ସି ଜିନପିଙ୍ଗ ଗୃହବନ୍ଦୀ ହେବା ନେଇ ଗୁଜବ

ଚୀନ୍‌ ସୋସିଆଲ୍‌ ମିଡିଆରେ ଭାଇରାଲ

ନୂଆଦିଲ୍ଲୀ : ସମ୍ପ୍ରତି ଇଣ୍ଟରନେଟରେ ଏକ ଖବର ହଇଚଇ ସୃଷ୍ଟି କରିଛି, ତାହା ହେଉଛି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ କୁଆଡ଼େ ଗୃହବନ୍ଦୀ କରାଯାଇଛି। ଅନେକ ଚାଇନିଜ୍ ସୋସିଆଲ ମିଡ଼ିଆ ବ୍ୟବହାରକାରୀ କହିଛନ୍ତି ଯେ, ଚୀନ୍‌ କମ୍ୟୁନିଷ୍ଟ ପାର୍ଟି (ସିସିପି)ର ବରିଷ୍ଠ ନେତାମାନେ ପିପୁଲ୍‌ସ ଲିବରେସନ ଆର୍ମି (ପିଏଲ୍‌ଏ)ର ମୁଖ୍ୟ ପଦରୁ ସି ଜିନପିଙ୍ଗଙ୍କୁ ବାହାର କରିଦେବା ପରେ ତାଙ୍କୁ ଏବେ ଗୃହବନ୍ଦୀ କରି ରଖାଯାଇଛି। କିନ୍ତୁ ଏହା ଏକ ଗୁଜବ ବୋଲି ଜଣାପଡ଼ିଛି।

ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ଚୀନ ନାଗରିକମାନେ ଦାବି କରିଛନ୍ତି ଯେ ବେଜିଂ ଏବେ ସାମରିକ ଅଧିକାରୀଙ୍କ କବ୍‌ଜାରେ ରହିଛି। ଆଉ ଏକ ରିପୋର୍ଟ ଅନୁସାରେ ପୂର୍ବତନ ଚୀନ୍ ରାଷ୍ଟ୍ରପତି ହୁ ଜିଣ୍ଟାଓ ଏବଂ ପୂର୍ବତନ ଚୀନ୍ ପ୍ରଧାନମନ୍ତ୍ରୀ ୱେନ ଜିବାଓ ସ୍ଥାୟୀ କମିଟି ସଦସ୍ୟ ସଙ୍ଗ ପିଙ୍ଗଙ୍କୁ ସେଣ୍ଟ୍ରାଲ ଗାର୍ଡ ବ୍ୟୁରୋକୁ ନିଜ ନିୟନ୍ତ୍ରଣକୁ ନେବାକୁ ଅନୁରୋଧ କରିଛନ୍ତି। ରିପୋର୍ଟ ଅନୁସାରେ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ଶିଖର ସମ୍ମିଳନୀରୁ ସେପ୍ଟେମ୍ବର ୧୬ରେ ଫେରିବା ପରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ବିମାନବନ୍ଦରରେ ହିଁ ଅଟକ ରଖାଯାଇଥିଲା ଏବଂ ସେବେଠାରୁ ସେ ଗୃହବନ୍ଦୀରେ ଅଛନ୍ତି।

ବିଜେପି ନେତା ସୁବ୍ରମଣ୍ୟମ୍ ସ୍ବାମୀ ମଧ୍ୟ ଏହି ଖବରକୁ ଏକ ଗୁଜବ ବୋଲି ଟ୍ବିଟ୍ କରିଛନ୍ତି। ଅନେକ ଭାରତୀୟ ପୋର୍ଟାଲ ମଧ୍ୟ ଏହାକୁ ଏକ ଗୁଜବ ବୋଲି କହିଛି। ସିଏନ୍‌ଏନ୍, ବିବିସି ପରି ଅନ୍ତର୍ଜାତୀୟ ୱେବ୍‌ସାଇଟ୍‌ରେ ଏ ନେଇ କୌଣସି ଖବର ନାହିଁ। ଯଦି ସି ଜିନପିଙ୍ଗଙ୍କୁ ଗୃହବନ୍ଦୀ କରାଯାଇଥାନ୍ତା ତେବେ ‌ଏହା ଏକ ଅନ୍ତର୍ଜାତୀୟ ଖବର ହୋଇଯାଇଥାନ୍ତା।

ସମ୍ବନ୍ଧିତ ଖବର