହିଛନ୍ତି।
ଶନିବାର ଏ ସମ୍ପର୍କରେ ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମୁଖାର୍ଜୀ କହିଛନ୍ତି ଯେ, ସେତେବେଳେ ଆନ୍ନା ହଜାରେ ଜାରି ରଖିଥିବା ଆନ୍ଦୋଳନ ଯୋଗୁଁ କଂଗ୍ରେସ ଦଳ ଅଡୁଆରେ ପଡ଼ିଯାଇଥିଲା। ତେଣୁ ଏ ପରିପ୍ରେକ୍ଷୀରେ ରାମଦେବଙ୍କ ଅନଶନ ନିଆଁରେ ଘିଅ ଢାଳିିବା ତୁଲ୍ୟ ହେବ ବୋଲି ଆଶଙ୍କା କରି କଂଗ୍ରେସ ଦଳ ଯୋଗଗୁରୁଙ୍କୁ ମନାଇବା ପାଇଁ ଚାହିଥିଲା। ତେଣୁ ଭଲ ହିନ୍ଦୀ କହିପାରୁଥିବା ଶିବଲଙ୍କ ସହ ଶ୍ରୀ ମୁଖାର୍ଜୀ ଏକ ସ୍ୱତନ୍ତ୍ର ବିମାନରେ ୨୦୧୧ ଜୁନ୍‌ ୧ ତାରିଖରେ ଉଜ୍ଜୟିନୀରୁ ଆସି ଦିଲ୍ଲୀରେ ପହଞ୍ଚିଥିଲେ। ରାମଦେବଙ୍କ ସହ ସେମାନେ ବିଦେଶରୁ କଳାଧନ ଫେରାଇ ଆଣିବା ପ୍ରସଙ୍ଗରେ କଥାବର୍ତ୍ତା କରିଥିଲେ। ମାତ୍ର ଆଲୋଚନା ବିଫଳ ହୋଇଥିଲା ଏବଂ ଯୋଗଗୁରୁ ତିନି ଦିନ ପରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଜୁନ୍‌ ୪ରେ ରାମଲୀଳା ମଇଦାନରେ ଅନଶନରେ ବସିଥିଲେ।

ତେବେ ସେଦିନ ମଧ୍ୟରାତ୍ରରେ ସୁରକ୍ଷାବାହିନୀ ଅତି ଅପ୍ରତ୍ୟାଶିତ ଢଙ୍ଗରେ ଆନ୍ଦୋଳନକାରୀ ଏବଂ ସମର୍ଥକଙ୍କୁ ହଟାଇଦେଲେ। ପରେ ରାମଦେବ ହରିଦ୍ୱାରରେ ତାଙ୍କ ଆନ୍ଦୋଳନ ଚାଲୁ ରଖିଥିଲେ। ତେବେ ଏହି ସମ୍ପୂର୍ଣ୍ଣ ଘଟଣାକ୍ରମ, ସରକାର ଯେପରି ପ୍ରଥମେ ରାମଦେବଙ୍କୁ ସରକାର ବିରୋଧୀ ଆନ୍ଦୋଳନରୁ ଦୂରେଇ ରଖିବା ପାଇଁ ଆଲୋଚନା କଲେ ଏବଂ ପରେ ତାଙ୍କ ଅନଶନକୁ ଭଣ୍ଡୁର କରିବାକୁ ଚେଷ୍ଟା କଲେ, ତାହା ହିଁ ଉପା ସରକାର ବିରୋଧରେ ଜନମତ ଯିବାରେ ସହାୟକ ହେଲା। ତେବେ ରାମଦେବଙ୍କୁ ଏ ଭଳି ଭେଟି ଆଲୋଚନା କରିବା ଠିକ୍‌ ନଥିଲା ବୋଲି ଶ୍ରୀ ମୁଖାର୍ଜୀ କହିଛନ୍ତି।

ସମ୍ବନ୍ଧିତ ଖବର