ମୋର୍ବି ଝୁଲାପୋଲ ଦୁର୍ଘଟଣା: ରାଷ୍ଟ୍ରପତି ମୁର୍ମୁ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ସନ୍ଦେଶ ପଠାଇଲେ ଜିନପିଙ୍ଗ

ନୂଆଦିଲ୍ଲୀ: ଗୁଜରାଟର ମୋର୍ବି ସହରରେ ରବିବାର ସଂନ୍ଧ୍ୟାର ଝୁଲାପୋଲ ଭୁଶୁଡ଼ିବା ଘଟଣା ସାରା ବିଶ୍ବକୁ ସ୍ତବ୍ଧ କରିଦେଇଛନ୍ତି। ୧୪୧ଜଣଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଦେଶବାସୀ। ଭୁଲ କାହାର? ଏପ୍ରଶ୍ନର ଉତ୍ତର ଖୋଜା ଚାଲିଛି। ଏମଧ୍ୟରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ସନ୍ଦେଶ ପଠାଇଛନ୍ତି। ସେ ପଠାଇଥିବା ସମବେଦନା ବାର୍ତ୍ତାରେ ଲେଖାଯାଇଛି ଯେ ଏହି ଖବର ଶୁଣି ସେ ସ୍ତବ୍ଧ ହୋଇଯାଇଛନ୍ତି। ଚୀନ୍‌ର ଅଫିସିଆଲ୍ ନ୍ୟୁଜ୍ ଏଜେନ୍ସି ଜିନହୁଆ ଅନୁଯାୟୀ ରାଷ୍ଟ୍ରପତି ଜିନପିଙ୍ଗ ତାଙ୍କ ବାର୍ତ୍ତାରେ ଏହି ଦୁର୍ଘଟଣାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

ଏଜେନ୍ସି ଅନୁଯାୟୀ, ଚୀନ୍ ସରକାର ଏବଂ ଦେଶବାସୀଙ୍କ ତରଫରୁ ଜିନପିଙ୍ଗ ୧୪୧ ଲୋକଙ୍କ ମୃତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କରିବା ସହ ସେମାନଙ୍କ ପରିବାର ତଥା ଆହତଙ୍କୁ ସମବେଦନା ଜଣାଇଛନ୍ତି।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ମୋର୍ବି ଝୁଲାପୋଲ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରି ସେଠାରେ ଚାଲିଥିବା ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ସମୟରେ ଦୁର୍ଘଟଣା ପରେ ରିଲିଫ୍ ଅପରେସନ୍ ସମ୍ପର୍କରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆହତମାନଙ୍କୁ ଯାଇ ଭେଟିଥିଲେ।

ତେବେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପୂର୍ବରୁ ମୋର୍ବୀ ଝୁଲାପୋଲ ଉପରେ ଲାଗିଥିବା ଓରେଭାର ପୋଷ୍ଟର ଉପରେ ପରଦା ପକାଯାଇଥିଲା। ଏହା ବ୍ୟତୀତ ଅହମଦାବାଦରେ ଥିବା ଓରେଭା ଗ୍ରୁପର ଆବର ଫାର୍ମ ହାଉସରେ ମଧ୍ୟ ତାଲା ପକାଯାଇଥିଲା।

ସମ୍ବନ୍ଧିତ ଖବର