ଆସନ୍ତା ସପ୍ତାହରେ ଋଷ ଗସ୍ତରେ ଯିବେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ, ବିଶ୍ଵବ୍ୟାପୀ ଜୋରଦାର ଚର୍ଚ୍ଚା

ବେଜିଙ୍ଗ: ଆସନ୍ତା ସପ୍ତାହରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଋଷ ଗସ୍ତରେ ଯିବେ | ଆଉ ତାଙ୍କର ମସ୍କୋ ଗସ୍ତକୁ ନେଇ ଚୀନ୍ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଜିନପିଙ୍ଗ ମସ୍କୋରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବେ। ବଡ କଥା ଯେ ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଚାଲିଥିବାବେଳେ ଜିନପିଙ୍ଗଙ୍କ ଏହି ଗସ୍ତ ଉପରେ ଆମେରିକା ସହ ଅନ୍ୟ ନାଟୋ ରାଷ୍ଟ୍ରମାନଙ୍କ ନଜର ରହିଛି | ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ମାର୍ଚ୍ଚ ୨୦ରୁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଋଷ ଗସ୍ତରେ ଯିବେ |

ଚୀନ୍‌ର ରାଷ୍ଟ୍ରପତି ଭାବରେ ତୃତୀୟଥର ଶାସନକୁ ଫେରିବା ପରେ ଏହା ଜିନପିଙ୍ଗଙ୍କ ପ୍ରଥମ ବୈଦେଶିକ ଗସ୍ତ ହେବ। ଅନ୍ୟପଟେ ଋଷ ପକ୍ଷରୁ କୁହାଯାଇଛି ଯେ ସି ଜିନପିଙ୍ଗ ମାର୍ଚ୍ଚ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଋଷ ଗସ୍ତରେ ଆସୁଛନ୍ତି | ଅନେକ ବିଶେଷଜ୍ଞ କହିଛନ୍ତି ଯେ ସି ଜିନପିଙ୍ଗଙ୍କ ଋଷ ଗସ୍ତ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, କାରଣ ଆମେରିକା ଚୀନକୁ ବିଭିନ୍ନ ପ୍ରସଙ୍ଗରେ ବିରୋଧ କରୁଥିବାବେଳେ ୟୁକ୍ରେନ ଯୁଦ୍ଧ ପାଇଁ ଋଷ ଉପରେ ମଧ୍ୟ ଆମେରିକା ଅନେକ ପ୍ରତିବନ୍ଧକ ଲଗାଇଛି | ଋଷ-ୟୁକ୍ରେନ ଯୁଦ୍ଧରେ ଆମେରିକା ଋଷ ବିରୁଦ୍ଧରେ ଥିବାବେଳେ ଚୀନ୍ ସହ ଆମେରିକାର ସମ୍ପର୍କ ମଧ୍ୟ ସ୍ୱାଭାବିକ ନୁହେଁ। ଏଭଳି ପରିସ୍ଥିତିରେ ଋଷ ଏବଂ ଚୀନ୍ ମଧ୍ୟରେ ନିବିଡ଼ତା ହେତୁ ଆମେରିକାର ଚିନ୍ତା ଆହୁରି ବୃଦ୍ଧି ପାଇବ।

ସମ୍ବନ୍ଧିତ ଖବର