ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ହେତୁ ହାହାକାର ପରିସ୍ଥିତି ଦେଖିବାକୁ ମିଳିଲାଣି। ଦିଲ୍ଲୀ ସମେତ ଅନେକ ରାଜ୍ୟରେ ସରକାର କଡ଼ା କଟକଣା ଲାଗୁ କରିଛନ୍ତି। କରୋନାଭାଇରସ୍ଜନିତ ମହାମାରୀ ବ୍ୟାପିବା ଦିନ ଠାରୁ ଆଜି ଦ୍ୱିତୀୟ ଥର ଲାଗି ଦୈନିକ ସଂକ୍ରମଣ ସଂଖ୍ୟା ପୁଣି ୨ ଲକ୍ଷ ଟପିଯାଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସର ଏକ ଅଭିନବ ପ୍ରୟାସ ଦେଖିବାକୁ ମିଳିଛି।
କରୋନା ସଂକ୍ରମଣ କାଳରେ ଦିଲ୍ଲୀ ରାସ୍ତାରେ ଯମରାଜଙ୍କ ସହିତ ଯମଦୂତ ବୁଲୁଥିବା ନଜରକୁ ଆସିଛି। ତେବେ ଯମରାଜ ଓ ଯମଦୂତ ରାସ୍ତାରେ ବୁଲୁଥିବା ସମୟରେ ବିକଟାଳ ଶବ୍ଦ କରି କରୋନା ଅମାନିଆଙ୍କୁ ସଚେତନ କରୁଛନ୍ତି। ଏଥିସହିତ କରୋନା କାଳରେ କିପରି ସତର୍କ ରହିବାକୁ ହେବ ସେ ନେଇ ଦିଲ୍ଲୀବାସୀଙ୍କୁ ଜାଗୃତ କରୁଛନ୍ତି।
ଦିଲ୍ଲୀବାସୀଙ୍କୁ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା କରିବା, ବାରମ୍ବାର ହାତ ଧୋଇବା, ବିନା କାରଣରେ ଘରୁ ବାହାରିବା ନାହିଁ ଆଦି ବିଷୟ ଲୋକଙ୍କୁ ବୁଝାଇବା ପାଇଁ ପ୍ରଥମ ଥର ପାଇଁ ଏଭଳି ଯମରାଜା ଓ ଯମଦୂତଙ୍କ ସାହାରା ନେଇଛି ଦିଲ୍ଲୀ ପୁଲିସ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୧୭,୩୫୩ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୧,୧୮୫ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୪୨,୯୧,୯୧୭ରେ ପହଞ୍ଚିଛି।
ଗତ ୨୪ ଘଣ୍ଟାରେ ହୋଇଥିବା ୧,୧୮୫ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୧,୭୪,୩୦୮ରେ ପହଞ୍ଚିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Untitled-1-copy-15.jpg)