ବେଜିଂ : ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ କ୍ଷମତାକୁ ଜାବୁଡ଼ି ଧରିବା ପାଇଁ ଦୁର୍ନୀତି ବିରୋଧୀ କାର୍ଯ୍ୟାନୁଷ୍ଠାନ ନାଁରେ ଜଣକ ପରେ ଜଣେ ବିରୋଧୀଙ୍କୁ ସଫା କରିବାରେ ଲାଗିଛନ୍ତି। ଏକ ଦଶନ୍ଧି ତଳେ ଯେତେବେଳେ ସେ କ୍ଷମତାକୁ ଆସିଥିଲେ ସେତେବେଳେ ପ୍ରତିଜ୍ଞା କରିଥିଲେ ଯେ ଅସାଧୁ କର୍ମଚାରୀଙ୍କ ମୂଳୋତ୍ପାଟନ କରିବେ- ସେ ନେତା, ମନ୍ତ୍ରୀ ବା ବରିଷ୍ଠ ଅଧିକାରୀ ହୁଅନ୍ତୁ କି ତଳସ୍ତରର ସାଧାରଣ କର୍ମଚାରୀ ହୁଅନ୍ତୁ। ଅଦ୍ୟାବଧି ଜିନପିଙ୍ଗ ଦେଢ଼ ନିୟୁତ ଦୁର୍ନୀତିଗ୍ରସ୍ତଙ୍କୁ ଦଣ୍ଡିତ କରିଛନ୍ତି ଏବଂ ସ୍ବଚ୍ଛତା ସୂଚକାଙ୍କରେ ଚୀନ୍ର ଉନ୍ନତି ଘଟିଛି।
ତେବେ ସମାଲୋଚକ ମାନଙ୍କ କହିବା ଅନୁସାରେ ଶତ୍ରୁମାନଙ୍କୁ ମୂଳୋତ୍ପାଟନ କରିବା ପାଇଁ ସି ଜିନପିଙ୍ଗ ଏହାକୁ ଏକ ରାଜନୈତିକ ଅସ୍ତ୍ର କରିଛନ୍ତି। ଚଳିତବର୍ଷ ଆରମ୍ଭରୁ ଏପର୍ଯ୍ୟନ୍ତ ଦଳର ପ୍ରାୟ ୧,୧୦୦ କର୍ମକର୍ତ୍ତାଙ୍କ ବିରୋଧରେ ଦୁର୍ନୀତି ନାଁରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ଉପ-ଜନସୁରକ୍ଷା ମନ୍ତ୍ରୀ ସନ ଲିଜୁନ ଏବଂ ପୂର୍ବତନ ନ୍ୟାୟମନ୍ତ୍ରୀ ଫୁ ସେଙ୍ଘୁଆ, ଯେଉଁମାନେ ଏବେ ଜୀବନର ଅବଶିଷ୍ଟ ସମୟ ଜେଲରେ କଟାଇବେ। ଆଗକୁ ଦଳର ବୈଠକ ଥିବାରୁ ତା’ ପୂର୍ବରୁ ଜିନପିଙ୍ଗ ତାଙ୍କ କ୍ଷମତା ରାସ୍ତରୁ ‘ଅନ୍ତିମ ସଫେଇ’ କରିବେ ବୋଲି ଆଶା କରାଯାଉଛି। ଜିନପିଙ୍ଗଙ୍କ ଦୁର୍ନୀତିବିରୋଧୀ ଅଭିଯାନର ଏହି ଅନ୍ତିମ ପ୍ରହାର ଦଳୀୟ କଂଗ୍ରେସରେ କାର୍ମିକ ଓ ନୀତି ପ୍ରସଙ୍ଗରେ ତାଙ୍କର ସ୍ଥିତିକୁ ଅଧିକ ସୁଦୃଢ଼ କରିବ ବୋଲି କହିଛନ୍ତି ହଂକଂ ବିଶ୍ବବିଦ୍ୟାଳୟର ରାଜନୈତିକ ବିଶ୍ଳେଷକ ୱିଲି ଲାମ। ଏହା ମାଧ୍ୟମରେ ଜିନପିଙ୍ଗ ୧୯୯୦ ଦଶକରୁ ରହିଆସିଥିବା ନିୟମରେ ସଂଶୋଧନ ଆଣି ତୃତୀୟ ପାଳି ପାଇଁ କ୍ଷମତାରେ ରହିବେ ବୋଲି ଆଶା କରାଯାଉଛି।