ମୋ ସ୍ବାମୀ ସବୁଠାରୁ ସାହସୀ ବ୍ୟକ୍ତି ଯିଏ ଏ ଯୁଗର ‘ହିଟଲର ମୋଦୀ’ଙ୍କୁ ଚ୍ୟାଲେଞ୍ଜ କରିଛନ୍ତି: ୟାସିନଙ୍କ ପତ୍ନୀ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଆତଙ୍କବାଦକୁ ପାଣ୍ଠି ଯୋଗଣ ମାମଲାରେ ଆଜି କଶ୍ମୀରୀ ବିଚ୍ଛିନ୍ନତାବାଦୀ ନେତା ୟାସିନ୍‌ ମଲିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଦିଲ୍ଲୀସ୍ଥିତ ସ୍ବତନ୍ତ୍ର ‘ଏନ୍‌ଆଇଏ’ ଅଦାଲତ। ‘ଏନ୍‌ଆଇଏ’ ପକ୍ଷରୁ ୟାସିନ ମଲିକକୁ ଫାଶୀ ଦିଆଯାଉ ବୋଲି ଅଦାଲତରେ ଆବେଦନ କରାଯାଇଥିବା ବେଳେ କୋର୍ଟ ତାକୁ ଆଜୀବନ କାରାଦଣ୍ଡ ଦେଇଛନ୍ତି। ତେବେ ଅଦାଲତ ରାୟ ଶୁଣାଇବା ପୂର୍ବରୁ ୟାସିନଙ୍କ ପତ୍ନୀ କରିଥିବା ଟ୍ବିଟ ଏବେ ଭାଇରାଲ ହେବାରେ ଲାଗିଛି। ମୋ ସ୍ବାମୀ ‘ହିଟଲର ମୋଦୀ’ଙ୍କୁ ଟା‌ର୍ଗେଟ କରିଛନ୍ତି ବୋଲି ଟ୍ବିଟ କରି ଲେଖିଛନ୍ତି ୟାସିନଙ୍କ ପତ୍ନୀ ମୁଶାଲ ହୁସେନ ମଲିକ୍।

ସେ ଲେଖିଛନ୍ତି ଯେ, ଭାରତର କଙ୍ଗାରୁ କୋର୍ଟ ଏବେ ରାୟ ଶୁଣାଇବାକୁ ଯାଉଛନ୍ତି। ୟାସିନ୍ ମଲିକ୍ ହେଉଛନ୍ତି ସବୁଠାରୁ ସାହସୀ ବ୍ୟକ୍ତି ଯିଏ କି ଏହି ଯୁଗର ‘ହିଟଲର ମୋଦୀ’ଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ଆମେ ସମସ୍ତେ ୟାସିନ୍ ମଲିକ୍। କଶ୍ମୀରର ସିଂହ ପାଇଁ ପ୍ରାର୍ଥନା କର।

ତେବେ ତାଙ୍କ ବିରୋଧରେ ଆଗତ ସମସ୍ତ ଅଭିଯୋଗ ସତ୍ୟ ବୋଲି ମେ ୧୦ ତାରିଖ ଦିନ ଦିଲ୍ଲୀ ଅଦାଲତଙ୍କ ଆଗରେ ୟାସିନ୍‌ ସ୍ବୀକାର କରିଥିଲେ। ତାଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର, ଦେଶ ବିରୋଧରେ ଯୁଦ୍ଧ ତଥା ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପ କରିବା ଏବଂ କଶ୍ମୀରରେ ଶାନ୍ତି ନଷ୍ଟ କରିବା ଆଦି ଅଭିଯୋଗ ହୋଇଥିଲା।

ୟାସିନ ଦୋଷ ସ୍ବୀକାର କରିବା ପରେ ପଟିଆଲା ହାଉସ କୋର୍ଟର ସ୍ପେଶାଲ୍ ଜଜ୍ ତାଙ୍କ ଆର୍ଥିକ ସ୍ଥିତିର ଆକଳନ କରିବାକୁ ଏନଆଇଏ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ, ଯାହା ଦ୍ବାରା ଜରିମାନାର ପରିମାଣ ସ୍ଥିର ହୋଇପାରିବ। ତେବେ ୟାସନଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ନାଁ ଆଜୀବନ କାରାଦଣ୍ଡ ଦିଆଯିବ, ସେ ନେଇ ଆଇନଗତ କସରତ ଲାଗିରହିଥିବା ବେଳେ ଏବେ ଏହି ଚର୍ଚ୍ଚା ଶେଷ ହୋଇଛି।

ସମ୍ବନ୍ଧିତ ଖବର