ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇପାରେ ‘ୟସ୍’ : ସ୍କାଏମେଟ୍

ମୌସୁମୀ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସାଇକ୍ଲୋନିକ ସର୍କୁଲେସନକୁ ଓମାନ ପକ୍ଷରୁ ୟସ୍ ନାମକରଣ କରାଯ଼ାଇଛି । ୨୨ ମେରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ୨୩ ତାରିଖ ସକାଳ ସୁଦ୍ଧା ଡିପ୍ରେସନ ଓ ସେହିଦିନ ସଂଧ୍ୟାସୁଦ୍ଧା ଡିପ ଡିପ୍ରେସନରେ ପରିଣତ ହେବ ଓ ୨୪ ତାରିଖ ବେଳକୁ ବାତ୍ୟା ରୂପନେବ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ପକ୍ଷରୁ କୁହାଯ଼ାଇଛି ।

ତେବେ ଓଡ଼ିଶା ସଂଦର୍ଭରେ ସ୍କାଏମେଟ ପକ୍ଷରୁ କେତେକ ଗୁରୁତ୍ବପୂର୍ଣ୍ଣ ପୂର୍ବାନୁମାନ କରାଯ଼ାଇଛି । ଯ଼ଦି ଏହି ବାତ୍ୟା ଓଡ଼ିଶା ଆଡ଼କୁ ମୁହାଁଏ, ଅନୁକୂଳ ବାତାବରଣ ଯ଼ୋଗୁଁ ଏହା ଏକ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବ ଓ ଏହା ୨୫ ମେ ରାତି କିମ୍ବା ୨୬ ମେ ସକାଳେ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବ । ତେବେ ଆସନ୍ତା ୪୮ ଘଣ୍ଟାରେ ସ୍ଥିତି ସ୍ପଷ୍ଟ ହେବ ବୋଲି ସ୍କାଏମେଟ କହିଛି ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବାତ୍ୟା ୟସ ଯ଼ୋଗୁଁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଏହି ପାଣିପାଗ ସଂସ୍ଥା କହିଛି ।
ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଜି କୁହାଯ଼ାଇଛି ଯ଼େ, ଏହି ଲଘୁଚାପ କ୍ଷେତ୍ରଟି ଆସନ୍ତା ୨୨ ତାରିଖ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଓ ନିକଟବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ । ଏହା ପରବର୍ତ୍ତୀ ୭୨ ଘଣ୍ଟାରେ ପର୍ଯ଼୍ୟାୟକ୍ରମେ ଏକ ଡିପଡିପ୍ରେସନ ଓ ତାପରେ ଏକ ବାତ୍ୟା ବା ସାଇକ୍ଲୋନିକ ସର୍କୁଲେସନରେ ପରିଣତ ହେବ । ଏହା ଉତ୍ତର-ପଶ୍ଚିମ ଦିଗରେ ଗତିକରି ମେ ୨୬ ସଂନ୍ଧ୍ୟା ସୁଦ୍ଧା ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଛୁଇଁବ ।

ସମ୍ବନ୍ଧିତ ଖବର