କରୋନା ଆକ୍ରାନ୍ତ ଉହାନ୍ ଡାକ୍ତରଙ୍କ ମୃତ୍ୟୁ

ନୂଆଦିଲ୍ଲୀ : କରୋନାଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇ ୪ ମାସ ହେଲା ଚିକିତ୍ସାଧୀନ ଥିବା ଉହାନ୍ କେନ୍ଦ୍ରୀୟ ଡାକ୍ତରଖାନାର ଡା. ହୁ ଓ୍ବେଫେଙ୍ଗ୍(୪୨)ଙ୍କର ମଙ୍ଗଳବାର ମୃତ୍ୟୁ ଘଟିଛି। ଏହା ବିଗତ ସପ୍ତାହଗୁଡି଼କରେ ଚୀନ୍‌ର ପ୍ରଥମ କରୋନା ମୃତ୍ୟୁ ବୋଲି ମଧ୍ୟ କୁହାଯାଉଛି। ସେହିପରି ଓ୍ବେଫେଙ୍ଗ୍ ହେଉଛନ୍ତି କୋଭିଡ୍-୧୯ରେ ମୃତ୍ୟୁ ବରଣ କରିଥିବା ଉହାନ୍ ଡାକ୍ତରଖାନାର ଷଷ୍ଠ କର୍ମଚାରୀ। ମହାମାରୀ କୋଭିଡ୍-୧୯ ସମ୍ପର୍କରେ ଚୀନ୍‌ର ଗୋପନ ତଥା ସମ୍ବେଦନଶୀଳ ଖବରକୁ ଲୋକଲୋଚନକୁ ଆଣିଥିବା ଉହାନ୍‌ର ଅନ୍ୟତମ ପରଲୋକଗତ ଡାକ୍ତର ଲି ଓ୍ବେନ୍‌ଲିଆଙ୍ଗଙ୍କର ଦୁଇ ସହଯୋଗୀ ଡା.ଓ୍ବେଫେଙ୍ଗ୍ ଓ ଡା. ୟି ଫାନ୍ ଗତ ଜାନୁଆରିରେ ହିଁ କରୋନାଭୂତାଣୁ ଦ୍ବାରା ଭୀଷଣ ମାତ୍ରାରେ ସଂକ୍ରମିତ ହୋଇଥିଲେ। ଉଭୟଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ବେଳେ ଦୁହିଁଙ୍କର ପୂରା ଶରୀରର ଚମ କଳା ପଡି଼ଯାଇଥିଲା। ଏହା ସମଗ୍ର ଚୀନ୍‌ରେ ଚା‌ଞ୍ଚଲ୍ୟ ଖେଳାଇ ଦେଇଥିଲାା କାରଣ ଶରୀରର ଚର୍ମ ଏପରି ଗୋଟାପଣେ କଳା ପଡି଼ଯିବାଟା କୋଭିଡ୍ ରୋଗର ପାର୍ଶ୍ବ ପ୍ରତିକ୍ରିୟା ବୋଲି ସେତେବେଳେ ଧରିନିଆଯାଇଥିଲା, ଯାହା କି ପରେ ଭୁଲ୍ ପ୍ରମାଣିତ ହୋଇଥିଲା। ତେବେ ଡା. ଫାନ୍ ସଂପୂର୍ଣ୍ଣ ଆରୋଗ୍ୟ ହୋଇଥିବା ବେଳେ କରୋନାଭୂତାଣୁ ପାଖରେ ଡା. ଓ୍ବେଫେଙ୍ଗ୍ ହାର୍ ମାନିଥିବା ଖବର ଚୀନ୍‌ର ସରକାରୀ ଖବରକାଗଜ ଗ୍ଲୋବାଲ୍ ଟାଇମ୍‌ସରେ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର