ଜାଲୌନ୍: ଅପରେସନର ଆବଶ୍ୟକତା ନଥିଲା, ତଥାପି ଓଟିକୁ ନେଇଗଲେ ଡାକ୍ତର। ଉତ୍ତରପ୍ରଦେଶର ଜାଲୌନରେ ଥିବା ସରକାରୀ ମେଡିକାଲ କଲେଜରେ ଘଟିଛି ଏହି ଆଶ୍ଚର୍ଯ୍ୟଜନକ ଘଟଣା। କୁହାଯାଉଛି ଯେ, ରୋଗୀଜଣକ ଠିକ୍ ସମୟରେ ଅପରେସନ ଥିଏଟର(ଓଟି) ଭିତରୁ ଖସି ନଆସିଥିଲେ, ତାଙ୍କର ଅପରେସନ କରିଦେଇଥାନ୍ତେ ଡାକ୍ତର। ଖସି ଆସି ସେ ଏକ ବଡ଼ ଅଘଟଣରୁ ନିଜକୁ ବଞ୍ଚାଇଥିବା କହିଛନ୍ତି।
ମାଧୋଗଡ଼ କୋତୱାଲୀ ଅଞ୍ଚଳର ଡିକୋଲି ଗାଁର ବାସିନ୍ଦା ବ୍ରଜେଶ ଚୌଧୁରୀ କହିଛନ୍ତି ଯେ, ପେଟରେ ଯନ୍ତ୍ରଣା ହେବାରୁ ସେ ହସ୍ପିଟାଲରେ ପହଞ୍ଚିଥିଲେ। ପରୀକ୍ଷା ପରେ ଜଣାପଡିଲା ଯେ ତାଙ୍କ ଅନ୍ତନଳୀ ଟିକେ ଫୁଲିଛି। ଦୁଇ ଦିନ ପାଇଁ ତାଙ୍କୁ ଭର୍ତ୍ତି ରଖିବା ପରେ ଓଟିକୁ ନେଇଥିଲେ ୨ଜଣ ୱାର୍ଡ ବଏ। କିନ୍ତୁ କେଉଁ ଅପରେସନ୍ କରାଯାଉଛି ଏବଂ କାହିଁକି କରାଯାଉଛି ତାହା କୁହାଯାଇ ନଥିଲା। ଏପରି ସ୍ଥିତିରେ, ବ୍ରଜେଶ ଅପରେସନର କାରଣ ପଚାରିବାରୁ ତାଙ୍କୁ ଚୁପ୍ ହୋଇ ଶୋଇବାକୁ କହିଥିଲେ ୱାର୍ଡ ବଏ। ବ୍ରଜେଶ ସନ୍ଦେହ କରିବା ସହ ବାହାନା କରି ଓଟିରୁ ଦୌଡ଼ି ପଳାଇଆସିଥିଲେ। ଏହା ପରେ ସେ ରୋଗ ଦେଖାଇଥିବା ଡାକ୍ତରଙ୍କୁ ଫୋନ କରି ଅପରେସନର ଆବଶ୍ୟକତା ଅଛି କି ବୋଲି ପଚାରିଥିଲେ। ଡାକ୍ତର ସଫା ସଫା ଅପରେସନର ଆବଶ୍ୟକତା ନଥିବା କହିଥିଲେ। ପରେ ତାଙ୍କ ସହ ଘଟିଥିବା ଘଟଣା ବିଷୟରେ ଜାଣିବା ପରେ ଡାକ୍ତର ତଦନ୍ତ କରିଥିଲେ। ଯାଞ୍ଚ ପରେ ଜଣାପଡିଲା ଯେ, ହସ୍ପିଟାଲ କର୍ମଚାରୀମାନେ ଅନ୍ୟ ରୋଗୀଙ୍କ ପରିବର୍ତ୍ତେ ଭୁଲରେ ବ୍ରଜେଶଙ୍କୁ ଓଟିକୁ ନେଇଯାଇଥିଲେ।
ଏବେ ଏହି ଘଟଣାକୁ ନେଇ ଅଧିକ ଯାଞ୍ଚ କରାଯାଉଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ।