ନୂଆଦିଲ୍ଲୀ : ଗତ ବୁଧବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ବାରା ପୁରସ୍କୃତ ହୋଇଥିବା ୪୯ ଜଣ ରାଷ୍ଟ୍ରୀୟ ବାଳ ପୁରସ୍କାର ବିଜେତାଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବର୍ଦ୍ଧିତ କରିଛନ୍ତି। ସେମାନଙ୍କର ଉପଲବ୍ଧି ତଥା ସାହସିକ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ଭୂୟସୀ ପ୍ରଶଂସା କରିବା ସହିତ ଆଗକୁ ସେମାନଙ୍କର କାର୍ଯ୍ୟକୁ ଜାରି ରଖିବା ପାଇଁ ଉପଦେଶ ଦେଇଛନ୍ତି। ଏହି ୪୯ ଜଣଙ୍କ ମଧ୍ୟରେ ରହିଛନ୍ତି, ଓଡ଼ିଶାର ୟଶ ମିଶ୍ର ତଥା ଦିଲ୍ଲୀର ଡିପିଏସ ସ୍କୁଲର ଓଡ଼ିଆ ଛାତ୍ର ସାଗ୍ନିକ ଅନୁପମ। ଉଭୟ ୟଶ ମିଶ୍ର ଓ ସାଗ୍ନିକ ଅନୁପମ ୪୯ ଜଣ ରାଷ୍ଟ୍ରୀୟ ବାଳ ପୁରସ୍କାର ବିଜେତାଙ୍କ ସହିତ ସାଧାରଣତନ୍ତ୍ର ଦିବସ ପରେଡ୍ରେ ସାମିଲ ହେବେ।
ଉଭୟ ୟଶ୍ ଓ ସାଗ୍ନିକ ‘ସମ୍ବାଦ’କୁ ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ ପ୍ରଧାନମନ୍ତ୍ରୀ ଆମକୁ ମହତ୍ତ୍ବପୂର୍ଣ୍ଣ ଉପଦେଶ ଦେଇଥିଲେ, ଯାହାକି ଆମମାନଙ୍କ ପାଇଁ ଅତ୍ୟନ୍ତ ସ୍ମରଣୀୟ ମୁହୂର୍ତ୍ତ ଥିଲା। ’
ଉଲ୍ଲେଖଯୋଗ୍ୟ ଓଡ଼ିଆ ଛାତ୍ର ୟଶ ମିଶ୍ରଙ୍କୁ ରାଷ୍ଟ୍ରପତିଙ୍କ ଦ୍ବାରା ବୈଦ୍ଧିକ କ୍ଷେତ୍ରରେ ଉପଲବ୍ଧି ଆଣିବା ପାଇଁ ରାଷ୍ଟ୍ରୀୟ ବାଳ ପୁରସ୍କାର ପ୍ରଦାନ କରାଯାଇଥିଲା। ସେ ଆମେରିକାର ନାସାରେ ଭାରତର ପ୍ରତିନିଧିତ୍ବ କରୁଥିବାରୁ ଏବଂ ଗଣିତ ବିଶାରଦ ଭାବେ ସ୍ବତନ୍ତ୍ର ପରିଚୟ ହାସଲ କରିଥିବାରୁ ପୁରସ୍କୃତ ହୋଇଥିଲେ। ଅପରପକ୍ଷେ ଦିଲ୍ଲୀର ଆରକେପୁରମ୍ ସ୍ଥିତ ଡିପିଏସରେ ଅଧ୍ୟୟନ କରୁଥିବା ସାଗ୍ନିକ ଅନୁପମଙ୍କୁ ମଧ୍ୟ ରାଷ୍ଟ୍ରପତି ରାଷ୍ଟ୍ରୀୟ ବାଲ ପୁରସ୍କାରରେ ସମ୍ମାନିତ କରିଥିଲେ। ଓଡ଼ିଶାର ବଲାଙ୍ଗିରର ବାସିନ୍ଦା ହେଉଛନ୍ତି ସାଗ୍ନିକ ଅନୁପମ। ଓଡ଼ିଶାର ବ୍ରାହ୍ମଣୀ-ବୈତରଣୀ ଅବବାହିକାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କୌଶଳକୁ ବ୍ୟବହାର କରି କିଭଳି ବନ୍ୟା ପୂର୍ବରୁ ସୂଚନା ସଂଗ୍ରହ କରାଯାଇ ସେନେଇ ସେ ଏକ ମଡେଲ ପ୍ରସ୍ତୁତ କରିଛନ୍ତି। ଯେଉଁଥିପାଇଁ ତାଙ୍କୁ ପୁରସ୍କୃତ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/yesh.jpg)