‘ଜେଡ୍‌’ ସହର କର୍ମଚାରୀଙ୍କୁ ‘ୱାଇ’ ସୁବିଧା

ଘରଭଡ଼ା ବାବଦରେ ନାଇଜର୍‌ କର୍ମଚାରୀଙ୍କ ପାଇଁ ଅଧିକ ୨.୮୦ କୋଟି ପୈଠ
ଅନିୟମିତତାକୁ ସିଏଜି ଧରିଲେ, ଟଙ୍କା ଆଦାୟ ପାଇଁ କହିଲେ

ନୂଆଦିଲ୍ଲୀ : ‘ୱାଇ’ ତାଲିକାରେ ଥିବା ସହରର କର୍ମଚାରୀଙ୍କୁ ଘରଭଡ଼ା ବାବଦରେ ‘ଜେଡ୍‌’ ସହର ଭଳି ସୁବିଧା। ଏଥିପାଇଁ ପାଖାପାଖି ଦେଢ଼ବର୍ଷ ଅର୍ଥାତ୍‌ ୨୦୧୯ ମସିହା ଜୁଲାଇ ମାସରୁ ୨୦୨୦ ମସିହା ଫେବ୍ରୁଆରି ମଧ୍ୟରେ ଅଧିକ ୨.୮୦ କୋଟି ଟଙ୍କା ପ୍ରଦାନ କରାଯାଇଛି।

ଭୁବନେଶ୍ୱରସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ୍ ରିସର୍ଚ୍ଚ (ନାଇଜର) କ୍ଷେତ୍ରରେ ଘଟିଥିବା ଏହିଭଳି ଅନିୟମିତତାକୁ ସିଏଜି ଧରିଛନ୍ତି। ଗତକାଲି ସଂସଦରେ ଉପସ୍ଥାପିତ କରାଯାଇଥିବା ସିଏଜି ରିପୋର୍ଟରୁ ଏହା ଜଣାପଡ଼ିଛି।

ରିପୋର୍ଟ ଅନୁସାରେ, କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗ ୨୦୧୫ ମସିହା ଜୁଲାଇ ମାସରେ ହାଉସ ରେଣ୍ଟ ଆଲାଉନ୍ସ (ଏଚଆରଏ) ଧାର୍ଯ୍ୟ କରିବା ଉଦ୍ଦେଶ୍ୟରେ ସହର/ନଗର ଗୁଡ଼ିକର ବର୍ଗୀକରଣ କରିଥିଲା। ଏକ୍ସ, ୱାଇ ଓ ଜେଡ୍‌ ଏହି ତିନୋଟି ବିଭାଗରେ ଏହାକୁ ବିଭକ୍ତ କରାଯାଇଥିଲା। କଟକ, ଭୁବନେଶ୍ବର ଓ ରାଉରକେଲା ଭଳି ସହରକୁ ‘ୱାଇ’ ତାଲିକାରେ ରଖାଯାଇଥିବାବେଳେ ଅବଶିଷ୍ଟ ସହରକୁ ଜେଡ୍‌ ତାଲିକାରେ ରଖାଯାଇଛି। ‘ୱାଇ’ ତାଲିକାରେ ଥିବା ସହରଗୁଡ଼ିକ ପାଇଁ ଏଚ୍‌ଆର୍‌ଏ ୨୦ ପ୍ରତିଶତ ଧାର୍ଯ୍ୟ କରାଯାଇଥିଲା। ସେହିଭଳି, ଜେଡ୍‌ ତାଲିକାରେ ଥିବା ସହର ପାଇଁ ଧାର୍ଯ୍ୟ ହୋଇଥିଲା ୧୦ ପ୍ରତିଶତ। ୨୦୦୭ ମସିହାରେ ନାଇଜର୍‌ ପ୍ରଥମେ ଭୁବନେଶ୍ବରଠାରେ କାର୍ଯ୍ୟ ଆରମ୍ଭ କରିଥିଲା। ଏହାପରେ ୨୦୧୫ ମସିହା ଜୁଲାଇ ମାସରେ ଖୋର୍ଦ୍ଧା ଜିଲ୍ଲାର ଜଟଣୀରେ ପ୍ରତିଷ୍ଠିତ ସ୍ଥାୟୀ କ୍ୟାମ୍ପସ୍‌କୁ ସ୍ଥାନାନ୍ତରିତ ହୋଇଥିଲା। ସିଏଜି ରିପୋର୍ଟରେ ଜଟଣୀକୁ ଜେଡ୍‌ ତାଲିକାରେ ସ୍ଥାନିତ କରାଯାଇଛି। କିନ୍ତୁ ଏହାର କର୍ମଚାରୀଙ୍କୁ ୱାଇ ତାଲିକାରେ ଥିବା ନଗର/ସହର ଭଳି ଏଚ୍‌ଆର୍‌ଏ ପ୍ରଦାନ କରାଯାଇଛି।

ରିପୋର୍ଟରେ ଦର୍ଶାଯାଇଛି ଯେ, ଅଡିଟ୍‌ ଟିମ୍‌ ପକ୍ଷରୁ ଏ ସମ୍ପର୍କରେ ଓଡ଼ିଶାସ୍ଥିତ ଜନଗଣନା ନିର୍ଦ୍ଦେଶକଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ଜନଗଣନା ନିର୍ଦ୍ଦେଶକ ଜଟଣୀ ସହର ଭୁବନେଶ୍ବର ମହାନଗର ପର୍ଯ୍ୟାୟରେ ଆସୁନଥିବା ଜଣାଇଥିଲେ। ତେବେ, ରିପୋର୍ଟରୁ ଜଣାପଡ଼ିଛି ଯେ ଜେଡ୍‌ ତାଲିକାରେ ନ ଥାଇ ବି ନାଇଜର୍‌ କର୍ମଚାରୀଙ୍କୁ ଅତିରିକ୍ତ ସୁବିଧା ପ୍ରଦାନ କରାଯାଇଛି। ଏବଂ ଏଚ୍‌ଆର୍‌ଏ ବାବଦରେ ୨୦୧୯ ମସିହା ଜୁଲାଇରୁ ୨୦୨୦ ମସିହା ଫେବ୍ରୁଆରି ମଧ୍ୟରେ ଅଧିକ ୨.୨୦ କୋଟି ଟଙ୍କା ପୈଠ କରାଯାଇଛି।।

ରିପୋର୍ଟରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ ନାଇଜର୍‌ କର୍ତ୍ତୃପକ୍ଷଙ୍କ ଯୁକ୍ତିକୁ ସିଏଜି ଗ୍ରହଣ କରିନାହାନ୍ତି। ନାଇଜର୍‌ ଭୁବନେଶ୍ବରରେ ପ୍ରତିଷ୍ଠା ହୋଇଥିବାରୁ ତଦନୁଯାୟୀ ଏଚ୍‌ଆର୍‌ଏ ପ୍ରଦାନ କରାଯାଇଥିବା କର୍ତ୍ତୃପକ୍ଷ ଜଣାଇଥିଲେ। ମାତ୍ର, ଏହି ଯୁକ୍ତିକୁ ଗ୍ରହଣ ନ କରି ଏଚ୍‌ଆର୍‌ଏ ବାବଦରେ ଅଧିକ ଅର୍ଥ ନେଇଥିବା କର୍ମଚାରୀଙ୍କଠାରୁ ଆଦାୟ କରିବା ପାଇଁ କହିଥିବା ରିପୋର୍ଟରେ ଉଲ୍ଲେଖ ଅଛି।

ସମ୍ବନ୍ଧିତ ଖବର