ଆସନ୍ତା ସପ୍ତାହରେ ପୁଟିନଙ୍କୁ ଭେଟିବେ ଜିନପିଙ୍ଗ: ନିର୍ଣ୍ଣାୟକ ମୋଡ଼ ନେଇପାରେ ରୁଷ୍‌-ୟୁକ୍ରେନ ଯୁଦ୍ଧ

ନୂଆଦିଲ୍ଲୀ : ରୁଷ୍‌ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୧ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ବି କୌଣସି ପ୍ରକାର ସମାଧାନର ସୂତ୍ର ବାହାରି ପାରିନାହିଁ। ଏଭଳି ସ୍ଥିତିରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଆସନ୍ତା ସପ୍ତାହରେ ରୁଷ୍‌ ଗସ୍ତରେ ଯିବେ। ୨୦ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଜିନପିଙ୍ଗ ରୁଷ୍‌ ଗସ୍ତ କରିବେ ବୋଲି ଉଭୟ କ୍ରେମଲିନ୍ ଏବଂ ଚୀନର ବିଦେଶ ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ଦିନ ସୂଚନା ଦିଆଯାଇଛି।

ଯୁଦ୍ଧରେ ପୂର୍ଣ୍ଣଛେଦ ପକାଇବା ପାଇଁ ଚୀନ ପକ୍ଷରୁ ଗତମାସରେ ଶାନ୍ତି ସମ୍ବଳିତ ୧୨ ଦଫା ପ୍ରସ୍ତାବ ରଖାଯାଇଥିଲା। ଏଥିସହିତ ଗତକାଲି ଚୀନର ବିଦେଶ ମନ୍ତ୍ରୀ କ୍ୟୁଇନ ଗ୍ୟାଙ୍ଗ ତାଙ୍କ ୟୁକ୍ରେନୀୟ ପ୍ରତିପକ୍ଷ ଦିମିତ୍ରି କୁଲେବାଙ୍କ ସହିତ ଫୋନରେ ଶାନ୍ତି ପାଇଁ ଆଲୋଚନା କରିଥିଲେ। ଏହାପରେ ଜିନପିଙ୍ଗଙ୍କ ମସ୍କୋ ଗସ୍ତ କିଛିଟା ସକାରାତ୍ମକ ଫଳ ଆଣିବ ବୋଲି ଆଶା କରାଯାଉଛି। ଚୀନ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ହୁଆ ଚୁନିଂ ଶୁକ୍ରବାର କହିଛନ୍ତି ଯେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆମନ୍ତ୍ରଣ କ୍ରମେ ଜିନପିଙ୍ଗ୍ ଚଳିତମାସ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ମସ୍କୋ ଗସ୍ତରେ ଯିବେ। ସେପଟେ କ୍ରେମଲିନ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ସେଥିରେ କୁହାଯାଇଛି ଦୁଇ ଦେଶ ମଧ୍ୟରେ ସହଯୋଗିତାକୁ ଅଧିକ ମଜଭୁତ କରିବା ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଜିନପିଙ୍ଗ ଓ ପୁଟିନଙ୍କ ମଧ୍ୟରେ ଏହି ଗସ୍ତ ସମୟରେ ଆଲୋଚନା ହେବ। ଅନ୍ତର୍ଜାତୀୟ ଦୃଶ୍ୟପଟ ପରିପ୍ରେକ୍ଷୀରେ ଚୀନ ଏବଂ ରୁଷ୍‌ ମଧ୍ୟରେ ସଂପର୍କକୁ କିଭଳି ଅଧିକ ବ୍ୟାପକ କରାଯାଇ ପାରିବ ସେ ନେଇ ଦୁଇ ନେତା ଆଲୋଚନା କରିବେ। ଚୀନ ଓ ରୁଷ୍‌ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ସଂପର୍କ ରହିଛି। ବର୍ତ୍ତମାନ ସୁଦ୍ଧା ୟୁକ୍ରେନ ଉପରେ ରୁଷ୍‌ କରିଥିବା ଆକ୍ରମଣକୁ ଚୀନ ନିନ୍ଦା କରିନାହିଁ। ବରଂ ଆମେରିକା ଓ ନାଟୋ ରୁଷ୍‌କୁ ଉତ୍ତେଜିତ କରିବା ଫଳରେ ମସ୍କୋ ଏଭଳି ପଦକ୍ଷେପ ନେଇଛି ବୋଲି ଚୀନ ଦର୍ଶାଇ ଆସୁଛି।

ଏହାସତ୍ତ୍ବେ ୟୁକ୍ରେନ ଯୁଦ୍ଧକୁ ନେଇ ଚୀନ ଚିନ୍ତିତ ଅଛି। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା ବେଜିଂ ଅନୁଭବ କରୁଛି ବୋଲି ୟୁକ୍ରେନ ବିଦେଶ ମନ୍ତ୍ରୀଙ୍କୁ ତାଙ୍କ ଚୀନ ପ୍ରତିପକ୍ଷ ଗୁରୁବାର କହିଛନ୍ତି। ଆଲୋଚନା ବେଳେ ଚୀନ ବିଦେଶ ମନ୍ତ୍ରୀ କ୍ୟୁଇନ କହିଥିଲେ ଯେ ପରିସ୍ଥିତି ଯେତେ ଜଟିଳ ଓ ଆହ୍ବାନପୂର୍ଣ୍ଣ ହେଲେ ମଧ୍ୟ ରୁଷ୍‌ ଏବଂ ୟୁକ୍ରେନ ଆଲୋଚନାର ପଥକୁ ଉନ୍ମୁକ୍ତ ରଖିବେ ବୋଲି ଆମେ ଆଶା ରଖିଛୁ। ଏଥିସହିତ ଯୁଦ୍ଧ ବନ୍ଦ କରି ଶାନ୍ତି ଫେରାଇ ଆଣିବା ଦିଗରେ ଚୀନ ଗଠନମୂଳକ ଭୂମିକା ଗ୍ରହଣ କରିବ ବୋଲି କ୍ୟୁଇନ କହିଥିଲେ। ବିଦେଶ ମନ୍ତ୍ରୀ ସ୍ତରରେ ଟେଲିଫୋନରେ ଆଲୋଚନା ପରେ ରାଷ୍ଟ୍ରପତି ଜିନପିଙ୍ଗ୍ ମଧ୍ୟ ତାଙ୍କ ୟୁକ୍ରେନୀୟ ପ୍ରତିପକ୍ଷ ବୋଲଡିମିର ଜେଲେନ୍ସିଙ୍କ ସହିତ ଆଲୋଚନା କରିପାରନ୍ତି ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ, ଗତ ୪ ବର୍ଷ ଭିତରେ ଜିନପିଙ୍ଗଙ୍କର ଏହା ପ୍ରଥମ ରୁଷ୍‌ ଗସ୍ତ। ଏହା ପୂର୍ବରୁ ଜିନପିଙ୍ଗ୍ ୨୦୧୯ରେ ରୁଷ୍‌ ଯାଇଥିଲେ।

ସମ୍ବନ୍ଧିତ ଖବର