ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏସ. ଜୟପାଲ ରେଡ୍ଡୀଙ୍କ ପରଲୋକ

ହାଇଦ୍ରାବାଦ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ତେଲେଙ୍ଗାନାର ବରିଷ୍ଠ କଂଗ୍ରେସ ନେତା ଏସ. ଜୟପାଲ ରେଡ୍ଡୀଙ୍କର ‌ରବିବାର ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା। ନିମୋନିଆରେ ପୀଡ଼ିତ ହୋଇ ସେ ଏଠାକାର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ରେଡ୍ଡୀ ଲୋକସଭାକୁ ୫ ଥର, ରାଜ୍ୟସଭାକୁ ୨ ଥର ନିର୍ବାଚିତ ହେବା ସହିତ ୪ ଥର ବିଧାୟକ ମଧ୍ୟ ହୋଇଥିଲେ। ଓଜସ୍ବିନୀ ବକ୍ତା ଭାବେ ଜଣାଶୁଣା ‌ଶ୍ରୀ ରେଡ୍ଡୀ ଉପା-୨ ସରକାରଙ୍କ ଅମଳରେ କେନ୍ଦ୍ର ନଗର ଉନ୍ନୟନ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରାଳୟ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଉପା-୧ ସରକାରରେ ସେ ସୂଚନା ଓ ପ୍ରସାରଣ ସମେତ ନଗର ଉନ୍ନୟନ ମନ୍ତ୍ରୀ ହୋଇଥିଲେ। କଂଗ୍ରେସ ନେତା ଶ୍ରୀ ରେଡ୍ଡୀ ଦେଶରେ ଜରୁରୀକାଳୀନ ସ୍ଥିତି ଜାରିକୁ ବିରୋଧ କରି କଂଗ୍ରେସ ଛାଡ଼ି ୧୯୭୭ରେ ଜୟ ପ୍ରକାଶ ନାରାୟଣଙ୍କ ନେତୃତ୍ବରେ ପରିଚାଳିତ ଜନତା ପାର୍ଟିରେ ଯୋଗଦେଇଥିଲେ। ତେବେ ପରେ କଂଗ୍ରେସକୁ ଫେରି ଆସିଥିଲେ। ୧୯୯୮ରେ ଆଇ. କେ. ଗୁଜରାଲଙ୍କ ମନ୍ତ୍ରୀମଣ୍ଡଳରେ ସେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଦାୟିତ୍ବ ତୁଲାଇଥିଲେ। ୧୯୯୮ ମସିହାରେ ତାଙ୍କୁ ଶ୍ରେଷ୍ଠ ସାଂସଦ ପୁରସ୍କାର ପ୍ରଦାନ କରାଯାଇଥିଲା।

ଉପରାଷ୍ଟ୍ରପତି ଏମ ଭେଙ୍କିଆ ନାଇଡ଼ୁ ସ୍ବର୍ଗତ ରେଡ୍ଡୀଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ପରିବାରବର୍ଗକୁ ସାନ୍ତ୍ବନା ଦେଇଛନ୍ତି। ତାଙ୍କ ମୃତ୍ୟୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମ‌ନମୋହନ ସିଂହ, ମହାରାଷ୍ଟ୍ର ରାଜ୍ୟପାଳ ସି. ବିଦ୍ୟାସାଗର ରାଓ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦମ୍ବରମ୍, ଜୟରାମ ରମେଶ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସେହିଭଳି ରେଡ୍ଡୀଙ୍କ ମୃତ୍ୟୁ‌ରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏବଂ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନ ମୋହନ ରେଡ୍ଡୀ ଗଭୀର ଶୋକବ୍ୟକ୍ତ କରିଛନ୍ତି। ରେଡ୍ଡୀଙ୍କର ଅନ୍ତିମ ସତ୍କାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସୋମବାର ଶେଷ ହେବ ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର