ତିନିଥର କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଚତୁର୍ଥ ଥରରେ ଆସିଲା ପଜିଟିଭ୍‌: ଡାକ୍ତର କହିଲେ, ‘ପୁନର୍ଜନ୍ମ ପାଇଗଲ’… 

ଉହାନ୍‌ (ଚୀନ୍‌): ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ଏବେ ସମଗ୍ର ବିଶ୍ୱକୁ ଆତଙ୍କିତ କରି ରଖିଛି। ଏ ଯାବତ୍‌ ସମଗ୍ର ବିଶ୍ୱର ୨୧୦ଟି ରାଷ୍ଟ୍ରକୁ କରୋନା ଭୂତାଣୁ କବଳିତ କରି ୨୬,୪୮,୩୬୦ ଜଣଙ୍କୁ ଆକ୍ରାନ୍ତ କରିଥିବା ବେଳେ ୧,୮୪,୨୬୮ ଜଣଙ୍କୁ ମୃତ୍ୟୁମୁଖକୁ ଠେଲିଦେଇଛି। ବିଶ୍ୱର ବହୁ ବିକଶିତ ରାଷ୍ଟ୍ର ସଂପ୍ରତି କୋଭିଡ୍‌- ୧୯ ଭୂତାଣୁ ଉପରେ ଅଧିକ ଗବେଷଣା ଆରମ୍ଭ କରିଥିଲେ ସୁଦ୍ଧା ଏହି ଭୂତାଣୁର ଗତିବିଧିକୁ ଅଦ୍ୟାବଧି ଧରିପାରି ନାହାନ୍ତି। କାରଣ, ଅଧିକାଂଶ ବ୍ୟକ୍ତି ବିଶେଷଙ୍କ ଠାରେ କରୋନାର କୌଣସି ପ୍ରକାର ଲକ୍ଷଣ ଦେଖୁବାକୁ ମିଳୁ ନଥିଲେ ସୁଦ୍ଧା ସେମାନଙ୍କ ସ୍ୱାବ ବା ନମୁନା ପରୀକ୍ଷା ରିପୋର୍ଟରୁ ସେମାନେ କରୋନା ପଜିଟିଭ୍‌ ବା କରୋନା ଆକ୍ରାନ୍ତ ବୋଲି ଜଣାପଡ଼ୁଛି।

ଏପ୍ରକାରର ଗମ୍ଭୀର ସ୍ଥିତିରେ ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ର ଏନ୍ତୁଡ଼ିଶାଳ ରୂପେ ବିବେଚିତ ହେଉଥିବା ଉହାନ୍‌ରୁ ଆଜି କରୋନା ଭୂତାଣୁକୁ ନେଇ ଏପରି ଏକ ଖବର ଆସିଛି ଯାହା କରୋନା ବିରୋଧରେ ଲଢ଼ୁଥିବା ସମସ୍ତ ଡାକ୍ତର ଓ ଗବେଷକଙ୍କୁ ଚିନ୍ତାରେ ପକାଇଦେଇଛି। ଉହାନର ଜଣେ ବ୍ୟକ୍ତିଙ୍କର ଶରୀରରେ କରୋନାର  ସମସ୍ତ ଲକ୍ଷଣ ଦେଖିବା ପରେ ଡାକ୍ତରମାନେ ତାଙ୍କର କରୋନା ନମୁନା ସ୍ୱାବ୍‌ର ପରୀକ୍ଷା କରିଥିଲେ। ପରୀକ୍ଷା ରିପୋର୍ଟ କିନ୍ତୁ ନେଗେଟିଭ୍‌ ଆସିଲା। ଡାକ୍ତରମାନେ ଚକିତ ହେଲେ! କାଳେ ନମୁନା ପରୀକ୍ଷାରେ କ’ଣ ଭୁଲ୍‌ ଭଟକା ରହି ଯାଇଥିବ ବୋଲି ସନ୍ଦେହ କରି ପୁଣି ଦ୍ୱିତୀୟ ଥର ପାଇଁ କରୋନା ନମୁନା ପରୀକ୍ଷା କଲେ। ପୁଣି ରିପୋର୍ଟ ନେଗେଟିଭ୍‌ ଆସିଲା। ସଂପୃକ୍ତ ବ୍ୟକ୍ତି ଜଣଙ୍କର ନାମ ହି ଜିଙ୍ଗ୍‌ପିଙ୍ଗ୍‌। ତାଙ୍କ ବୟସ ହେଉଛି ୫୨ ବର୍ଷ। ସେ ଉହାନ୍‌ର ଜଣେ ପରିବା ବିକ୍ରେତା। ତାଙ୍କ ଗଳାରେ କଷ୍ଟ ହେଉଥିଲା ଏବଂ ନିଶ୍ୱାସ ପ୍ରଶ୍ୱାସ ନେବାରେ ସେ ଅସହ୍ୟ ଯନ୍ତ୍ରଣା ଭୋଗ କରୁଥିଲେ। ଇଏ ହେଉଛି ଗତ ମାର୍ଚ୍ଚ ମାସର ଘଟଣା। ପୁୁଣିଗଲେ ଡାକ୍ତରଙ୍କ ପାଖକୁ ସମାନ ସ୍ୱାସ୍ଥ୍ୟ ସମସ୍ୟା ଧରି। ପୁଣି ଥରେ ତୃତୀୟ ଥର ପାଇଁ ତାଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇ କରୋନା ପରୀକ୍ଷା କରାଗଲା। ତୃତୀୟ ରିପୋର୍ଟ ବି ନେଗେଟିଭ୍‌ ଆସିଲା। ତେଣୁ, ତାଙ୍କର କରୋନା ଜନିତ ଚିକିତ୍ସା ନକରି ଡାକ୍ତର ତାଙ୍କୁ ତାଙ୍କ ଘରକୁ ପଠାଇଦେଲେ।

Global Times

ଇତିମଧ୍ୟରେ ଚୀନ୍‌ର ଉହାନ୍‌ରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଲକ୍‌ଡାଉନ୍‌ ଘୋଷଣା ହୋଇଗଲା। ବିନା ଚିକିତ୍ସାରେ ହି ଜିଙ୍ଗ୍‌ପିଙ୍ଗ୍‌ ତାଙ୍କ ଘରେ ବନ୍ଦୀ ହୋଇରହିଲେ। ତାଙ୍କ ଗଳାରେ କଷ୍ଟ ଏବଂ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସହ୍ୟ ଯନ୍ତ୍ରଣା ଅବ୍ୟାହତ ରହିଥିଲା। ଏବେ ଉହାନ୍‌ରୁ ଲକ୍‌ଡାଉନ୍‌ ଉଠିବା ପରେ ସେ ଆଉଥରେ ଡାକ୍ତରଖାନା ଯିବାରୁ ଚତୁର୍ଥ ଥର ପାଇଁ ତାଙ୍କର କରୋନା ପରୀକ୍ଷା କରାଗଲା।

Global Times

ଚତୁର୍ଥ ଥରରେ ପରୀକ୍ଷା ନମୁନା ରିପୋର୍ଟ ପଜିଟିଭ୍‌ ଆସିଲା। ରିପୋର୍ଟ ଦେଖି ଚକିତ ହେଲେ ଡାକ୍ତର। ତାଙ୍କର କରୋନା ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ଡାକ୍ତର ତାଙ୍କୁ କହିଲେ, ‘ପ୍ରଥମେ ଈଶ୍ୱରଙ୍କୁ ଧନ୍ୟବାଦ ଜଣାଅ! ତୁମେ ପୁନର୍ଜନ୍ମ ପାଇଗଲ! କରୋନାରେ ଆକ୍ରାନ୍ତ ଥାଇ ସୁଦ୍ଧା ତୁମେ ମାସାଧିକ କାଳ ବିନା ଚିକିତ୍ସା ଓ ଔଷଧରେ ବଞ୍ଚିରହି ପାରିଲ’!

ସମ୍ବନ୍ଧିତ ଖବର