ଲଦାଖ ସୀମାରେ ଉତ୍ତେଜନା ସତ୍ତ୍ୱେ ପାକିସ୍ତାନ ଗସ୍ତରେ ଯିବେ ଚୀନ ରାଷ୍ଟ୍ରପତି

ବେଜିଙ୍ଗ: ଲଦାଖ ସୀମାରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ସତ୍ତ୍ୱେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଖୁବ ଶୀଘ୍ର ପାକିସ୍ତାନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟ ମଧ୍ୟରେ ସାମରିକ ଏବଂ ବାଣିଜ୍ୟ କ୍ଷେତ୍ରରେ ଉଭୟ ଦେଶରେ ଅନେକ ପ୍ରମୁଖ ଚୁକ୍ତିନାମା ହେବ ବୋଲି ଆଶା କରାଯାଉଛି। ତାଙ୍କ ଗସ୍ତ ସମୟରେ ଜିନପିଙ୍ଗ ଇସଲାମାବାଦରେ ପାକିସ୍ତାନ ଓ ଚୀନର ବାର୍ଷିକ ଉଚ୍ଚ ସ୍ତରୀୟ ବୈଠକରେ ଯୋଗଦେବେ। ରାଷ୍ଟ୍ରପତି ହେବା ପରେ ଏହା ଜିନପିଙ୍ଗଙ୍କ ପାକିସ୍ତାନକୁ ଦ୍ୱିତୀୟ ଗସ୍ତ ହେବ। ଏହାପୂର୍ବରୁ ସେ ୨୦୧୫ ରେ ଇସଲାମାବାଦ ଗସ୍ତ କରିଥିଲେ । ଜିନପିଙ୍ଗଙ୍କ ପାକିସ୍ତାନ ଗସ୍ତ ପୂର୍ବରୁ ଜୁନ୍ ମାସରେ ଧାର୍ଯ୍ୟ କରାଯାଇଥିଲା କିନ୍ତୁ କରୋନା ଭୂତାଣୁ ମହାମାରୀ ହେତୁ ଏହାକୁ ବାତିଲ କରିଦିଆଯାଇଥିଲା।

୨୦୨୦ ମସିହାରେ ଚୀନ୍ ରାଷ୍ଟ୍ରପତିଙ୍କ ଏହା ଦ୍ୱିତୀୟ ବୈଦେଶିକ ଗସ୍ତ ହେବ। ଏହାପୂର୍ବରୁ ସେ ଜାନୁଆରୀରେ ମିଆଁମାର ଗସ୍ତ କରିଥିଲେ। ଚୀନ୍ ସରକାରୀ ଗଣମାଧ୍ୟମ ଅନୁଯାୟୀ ଜିନପିଙ୍ଗଙ୍କ ପାକିସ୍ତାନ ଗସ୍ତ ପାଇଁ କୌଣସି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇ ନାହିଁ।

୨୦୧୫ ମସିହାରେ ଯେତେବେଳେ ଜିନପିଙ୍ଗ ପାକିସ୍ତାନ ଗସ୍ତରେ ଯାଇଥିଲେ ସେତେବେଳେ ଚୀନ-ପାକିସ୍ତାନ ଇକୋନୋମିକ୍ କରିଡର ବାବଦରେ ଦୁଇ ଦେଶ ମଧ୍ୟରେ ୫୧ଟି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ତେବେ ଚୀନ ରାଷ୍ଟ୍ରପତିଙ୍କ ଏହି ଗସ୍ତ ଭାରତ ପାଇଁ ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି | କାରଣ ଚୀନ୍ କେବଳ ଲଦାଖ ଏବଂ ଅକସାଇ ଚୀନ ଅଞ୍ଚଳରେ ନୁହେଁ ବରଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ମଧ୍ୟ ପାକିସ୍ତାନ ସହ ମିଶି ନିର୍ମାଣ କାର୍ଯ୍ୟ ଜାରି ରଖିଛି |

ସମ୍ବନ୍ଧିତ ଖବର