ନୂଆଦିଲ୍ଲୀ: ୟାହୁ ଭାରତ ପାଇଁ ନିଜର ୨୦୨୧ ଇୟର ଇନ ରିଭ୍ୟୁ ବାବଦରେ ଘୋଷଣା କରିଛି | ଭାରତୀୟ ଇଣ୍ଟରନେଟ ୟୁଜର୍ସମାନେ ଚଳିତ ବର୍ଷ ସବୁଠାରୁ କେଉଁମାନଙ୍କୁ ଅଧିକ ଖୋଜିଥିଲେ ତାହା ଜାଣିବା ପାଇଁ ଏକ ସର୍ଭେ କରାଯାଇଥିଲା। ୨୦୨୧ ଇୟର ଇନ ରିଭ୍ୟୁ ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାରତରେ ଲୋକପ୍ରିୟତା ଅକ୍ଷୁର୍ଣ୍ଣ ରହିଛି। ଆଜି ମଧ୍ୟ ଇଣ୍ଟରନେଟରେ ତାଙ୍କୁ ଅଧିକ ଖୋଜାଯାଉଛି | ଏହା ପରେ କ୍ରିକେଟର ବିରାଟ କୋହଲିଙ୍କ ସଂଖ୍ୟା ଆସୁଛି | ସେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୃତୀୟ ସ୍ଥାନରେ ଥିବାବେଳେ ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯଥାକ୍ରମେ ଚତୁର୍ଥ ଏବଂ ପଞ୍ଚମ ସ୍ଥାନ ହାସଲ କରିଛନ୍ତି।

Advertisment

ସେହିପରି ଟପ ନ୍ୟୁଜମେକର କାଟାଗୋରୀରେ କୃଷକ ଆନ୍ଦୋଳନ ପ୍ରଥମ ସ୍ଥାନରେ ଥିବାବେଳେ ଡ୍ରଗ୍ସ ମାମଲାରେ ଖବର ପ୍ରକାଶ ପାଇବା ପରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ମଧ୍ୟ ବହୁତ ଥର ଖୋଜାଯାଇଛି | ସେ ଏହି କାଟାଗୋରୀରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି | ୨୦୨୧ର ବଜେଟ, ରାଜ କୁନ୍ଦ୍ରା ଏବଂ ବ୍ଲାକ୍ ଫଙ୍ଗସ୍ ଏହି ବର୍ଗରେ ଯଥାକ୍ରମେ ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି।

ସେହିପରି ସବୁଠାରୁ ଅଧିକ ଥର ଖୋଜାଯାଇଥିବା ଅଭିନେତାଙ୍କ ତାଲିକାରେ ଦିବଂଗତ ଅଭିନେତା ସିଦ୍ଧାର୍ଥ ଶୁକ୍ଳା ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ସଲମାନ ଖାନ ଦ୍ୱିତୀୟ ଓ ଅଲୁ ଅର୍ଜୁନ ତୃତୀୟ ସ୍ଥାନରେ ଅଛନ୍ତି। ସୂଚନା ଥାଉ କି ସବୁଠାରୁ ଅଧିକ ଖୋଜାଯାଇଥିବା ରାଜନେତାଙ୍କ ତାଲିକାରେ ମୋଦୀ ୧ ନମ୍ବରରେ ଥିବାବେଳେ ମମତା ବାନାର୍ଜୀ ଦ୍ୱିତୀୟ, ରାହୁଲ ଗାନ୍ଧୀ ତୃତୀୟ ଏବଂ ଅରବିନ୍ଦ କେଜ୍ରିୱାଲ ଚତୁର୍ଥ ସ୍ଥାନରେ ରହିଛନ୍ତି। ଏଥି ସହ ବିଜେପି ନେତା ତଥା ଗୃହମନ୍ତ୍ରୀ ଅମିତ ଶାହା ପଞ୍ଚମ ସ୍ଥାନରେ ଅଛନ୍ତି।