ନୂଆଦିଲ୍ଲୀ : ଦ୍ରୌପଦୀ ମୁର୍ମୁ ଭାରତର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ୍ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ମିଳିମିଶି କାମ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ।

Advertisment

ନିଜର ଅଭିନନ୍ଦନ ବାର୍ତ୍ତାରେ ସି କହିଛନ୍ତି ଯେ, ଦୁଇଦେଶ ମଧ୍ୟରେ ଭରସା ବୃଦ୍ଧି, ଦ୍ବିପାକ୍ଷିକ ସହଯୋଗ ଓ ଦୁଇ ଦେଶ ମଧ୍ୟରେ ଥିବା ମତଭେଦକୁ ଠିକ ଭାବରେ ଦୂର କରିବାକୁ ସେ ମୁର୍ମୁଙ୍କ ସହ ମିଳିମିଶି କାମ କରିବାକୁ ସେ ପ୍ରସ୍ତୁତ ।

ସେ କହିଛନ୍ତି ଯେ, ଭାରତ ଓ ଚୀନ ଦୁଇ ଗୁରୁତ୍ବପୂର୍ଣ୍ଣ ପଡ଼ୋଶୀ ଦେଶ । ଏହି ଦୁଇ ପଡ଼ୋଶୀଙ୍କ ମଧ୍ୟରେ ସୁସସମ୍ପର୍କ ରହିବା ଦୁଇ ଦେଶ ଓ ଲୋକମାନଙ୍କ ପାଇଁ ମଙ୍ଗଳକର । ଏହା ମଧ୍ୟ ଆଞ୍ଚଳିକ ଓ ବିଶ୍ବ ଶାନ୍ତି ଓ ସ୍ଥିରତା ପାଇଁ ବେଶ ଜରୁରୀ ।

ସି କହିଛନ୍ତି ଯେ, ସେ ଭାରତ-ଚୀନ ସଂପର୍କକୁ ଗୁରୁତ୍ବ ଦେଉଛନ୍ତି । ଦୁଇଦେଶ ମଧ୍ୟରେ ଭରସା ବୃଦ୍ଧି କରି ଦ୍ବିପାକ୍ଷିକ ସମ୍ପର୍କକୁ ଆଗେଇ ନେବାକୁ ସେ ମୁର୍ମୁଙ୍କ ସହ କାମ କରିବାକୁ ପ୍ରସ୍ତୁତ ।

ସୂଚନାଯୋଗ୍ୟ ଯେ, ଦ୍ରୌପଦୀ ମୁର୍ମୁ ଆଜି ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନଭି ରମନ୍ନା ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ।