ଲକ୍ଷ୍ମୌ: ଗୁଜରାଟରୁ ଉତ୍ତରପ୍ରଦେଶ ଅଭିମୁଖେ ଏକ ଟ୍ରକରେ ପ୍ରବାସୀ ଶ୍ରମିକମାନେ ଘରକୁ ଫେରୁଥିଲେ। ଆଉ ଏହି ଟ୍ରକରେ ଆସୁଥିବା ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ ଜଣେ ପ୍ରବାସୀଙ୍କର ସ୍ୱାସ୍ଥ୍ୟାବସ୍ଥା ହଠାତ ବିଗିଡ଼ି ଯାଇଥିଲା। ଉକ୍ତ ପ୍ରବାସୀଙ୍କ ଶରୀରରେ କରୋନା ଲକ୍ଷଣ ଥିବା ସନ୍ଦେହ କରି ତାଙ୍କ ସାଥୀରେ ଆସୁଥିବା ଅନ୍ୟ ପ୍ରବାସୀମାନେ ତାଙ୍କୁ ଜୋରଜବରଦସ୍ତି ଅସୁସ୍ଥ ଅବସ୍ଥାରେ ଟ୍ରକରୁ ରାସ୍ତାକୁ ଓହ୍ଲାଇ ଦେଇଥିଲେ। କିନ୍ତୁ ଏଭଳି ଅବସ୍ଥାରେ ଉକ୍ତ ପ୍ରବାସୀଙ୍କ ବନ୍ଧୁ କିନ୍ତୁ ସାଙ୍ଗର ହାତ ଛାଡ଼ି ନଥିଲେ। ସେ ପାରୁ ପର୍ଯ୍ୟନ୍ତ ସାଙ୍ଗକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ଶେଷର ସାଙ୍ଗକୁ ସିନା ବଞ୍ଚାଇ ପାରି ନଥିଲେ ହେଲେ ପ୍ରକୃତ ବନ୍ଧୁତାର ପରିଚୟ ଦେଇଥିଲେ।
ଅମୃତଙ୍କୁ ପ୍ରବାସୀମାନେ ଟ୍ରକ୍ରୁ ଓହ୍ଲାଇ ଦେବା ପରେ ସାଙ୍ଗର ଯନ୍ତ୍ରଣା ସହି ନପାରି ୟାକୁବ୍ ବି ଟ୍ରକ୍ରୁ ଓହ୍ଲାଇ ପଡ଼ିଥିଲେ। ଏବଂ ସାଙ୍ଗକୁ ମେଡିକାଲ ନେବାର ବନ୍ଦୋବସ୍ତ କରୁଥିଲେ। କରୋନା ସଂକ୍ରମଣ ଏଭଳି ଭାବେ ପ୍ରଭାବ ବିସ୍ତାର କରି ଚାଲିଛି ଯେ, ଲୋକମାନେ ଏବେ ନିଜ ସମ୍ପର୍କୀୟଙ୍କୁ ବି ପଛ କରି ଦେଇ ଚାଲି ଯାଉଛନ୍ତି। ଆଉ ଅମୃତ ଓ ୟାକୁବ୍ ତ ଅଜଣାଲୋକ ତାଙ୍କୁ ବା ସାହାଯ୍ୟ କରିବ କିଏ?

ଏସବୁ ସତ୍ତ୍ୱେ ବି ୟାକୁବ୍ ହାର ମାନି ନଥାଆନ୍ତି। ସେ ତାଙ୍କ ଆଖି ସାମ୍ନାରେ ଯାହାକୁ ଦେଖୁଥିଲେ ନେହୁରା ହୋଇ ଗୋଡ଼ ଧରି ସାଙ୍ଗକୁ ଟିକେ ମେଡିକାଲ ନେଇଯିବାକୁ ଅନୁରୋଧ କରୁଥିଲେ। ଅସହାୟ ଏହି ଦୁଇସାଙ୍ଗଙ୍କ ଯନ୍ତ୍ରଣାକୁ ଆଖି ଆଗରେ ଏଡାଇ ଦେଇ ଚାଲି ଯାଉଥିଲେ ଅନେକ ଯାତ୍ରୀ।
ଏହାରି ଭିତରେ ୟାକୁବଙ୍କ ଅନେକ ଅନୁରୋଧ ପରେ କିଛି ଲୋକଙ୍କ ସହାୟତାରେ ଅମୃତକୁ ମେଡ଼ିକାଲ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। ଡାକ୍ତରଖାନାରେ ଅମୃତଙ୍କ ମୃତ୍ୟୁ ହୋଇଯାଇଥିଲା। ସତରେ ଏ ଦୃଶ୍ୟ ଥିଲା ଅତ୍ୟନ୍ତ ଲୋମଟାଙ୍କୁରା।
ବହୁ ଚେଷ୍ଟା ପରେ ୟାକୁବ୍ ସାଙ୍ଗ ଅମୃତକୁ ସିନା ବଞ୍ଚାଇ ପାରିଲା ନାହିଁ ହେଲେ ଦେଶରେ ତାଲାବନ୍ଦ ଥିବାବେଳେ କାଳ କାଳ ପାଇଁ ଅମର ହୋଇଗଲା ଅମୃତ ଓ ୟାକୁବଙ୍କ ବନ୍ଧୁତା ।