ବିଶ୍ବ ଆଖିରେ ଧୂଳି ଦେଇଥିଲା ଚୀନ୍‌: ଉହାନ୍‌ ମୃତ୍ୟୁସଂଖ୍ୟା ୫୦% ବୃଦ୍ଧି

ପୂର୍ବ ତଥ୍ୟରେ ତ୍ରୁଟି ଥିବା ସ୍ବୀକାର କଲା ଚୀନ୍‌, ଚୀନ୍‌ରେ ସମୁଦାୟ ମୃତ୍ୟୁସଂଖ୍ୟା ୪୦ ପ୍ରତିଶତ ବୃଦ୍ଧି

ବେଜିଂ: କରୋନା ଭାଇରସ୍‌ର ଉତ୍ପତ୍ତି ସ୍ଥଳ ଚୀନ୍‌ର ଉହାନ୍‌ ସହର ହୋଇଥିଲେ ମଧ୍ୟ ଚୀନ୍‌ ବିଶ୍ବବାସୀଙ୍କୁ ଉହାନ୍‌ର କରୋନା ମୃତ୍ୟୁ ନେଇ ଆଜି ପର୍ଯ୍ୟନ୍ତ ଅନ୍ଧାରରେ ରଖିଥିଲା। ଆଜି ହଠାତ ଚୀନ୍‌ ଉହାନ୍‌ ମୃତ୍ୟୁ ସଂଖ୍ୟାରେ ୫୦ ପ୍ରତିଶତ ବୃଦ୍ଧି ଘଟାଇଛି ଏବଂ ଦେଶର ସମୁଦାୟ ମୃତ୍ୟୁ ସଂଖ୍ୟାରେ ୪୦ ପ୍ରତିଶତ ବୃଦ୍ଧି କରିଛି। ତେଣୁ କରୋନା ଭାଇରସ୍‌ ଯୋଗୁଁ ପ୍ରକୃତରେ ଚୀନ୍‌ରେ କେତେ ମୃତ୍ୟୁ ହୋଇଛି ସେନେଇ ଏବେ ଦ୍ବନ୍ଦ୍ବ ବଢ଼ିଛି। ଆମେରିକା ବାରମ୍ବାର ଅଭିଯୋଗ କରି ଆସିଛି ଯେ, ଚୀନ୍‌ କରୋନା ଭାଇରସ୍‌ ସଂକ୍ରାନ୍ତ ପ୍ରକୃତ ତଥ୍ୟ ଲୁଚାଉଛି। ଗୁଇନ୍ଦା ସଂସ୍ଥାଗୁଡ଼ିକ ମଧ୍ୟ ଚୀନ୍‌ ବିଶ୍ବବାସୀଙ୍କୁ ଧୂଳି ଦେଇ ଭିନ୍ନ ଚିତ୍ର ଦେଖାଇ ଆସୁଥିବା କହି ଆସୁଛନ୍ତି। ଆଜି ପୂର୍ବ ତଥ୍ୟରେ ତ୍ରୁଟି ଥିବା ଚୀନ୍‌ ସ୍ବୀକାର କରିଛି। ଉହାନ୍‌ରେ ପୂର୍ବରୁ ୨୫୭୯ ମୃତ୍ୟୁ ହୋଇଥିବା ଚୀନ୍‌ ସରକାରୀ ତଥ୍ୟରୁ ଜଣାପଡ଼ିଥିଲା। କିନ୍ତୁ ଚୀନ୍‌ ଉହାନ୍‌ର ମୃତ୍ୟୁସଂଖ୍ୟାକୁ ଏବେ ୫୦ ପ୍ରତିଶତ ବଢ଼ାଇ ଦେଇଛି। ଉହାନ୍‌ରେ ଆଉ ଅଧିକ ୧୨୯୦ ଲୋକ ମୃତ୍ୟୁ ହୋଇଥିବା ଚୀନ୍‌ କହିଛି। ଏଥିସହ ଉହାନ୍‌ରେ ସମୁଦାୟ ମୃତ୍ୟୁସଂଖ୍ୟା ୩,୮୬୯କୁ ବୃଦ୍ଧି ପାଇଛି। ତେବେ ଉହାନ୍‌ରେ ମୃତ୍ୟୁସଂଖ୍ୟା ୫୦ ପ୍ରତିଶତ ବଢ଼ିବାପରେ ସମଗ୍ର ଦେଶର ମୃତ୍ୟୁସଂଖ୍ୟା ମଧ୍ୟ ପ୍ରାୟ ୪୦ ପ୍ରତିଶତ ବଢ଼ିଛି। ନୂଆ ତଥ୍ୟ ‌ଯୋଡ଼ିହେବା ପରେ ଚୀନ୍‌ରେ ସମୁଦାୟ ମୃତ୍ୟୁସଂଖ୍ୟା ୪,୬୩୨କୁ ବୃଦ୍ଧି ପାଇଛି।

ଉହାନ୍‌ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨୫କୁ ବୃଦ୍ଧି ପାଇଛି ଏବଂ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୦,୩୩୩ରେ ରହିଛି। ତେବେ ଚୀନ୍‌ର ଉହାନ୍‌ ସହରରେ ମୃତ୍ୟୁସଂଖ୍ୟା ବଢ଼ାଯିବା ଏବଂ ପୂର୍ବ ତଥ୍ୟରେ ତ୍ରୁଟି ଥିବା ସ୍ବୀକାର କରିବାପରେ ଏବେ ପୁଣି ଆକଳନ କରାଯାଉଛି ଯେ, ଚୀନ୍‌ରେ ସରକାରୀ ତଥ୍ୟ ଅନୁଯାୟୀ ଯେତିକି ମୃତ୍ୟୁସଂଖ୍ୟା ରହିଛି ପ୍ରକୃତରେ ତା’ଠାରୁ ଯଥେଷ୍ଟ ଅଧିକ ମୃତ୍ୟୁସଂଖ୍ୟା ରହିଥିବ। ସରକାରୀ ନ୍ୟୁଜ୍‌ ଚ୍ୟାନେଲ ସିଜିଟିଏନ୍‌ର ଏକ ରିପୋର୍ଟରେ କୁହାଯାଇଛି ଯେ, ପ୍ରାଥମିକ ପର୍ଯ୍ୟାୟରେ କମ୍‌ ହସ୍ପିଟାଲ୍‌ ଏବଂ ମେଡିକାଲ କର୍ମୀଙ୍କ ଅଭାବ ଯୋଗୁଁ କିଛି ମେଡିକାଲ ଅନୁଷ୍ଠାନ ସଠିକ୍‌ ସମୟରେ ସ୍ଥାନୀୟ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ ପଦ୍ଧତି ସହ ଯୋଗଯୋଗ କରିପାରିନଥିଲେ। ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସ୍ପଷ୍ଟ କରିବାରେ ବିଳମ୍ବ ହୋଇଥିଲା ଏବଂ ରୋଗୀଙ୍କୁ ବି ସଠିକ୍‌ ଭାବେ ଗଣିବାରେ କିଛିଟା ତ୍ରୁଟି ରହିଥିଲା। ଚୀନ୍‌ର ରାଷ୍ଟ୍ରାୟତ ଗଣମାଧ୍ୟମ ଗ୍ଲୋବାଲ୍‌ ଟାଇମ୍ସର ସମ୍ପାଦକୀୟରେ ଚୀନ୍‌ ଦ୍ବାରା ହୋଇଥିବା ସଂଶୋଧନକୁ ସୁରକ୍ଷା ଦେଇ କୁହାଯାଇଛି ଯେ, ଏହା ତଥ୍ୟ ଆଧାରରେ ଏକ ଦାୟିତ୍ବସମ୍ପନ୍ନ ସଂଶୋଧନ ଅଟେ। ଉହାନ୍‌ ମୃତ୍ୟୁସଂଖ୍ୟାରେ ଭୁଲ୍‌ ହେବାନେଇ ବିଭିନ୍ନ କାରଣ ଦର୍ଶାଯାଇଛି। ସହରର ମେଡିକାଲ୍‌ କର୍ମଚାରୀମାନେ ପ୍ରଥମେ ସଂକ୍ରମଣ ବଢ଼ିବାରୁ ଆଶ୍ଚର୍ଯ୍ୟ ହୋଇଯାଉଥିଲେ। ଏଣୁ ଅନେକ ‌କ୍ଷେତ୍ରରେ ମାମଲା ଗୁଡ଼ିକର ବିଳମ୍ବ ରିପୋର୍ଟିଂ କରାଯାଉଥିଲା। ଟେଷ୍ଟିଂ ଏବଂ ଚିକିତ୍ସା ଅଭାବରୁ ମଧ୍ୟ କିଛି ରୋଗୀଙ୍କର ଘରେ ମୃତ୍ୟୁ ହୋଇଥିବାରୁ ଏହାକୁ ଗଣନା କରାଯାଇନଥିଲ।

ଚୀନ୍‌ରୁ ଆସିଥିବା ୬୩ ହଜାର ପିପିଇ କିଟ୍‌ ନିମ୍ନମାନର: ସ୍ବାସ୍ଥ୍ୟ ମନ୍ତ୍ରାଳୟ
ନୂଆଦିଲ୍ଲୀ: ଚୀନ୍‌ରୁ ଆସିଥିବା ପ୍ରୟ ୬୩ ହଜାର ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) କିଟ୍‌ ନିମ୍ନାମାନର ଏବଂ ଏହା ନିର୍ଦ୍ଧାରିତ ମାନଦଣ୍ଡକୁ ପୂରଣ କରୁନାହିଁ ବୋଲି ଆଜି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଭାରତକୁ ଚୀନ୍‌ ଏହି ପିପିଇ କିଟ୍‌ ପଠାଇଥିଲା ଏବଂ ଯାଞ୍ଚ ପ୍ରକ୍ରିୟାରେ ଏହା ଫେଲ୍‌ ହୋଇଛି। ଭାରତ ଏବେ ଆମେରିକା, ବ୍ରିଟେନ୍‌, ଦକ୍ଷିଣ କୋରିଆ, ଫ୍ରାନ୍ସ ଏବଂ ଜର୍ମାନୀ ସମେତ ଅନେକ ଦେଶରୁ ଚିକିତ୍ସା ଉପକରଣ ବରାଦ ଦେଇଛି। ଚୀନ୍‌ ଗୁଣବତ୍ତା ଯାଞ୍ଚ କରି ସାମଗ୍ରୀ ପଠାଇବା ବ୍ୟବସ୍ଥା କରୁ ବୋଲି ଆଜି ଭାରତ ପରାମର୍ଶ ଦେଇଛି।

ସମ୍ବନ୍ଧିତ ଖବର