ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୋବନ୍ତ ସିଂହ ଜଣେ ପ୍ରବୀଣ କୂଟନୀତିଜ୍ଞ ଏବଂ ବିଦ୍ବାନ ଭାବେ ଭାରତୀୟ ରାଜନୀତିରେ ପରିଚିତ। ସେ ରାଜନୀତିରେ ଯୋଗ ଦେବାପାଇଁ ସେନାବାହିନୀରୁ ଇସ୍ତଫା ଦେଇଥିଲେ। ଅଜ୍ମେର ମାୟୋ କଲେଜ୍ର ଜଣେ ପୂର୍ବତନ ଛାତ୍ର ସିଂହ ରାଜନୀତି ପାଇଁ ସଶସ୍ତ୍ର ରେଜିମେଣ୍ଟ୍ ସେଣ୍ଟ୍ରାଲ୍ ଇଣ୍ଡିଆ ଫୋର୍ସରୁ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଜଣେ ସ୍ବାଧୀନ ବିଧାୟକ ଭାବେ ସେ ରାଜସ୍ଥାନର ଓସିଆନ୍ରୁ ତାଙ୍କର ପ୍ରଥମ ନିର୍ବାଚନ ଲଢ଼ିଥିଲେ। ତେବେ ୮୦ ଦଶକରେ ଜାତୀୟ ରାଜନୀତିରେ ପ୍ରବେଶ କରିବା ପରଠୁ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ୪ ଥର ଲୋକସଭା ନିର୍ବାଚନ ଜିତିଛନ୍ତି ଏବଂ ସେ ପାଞ୍ଚଟି କାର୍ଯ୍ୟକାଳରେ ରାଜ୍ୟସଭା ସଦସ୍ୟ ଥିଲେ। ତେବେ ସିଂହ ୭୦ ଦଶକରେ ବିଜୟରାଜେ ସିନ୍ଧିଆଙ୍କ ଘନିଷ୍ଠ ସହଯୋଗୀ ସରଦାର ଆଙ୍ଗ୍ରେଙ୍କ ଦ୍ବାରା ଅଟଳ ବିହାରୀ ବାଜପେୟୀଙ୍କୁ ଭେଟିବାପରେ ତାଙ୍କ ରାଜନୈତିତ କ୍ୟାରିୟର୍ରେ ଏକ ବଡ଼ ପରିବର୍ତ୍ତନ ଆସିଥିଲା। ସେମାନଙ୍କ ବନ୍ଧୁତା ସାରା ଜୀବନ ପାଇଁ ରହିଥିଲା। ଯଶୋବନ୍ତ ସିଂହ ଏବଂ ବାଜପେୟୀ ଅନେକ ସନ୍ଧ୍ୟାରେ କିଭଳି ରାଜନୀତି, ସାହିତ୍ୟ ଏବଂ ବିଦେଶ ବ୍ୟାପାର ସଂକ୍ରାନ୍ତରେ ଆଲୋଚନା କରନ୍ତି ତାହା ତାଙ୍କ ଘନିଷ୍ଠ ସହଯୋଗୀମାନେ ବେଶ୍ ଭଲଭାବେ ଜାଣନ୍ତି। ଯଶୋବନ୍ତ ଆର୍ଏସଏସ୍ ପୃଷ୍ଠଭୂମିର ନୁହନ୍ତି କିନ୍ତୁ ବାଜପେୟୀ ଏବଂ ଏଲ୍କେ ଆଡଭାନୀଙ୍କ ସହ ତାଙ୍କ ଘନିଷ୍ଠତାରୁ ତାଙ୍କ ଜ୍ଞାନ ସମ୍ପର୍କରେ ଜଣାପଡ଼େ। ବାଜପେୟୀ ସରକାରରେ ଯଶୱନ୍ତ ବିଦେଶ ମନ୍ତ୍ରୀ, ଅର୍ଥ ମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଥିଲେ। ସେ ପ୍ଲାନିଂ କମିସନ୍ର ଉପାଧ୍ୟକ୍ଷ ମଧ୍ୟ ଥିଲେ। ସେ ରାଜ୍ୟସଭାରେ ବିରୋଧୀ ଦଳ ନେତା ପଦରେ ମଧ୍ୟ ଥିଲେ ଏବଂ ଲୋକସଭାରେ ବିରୋଧୀ ଦଳ ଉପନେତା ଦାୟିତ୍ବ ତୁଲାଇଥିଲେ।
ପୋଖରାନ୍ରେ ପରମାଣୁ ପରୀକ୍ଷଣ ପରେ ଆମେରିକାର କଟକଣା ହଟାଇବାପାଇଁ ଭାରତର ମାମଲା ପରିଚାଳନା କରିବାରେ ଅତି ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ଯଶୋବନ୍ତ। କ୍ଲିଣ୍ଟନ୍ ପ୍ରଶାସନରେ ସିଂହଙ୍କର ଆମେରିକା ବିଦେଶ ସଚିବ ମେଡଲିନ ଅଲବ୍ରାଇଟ୍ଙ୍କ ସହ ବନ୍ଧୁତା ଅତି ଘନିଷ୍ଠ ଥିଲା। କିନ୍ତୁ କାନ୍ଦାହାର ହାଇଜାକ୍ ପ୍ରସଙ୍ଗରେ ସିଂହଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ପ୍ରବୀଣ କୂଟନୀତିଜ୍ଞ ଏବଂ ବିଦ୍ବାନ ଯଶୋବନ୍ତ ସିଂହ ୮ଟିରୁ ଅଧିକ ପୁସ୍ତକ ରଚନା କରିଛନ୍ତି। ଯଶୋବନ୍ତଙ୍କୁ ତାଙ୍କ ବନ୍ଧୁମାନେ ଯଶୁ ବୋଲି ଡାକନ୍ତି।
ନୂଆଦିଲ୍ଲୀ: ବିଜେପି ସଂଗଠନରେ ବରିଷ୍ଠ ନେତା ଯଶୋବନ୍ତ ସିଂହଙ୍କ ଭୂମିକା ଯେତିକି ପ୍ରଭାବଶାଳୀ ଥିଲା ତା’ଠାରୁ ଅଧିକ ଶାଣିତ ଥିଲା ତାଙ୍କର ସ୍ବାଧୀନ ମତ। ବିଜେପିର ବିଚାରଧାରା ବିରୋଧରେ ଯାଇ ଜିନ୍ନାଙ୍କୁ ନେଇ ଯଶୋବନ୍ତ ଲେଖିଥିବା ପୁସ୍ତକ ତାଙ୍କ ପାଇଁ ବହୁତ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଏଥିପାଇଁ ତାଙ୍କୁ ଦଳରୁ ବହିଷ୍କାର ମଧ୍ୟ କରାଯାଇଥିଲା। ଏହି ବହିଷ୍କାର ନିଷ୍ପତ୍ତି ଅଚାନକ ନିଆଯାଇଥିଲା ଏବଂ ଏ ବାବଦରେ ନିଜ ପକ୍ଷ ରଖିବାକୁ ଯଶୋବନ୍ତଙ୍କୁ ସୁଯୋଗ ଦିଆଯାଇ ନଥିଲା। ୨୦୦୯ ଅଗଷ୍ଟ ଶେଷ ସପ୍ତାହରେ ସମୁଦ୍ର ପତ୍ତନଠାରୁ ୭ ହଜାର ଫୁଟ ଉପରେ ଅବସ୍ଥିତ ସିମ୍ଲା ରିଜ୍ରେ ବିଜେପି ନେତାମାନେ ଏକତ୍ରିତ ହୋଇଥିଲେ। ଏହି ବୈଠକର କିଛି ଘଣ୍ଟା ପୂର୍ବରୁ ଯଶୋବନ୍ତଙ୍କୁ ଜଣାଇ ଦିଆଯାଇଥିଲା, ସେ ଦଳରୁ ବହିଷ୍କୃତ ହୋଇଛନ୍ତି। ଏଣୁ ତାଙ୍କର ଏ ବୈଠକରେ ଯୋଗଦେବାର ଆବଶ୍ୟକତା ନାହିଁ। ସେଦିନ ବର୍ଷଣମୁଖର ଅପରାହ୍ନରେ ଦେବଦାରୁ ଏବଂ ଓକ୍ ଗଛର ଘନ ସବୁଜିମାର ସୌନ୍ଦର୍ଯ୍ୟ ମଧ୍ୟରେ ବିଜେପି ନେତାମାନେ ୨୦୦୯ ନିର୍ବାଚନ ପରାଜୟର ମାନସମନ୍ଥନ କରୁଥିଲେ। କିନ୍ତୁ ଏହି ମନ୍ଥନର ବିଷୟବସ୍ତୁ ଅଚାନକ ବଦଳି ଯାଇଥିଲା। ଯଶୋବନ୍ତଙ୍କ ଜିନ୍ନା ପୁସ୍ତକ ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହୋଇଥିଲା। ତେବେ ଦଳ ଏଭଳି ଏକ କଠୋର ନିଷ୍ପତ୍ତି ଗ୍ରହଣ କରିବା ପୂର୍ବରୁ ଯଶୋବନ୍ତଙ୍କୁ ନିଜ ପକ୍ଷ ରଖିବାକୁ ସୁଯୋଗ ଦିଆ ନଯିବା ତାଙ୍କ ଜୀବନର ବଡ଼ ଅବସୋସ ହୋଇ ରହିଗଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/fh7fs98h7s98fh7h9fhhfhfhsf.jpg)