ନୂଆଦିଲ୍ଲୀ: ଯୁଦ୍ଧ ଜିଣିବା ନିମନ୍ତେ ଚୀନ୍ର ‘ପିପୁଲ୍ସ୍ ଲିବରେସନ୍ ଆର୍ମି’ ଅତ୍ୟାଧୁନିକ ଯୁଦ୍ଧ ଉପକରଣ ବ୍ୟବହାର କରିବା ସହ ବାସ୍ତବ ଯୁଦ୍ଧ ଭଳି ଅବସ୍ଥାରେ ତାଲିମ ନେବା ଆବଶ୍ୟକ ବୋଲି ଚୀନ୍ର ରାଷ୍ଟ୍ରପତି ତଥା ‘ଚୀନ୍ କମ୍ୟୁନିଷ୍ଟ୍ ପାର୍ଟି’ର ମୁଖ୍ୟ ସି ଜିନ୍ପିଙ୍ଗ୍ ବୁଧବାର ଦିନ କହିଛନ୍ତି।
‘ସେଣ୍ଟ୍ରାଲ୍ ମିଲିଟାରି କମିସନ୍’ର (ସିଏମ୍ସି) ଅଧ୍ୟକ୍ଷ ଥିବା ୬୭ ବର୍ଷିୟ ଜିନ୍ପିଙ୍ଗ୍ ‘ସିଏମ୍ସି’ର ଏକ ସଭାରେ ଭାଷଣ ଦେବା ବେଳେ ଏହି ମନ୍ତବ୍ୟ ଦେଇଛନ୍ତି।
ଚୀନ୍ର ସେନାର ଯୁଦ୍ଧ ଲଢ଼େଇ ଦକ୍ଷତା, ନିରାପତ୍ତା, ପରିବେଶ ଏବଂ ଆଧୁନିକ ଯୁଦ୍ଧ କୌଶଳର ରୂପରେଖରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେଉଛି । ସେନାରେ ବୈଜ୍ଞାନିକ ଏବଂ ବୈଷୟିକ ଶିକ୍ଷାଦୀକ୍ଷା ଥିବା ଅଧିକାରୀମାନଙ୍କୁ ନିଯୁକ୍ତ କରାଯିବ ବୋଲି ମଧ୍ୟ ସେ କହିଛନ୍ତି।
ଚୀନ୍ରେ ଦୁଇ ନିୟୁତ ସୈନ୍ୟବିଶିଷ୍ଟ ‘ପିପୁଲ୍ସ୍ ଲିବରେସନ୍ ଆର୍ମି’ ନିମନ୍ତେ ଆଦେଶ ଜାରି କରୁଥିବା ସର୍ବୋଚ୍ଚ ପ୍ରତିଷ୍ଠାନ ହେଉଛି ‘ସେଣ୍ଟ୍ରାଲ୍ ମିଲିଟାରି କମିସନ୍’।
/sambad/media/post_attachments/wp-content/uploads/2020/11/chinese-army.jpg)
‘ପିପୁଲ୍ସ୍ ଲିବରେସନ୍ ଆର୍ମି’କୁ ବିଶ୍ୱର ଶ୍ରେଷ୍ଠ ସେନାବାହିନୀରେ ପରିଣତ କରିବାକୁ ଯଥା ଶୀଘ୍ର ନୂତନ ଧରଣର ସାମରିକ ତାଲିମ ଧାରା ଆରମ୍ଭ କରାଯିବ ବୋଲି ମଧ୍ୟ ଜିଙ୍ଗ୍ପିନ୍ କହିଥିବା କଥା ରାଷ୍ଟ୍ରାୟତ ଖବର ସରବରାହ ସଂସ୍ଥାନ ‘ଚିନ୍ହୁଆ’ ରିପୋର୍ଟ କରିଛି।
୨୦୨୭ ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାର ସେନା ସମକକ୍ଷ ସମ୍ପୂର୍ଣ୍ଣ ଆଧୁନିକ ସେନା ନିର୍ମାଣ କରିବାକୁ ନିକଟ ଅତୀତରେ ଶେଷ ହୋଇଥିବା ରୁଦ୍ଧଦ୍ୱାର ବୈଠକରେ ଚୀନ୍ର କମ୍ୟୁନିଷ୍ଟ୍ ପାର୍ଟି ଚୂଡ଼ାନ୍ତ କରିଥିଲା। ‘ଷ୍ଟକ୍ହୋମ୍ ଇଣ୍ଟର୍ନ୍ୟାସ୍ନାଲ୍ ପିସ୍ ରିସର୍ଚ ଇନ୍ଷ୍ଟିଚ୍ୟୁଟ୍’ ମତରେ, ୨୦୧୯ରେ ଚୀନ୍ ସେନା ୨୩୨ ବିଲିୟନ୍ ଡଲାର୍ ବ୍ୟୟ କରିଛି। ୨୦୨୦ରେ ଚୀନ୍ର ସାମରିକ ବ୍ୟୟ ଅଟକଳ ଥିଲା ୧୭୯ ବିଲିୟନ୍ ଡଲାର୍।
ଏଥିସହ, ବିବାଦୀୟ ଦକ୍ଷିଣ ଚୀନ୍ ସାଗର ଏବଂ ତାଇଓ୍ଵାନ୍ ଊର୍ଦ୍ଧ୍ୱରେ ଚୀନ୍ ସେନା ତା’ର ପାରଦର୍ଶିତା ପ୍ରଦର୍ଶନ କରୁଛି।