ବେଙ୍ଗାଲୁରୁ: ସୋସିଆଲ ନେଟୱାର୍କିଂ ଓ ମାଇକ୍ରୋବ୍ଲଗିଂ ସାଇଟ୍ ଏକ୍ସ ସରକାରଙ୍କ ‘ସହଯୋଗ ପୋର୍ଟାଲ’କୁ ସମର୍ଥନ କରିବା ପାଇଁ ସେପ୍ଟେମ୍ବର ୨୪ରେ କର୍ଣ୍ଣାଟକ ହାଇକୋର୍ଟଙ୍କ ଆଦେଶକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରି ଏହାକୁ ଭାରତରେ ମୁକ୍ତ ଅଭିବ୍ୟକ୍ତି ପାଇଁ ଏକ ଝଟକା ବୋଲି କହିଛି। ଏଥିସହିତ ଏହି ଆଦେଶକୁ ଚ୍ୟାଲେଞ୍ଜ କରିବ ବୋଲି ନିଶ୍ଚିତ କରିଛି। ଏହାର ଗ୍ଲୋବାଲ୍ ଗଭର୍ଣ୍ଣମେଣ୍ଟ ଆଫେୟାର୍ସ ଆକାଉଣ୍ଟରୁ ଏକ ପୋଷ୍ଟରେ ଏକ୍ସ କହିଛି ଯେ କୋର୍ଟଙ୍କ ରାୟକୁ ନେଇ ଏହା ଗଭୀର ଚିନ୍ତିତ ଅଛି। କମ୍ପାନି ଯୁକ୍ତି କରିଛି ଯେ, ସହଯୋଗ ପୋର୍ଟାଲ୍ ସିଷ୍ଟମ୍ ଲକ୍ଷ ଲକ୍ଷ ପୁଲିସ ଅଧିକାରୀଙ୍କୁ ନ୍ୟାୟିକ ତଦାରଖ କିମ୍ବା ଉପଯୁକ୍ତ ପ୍ରକ୍ରିୟା ବିନା ଏକ ‘ଗୁପ୍ତ ଅନଲାଇନ୍ ପୋର୍ଟାଲ୍’ ମାଧ୍ୟମରେ ମନମୁଖି ହଟାଇବା ଆଦେଶ ଜାରି କରିବାକୁ ଅନୁମତି ଦେଇଥାଏ। ଏହି ଆଦେଶର ଆଇନଗତ ଆଧାର ନାହିଁ, ଏହା ଆଇଟି ଆଇନର ଧାରା ୬୯ଏକୁ ଏଡ଼ାଇ ଯାଉଛି, ସୁପ୍ରିମ୍କୋର୍ଟଙ୍କ ରାୟକୁ ଉଲ୍ଲଂଘନ କରୁଛି ଏବଂ ଭାରତୀୟ ନାଗରିକଙ୍କ ବାକ୍ ଓ ଅଭିବ୍ୟକ୍ତିର ସ୍ୱାଧୀନତା ପାଇଁ ସାମ୍ବିଧାନିକ ଅଧିକାରକୁ ଉଲ୍ଲଂଘନ କରୁଛି।
ଏକ୍ସର ମୂଳ ଯୁକ୍ତି ହେଉଛି, ସହଯୋଗ ପୋର୍ଟାଲ ଆଇଟି ଆଇନର ଧାରା ୬୯ଏ ଅନୁଯାୟୀ ପ୍ରତିଷ୍ଠିତ ପ୍ରକ୍ରିୟାଗତ ସୁରକ୍ଷାକୁ ଏଡ଼ାଇଥାଏ। ଧାରା ୬୯ଏ କେନ୍ଦ୍ର ସରକାରଙ୍କୁ ଜାତୀୟ ସୁରକ୍ଷା କିମ୍ବା ସାଧାରଣ ଶୃଙ୍ଖଳା ଭଳି ନିର୍ଦ୍ଦିଷ୍ଟ ଆଧାରରେ ବିଷୟବସ୍ତୁ ଅବରୋଧ ଆଦେଶ ଜାରି କରିବାକୁ ଅନୁମତି ଦେଇଥାଏ। ତା’ ପୂର୍ବରୁ ସମୀକ୍ଷା କମିଟି ଦ୍ବାରା ସମୀକ୍ଷା, ଲିଖିତ ଆଦେଶ ଓ ଶୁଣାଣି ବାଧ୍ୟତାମୂଳକ। ଅପରପକ୍ଷେ, ସହଯୋଗ ପୋର୍ଟାଲ ପୁଲିସ ଅଧିକାରୀମାନଙ୍କୁ ନ୍ୟାୟିକ ତଦାରଖ କିମ୍ବା ଉପଯୁକ୍ତ ପ୍ରକ୍ରିୟା ବିନା ଧାରା ୭୯(୩)(ଖ) ଅନୁଯାୟୀ ହଟାଇବା ଅନୁରୋଧ ଜାରି କରିବାକୁ ସକ୍ଷମ କରିଥାଏ। ସେପ୍ଟେମ୍ବର ୨୪ରେ, କର୍ଣ୍ଣାଟକ ହାଇକୋର୍ଟ ଏକ୍ସର ଚ୍ୟାଲେଞ୍ଜକୁ ଖାରଜ କରି ରାୟ ଦେଇଥିଲେ ଯେ, ସୋସିଆଲ ମିଡିଆ ବିଷୟବସ୍ତୁକୁ ‘ବାକ୍ ସ୍ୱାଧୀନତା ନାମରେ ଅନିୟନ୍ତ୍ରିତ ଛାଡ଼ି ଦିଆଯାଇପାରିବ ନାହିଁ।’ ଜଷ୍ଟିସ୍ ଏମ୍ ନାଗପ୍ରସନ୍ନ ରାୟର କିଛି ଅଂଶ ପଢ଼ି ସହଯୋଗ ପୋର୍ଟାଲକୁ ସାଇବର ଅପରାଧର ମୁକାବିଲା ପାଇଁ ନାଗରିକ ଓ ପ୍ଲାଟଫର୍ମ ମଧ୍ୟରେ ସହଯୋଗର ଏକ ସେତୁ ବୋଲି ବର୍ଣ୍ଣନା କରିଛନ୍ତି। ରାୟରେ କୁହାଯାଇଛି ଯେ, ସହଯୋଗ ପୋର୍ଟାଲ୍ ଆଇଟି ଆକ୍ଟର ଧାରା ୭୯(୩)(ବି) ଓ ୨୦୨୧ ନିୟମର ଧାରା ୩(ଡି) ଅଧୀନରେ ପରିକଳ୍ପିତ ଜନସାଧାରଣଙ୍କ ମଙ୍ଗଳ ପାଇଁ ଏକ ଉପକରଣ। କୋର୍ଟ କହିଛନ୍ତି ଯେ ଧାରା ୧୯(୧)(କ)ର ଅଧିକାର କେବଳ ଭାରତୀୟ ନାଗରିକଙ୍କ ପାଇଁ ପ୍ରଯୁଜ୍ୟ, ଏକ୍ସ ପରି ବିଦେଶୀ ସଂସ୍ଥା ପାଇଁ ନୁହେଁ। ସୁପ୍ରିମ୍କୋର୍ଟଙ୍କ ଶ୍ରେୟା ସିଂଘାଲ ରାୟ ଉପରେ ଏକ୍ସର ନିର୍ଭରଶୀଳତାକୁ ମଧ୍ୟ କୋର୍ଟ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, ଏହା ପୁରୁଣା ଆଇଟି ନିୟମ ଉପରେ ଆଧାରିତ ଏବଂ ୨୦୨୧ ନିୟମ ଅନୁଯାୟୀ ବର୍ତ୍ତମାନ ପାଇଁ ପ୍ରଯୁଜ୍ୟ ନୁହେଁ।