ବିରୋଧୀ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବେ ଯଶବନ୍ତ ସିହ୍ନା, ଜୁନ ୨୭ରେ ନାମାଙ୍କନପତ୍ର ଦାଖଲ କରିବେ

ମୁମ୍ବାଇ: ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ପାଇଁ ମଙ୍ଗଳବାର ଅନୁଷ୍ଠିତ ବୈଠକରେ ବିରୋଧୀ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ସୂଚନାନୁସାରେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କୁ ବିରୋଧୀ ଦଳରୁ ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି। ସୂଚନା ମିଳିଛି ଯେ ଯଶବନ୍ତ ସିହ୍ନା ଜୁନ୍ ୨୭ରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ।

ଏହା ପୂର୍ବରୁ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ପାୱାର ଏହି ଦାବିକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। ସକ୍ରିୟ ରାଜନୀତିରେ ରହିବାକୁ ଚାହୁଁଥିବାରୁ ସେ ଏଭଳି ନିଷ୍ପତ୍ତି ନେଇଥିଲେ। ଏହା ବ୍ୟତୀତ ଗୋପାଳ କୃଷ୍ଣ ଗାନ୍ଧୀଙ୍କ ନାଁ ମଧ୍ୟ ଚର୍ଚ୍ଚାକୁ ଆସିଥିଲା। ହେ‌ଲେ ଏବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

ଏନସିପି ନେତା ଶରଦ ପାୱାରଙ୍କ ଅଧ୍ୟକ୍ଷତାରେ ବିରୋଧୀ ଦଳର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ସଭାରେ ଯଶବନ୍ତ ସିହ୍ନା ମଧ୍ୟ ଉପସ୍ଥିତ ଥିଲେ। ଏହାପୂର୍ବରୁ ବିରୋଧୀ ଦଳ ତିନି ଜଣଙ୍କୁ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦେଇଥିଲେ ବି ସେମାନେ ମନା କରିଦେଇଥିଲେ। ଏଥିରେ ଶରଦ ପାୱାର, ଫାରୁକ୍ ଅବଦୁଲ୍ଲା ଏବଂ ଗୋପାଳକୃଷ୍ଣ ଗାନ୍ଧୀଙ୍କ ନାମ ଅନ୍ତର୍ଭୁକ୍ତ ଥିଲା। ଶେଷରେ ବିରୋଧୀ ଦଳ ଯଶବନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି।

ଅନ୍ୟପକ୍ଷରେ ରାଷ୍ଟ୍ରପତି ପ୍ରାର୍ଥୀ ସ୍ଥିର କରିବାକୁ ଆଜି ବିଜେପି ସଂସଦୀୟ ବୋର୍ଡର ଏକ ବୈଠକ ଡକାଯାଇଥିଲା। ତେବେ ଏପର୍ଯ୍ୟନ୍ତ କୌଣସି ନାଁ ପ୍ରକାଶ କରାଯାଇ ନାହିଁ।

ସମ୍ବନ୍ଧିତ ଖବର