ଯଶୱନ୍ତ ସିହ୍ନା ମିଳିତ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ

ଯଶୱନ୍ତ ସିହ୍ନା କିଏ ?

ନୂଆଦିଲ୍ଲୀ: ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ପୂର୍ବତନ ‌‌କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା ବିରୋଧୀ ଦଳ ପ୍ରାର୍ଥୀ ଭାବେ ମନୋନୀତ ‌ହୋଇଛନ୍ତି। ସିହ୍ନା ଆସନ୍ତା ଜୁନ୍‌ ୨୭ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ। ଟିଏମ୍‌ସି ନେତା ସିହ୍ନା କହିଛନ୍ତି, ବର୍ତ୍ତମାନ ଦଳୀୟ ରାଜନୀତିରୁ ଦୂରେଇ ରହି ଜାତୀୟ ସ୍ବାର୍ଥ ପାଇଁ କାମ କରିବାର ବେଳ ଆସିଛି। ‘ଟିଏମ୍‌ସିରେ ମମତାଜୀ ଯେଉଁଭଳି ଭାବେ ମତେ ସମ୍ମାନ ଦେଇଛନ୍ତି ସେଥିପାଇଁ ମୁଁ କୃତଜ୍ଞ। ଏବେ ଦଳ ଠାରୁ ଊର୍ଦ୍ଧ୍ବରେ ଯାଇ ଜାତୀୟ ସ୍ବାର୍ଥ ପାଇଁ କାମ କରିବାର ସମୟ ଆସିଛି’ ବୋଲି ସିହ୍ନା କହିଛନ୍ତି। ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କ ଅଧ୍ୟକ୍ଷତା‌‌ରେ ଆଜି ବୈଠକ ହୋଇଥିଲା। ଏହି ବୈଠକରେ ସମସ୍ତ ବିରୋଧୀ ଦଳ ନେତା ମିଳିତ ଭାବେ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କରିଛନ୍ତି। ବିରୋଧୀ ଦଳଙ୍କ ପକ୍ଷରୁ କଂଗ୍ରେସର ଜୟରାମ ରମେଶ ବିରୋଧୀ ଏକ ମିଳିତ ବିବୃତ୍ତିରେ କହିଛନ୍ତି, ‘ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆମେ ଏକ ମିଳିତ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛୁ। ଆଜି ହୋଇଥିବା ବୈଠକ‌ରେ ଆମେ ଯଶୱନ୍ତ ସିହ୍ନାଙ୍କୁ ମିଳିତ ପ୍ରାର୍ଥୀ ଭାବେ ଚୟନ କରିଛୁ। ଯଶୱନ୍ତ ସିହ୍ନାଙ୍କୁ ଭୋଟ୍‌ ଦେବାପାଇଁ ଆମେ ସମସ୍ତ ରାଜନୈତିକ ଦଳକୁ ଅନୁରୋଧ କରୁଛୁ।

ଯଶୱନ୍ତଙ୍କୁ ସମର୍ଥନ କରିବାପାଇଁ ଏହି ମିଳିତ ବିବୃତ୍ତିରେ ବିଜେପି ଏବଂ ଏହାର ସହଯୋଗୀ ଦଳମାନଙ୍କୁ ଅନୁରୋଧ କରାଯାଇଛି। ଏହାଦ୍ବାରା ଦେଶରେ ଜଣେ ଯୋଗ୍ୟ ରାଷ୍ଟ୍ରପତି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇପାରିବେ ବୋଲି ବିବୃତ୍ତିରେ କୁହାଯାଇଛି। ଯଶୱନ୍ତଙ୍କ ପ୍ରଚାର ପାଇଁ ଏକ କମିଟି ଗଠନ କରାଯାଇଛି। ଜୟରାମ ରମେଶ କହିଛନ୍ତି, ସହମତି ଭିତ୍ତିରେ ରାଷ୍ଟ୍ରପତି ପ୍ରାର୍ଥୀ ଦେବା କ୍ଷେତ୍ରରେ ମୋଦୀ ସରକାର ସେଭଳି କୌଣସି ଉଦ୍ୟମ କରିନାହାନ୍ତି।

ଯଶୱନ୍ତ ସିହ୍ନା କିଏ ?

ନୂଆଦିଲ୍ଲୀ: ମିଳିତ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନା ନଭେମ୍ବର ୬, ୧୯୩୭ରେ ପାଟନାଠାରେ ଜନ୍ମ ଗ୍ରହଣ କରିଥିଲେ। ସିହ୍ନା ୧୯୬୦ରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌)ରେ ଯୋଗ ଦେଇ ଅନେକ ଗୁରୁତ୍ବପୂର୍ଣ୍ଣ ପଦବିରେ କାର୍ଯ୍ୟ କରିଥିଲେ। ତା’ପରେ ୧୯୮୪ରେ ସେ ଚାକିରିରୁ ଇସ୍ତଫା ଦେଇ ଜନତା ଦଳରେ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ୧୯୯୨ରୁ ୨୦୧୮ ପର୍ଯ୍ୟନ୍ତ ସେ ଭାରତୀୟ ଜନତା ପାର୍ଟି (ବିଜେପି)ର ସଦସ୍ୟ ଥିଲେ। ୨୦୨୧ରେ ସେ ତୃଣମୂଳ କଂଗ୍ରେସରେ ଯୋଗ ଦେଲେ ଏବଂ ତାଙ୍କୁ ଦଳର ଜାତୀୟ ଉପସଭାପତି କରାଗଲା।

୮୪ ବର୍ଷୀୟ ନେତା ନିଜ ରାଜନୀତି କ୍ୟାରିୟରରେ କେନ୍ଦ୍ର ଅର୍ଥମନ୍ତ୍ରୀ, ‌ବିଦେଶ ମନ୍ତ୍ରୀ ପ୍ରଭୃତି ଗୁରୁତ୍ବପୂର୍ଣ୍ଣ ପଦବିରେ ରହି କାର୍ଯ୍ୟ କରିଛନ୍ତି। ଶେଷଥର ପାଇଁ ଅଟଳବିହାରୀ ବାଜପେୟୀ ସରକାରରେ ଜୁଲାଇ ୨୦୦୨ରୁ ମେ ୨୦୦୪ ପର୍ଯ୍ୟନ୍ତ ସେ ବିଦେଶ ମନ୍ତ୍ରୀ ଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଏବଂ ବିଜେପି ସହ ବିଭିନ୍ନ ପ୍ରସଙ୍ଗରେ ମତପାର୍ଥକ୍ୟ ଦେଖାଦେବା ପରେ ସେ ବିଜେପିରୁ ଇସ୍ତଫା ଦେଇ ପରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। ସିହ୍ନା, ବିଜେପି ସମାଲୋଚକ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଶୌରୀ ଓ ସୁପ୍ରିମ୍‌କୋର୍ଟ ଓକିଲ ପ୍ରଶାନ୍ତ ଭୂଷଣ ରାଫେଲ ମାମଲାରେ ମୋଦୀ ସରକାରଙ୍କୁ କ୍ଳିନ୍ ଚିଟ୍ ଦେବା ଘଟଣାର ପୁନର୍ବିଚାର କରିବାକୁ ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲେ। ସର୍ବୋଚ୍ଚ ଅଦାଲତ କିନ୍ତୁ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ତାଙ୍କ ପୁଅ ଜୟନ୍ତ ସିହ୍ନା ମଧ୍ୟ ଜଣେ ଶାସକ ଦଳ ସଦସ୍ୟ। ସେ ମୋଦୀ ସରକାରରେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ ଥିଲେ। ଏନ୍‌ସିପି ନେତା ଶରଦ ପାୱାର ଏବଂ ଏନ୍‌ସି ନେତା ଫାରୁକ ଅବଦୁଲ୍ଲା ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ମନା କରିବା ପରେ ମିଳିତ ବିରୋଧୀ ଦଳ ତରଫରୁ ସିହ୍ନାଙ୍କୁ ସର୍ବସମ୍ମତିକ୍ରମେ ରାଷ୍ଟ୍ରପତି ପାଇଁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର