ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜେକେଏଲ୍ଏଫ (ଜମ୍ମୁ କାଶ୍ମୀର ଲିବରେସନ୍ ଫ୍ରଣ୍ଟ୍) ଆତଙ୍କବାଦୀ ୟାସିନ ମଲିକ ଏକ ସମ୍ବେଦନଶୀଳ ଦାବି କରି କହିଛି ଯେ ସେ ଏଲ୍ଇଟି (ଲସ୍କର-ଏ-ତଏବା) ପ୍ରତିଷ୍ଠାତା ତଥା ୨୬/୧୧ ମାଷ୍ଟରମାଇଣ୍ଡ ହାଫିଜ ସୟିଦକୁ ୨୦୦୬ରେ ପାକିସ୍ତାନରେ ଭେଟିବାପରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ତାକୁ ବ୍ୟକ୍ତିଗତ ଭାବେ ଧନ୍ୟବାଦ ଜଣାଇଥିଲେ ଏବଂ କୃତଜ୍ଞତା ଜ୍ଞାପନ କରିଥିଲେ। ଅଗଷ୍ଟ ୨୫ ତାରିଖରେ ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ମଲିକ ଦାବି କରିଛି ଯେ ୨୦୦୬ରେ ସେ ସୟିଦକୁ ଭେଟିବା ବ୍ୟକ୍ତିଗତ ସ୍ତରରେ ହୋଇନଥିଲା ବରଂ ଏହା ପଛଦ୍ବାରରେ ପାକିସ୍ତାନ ସହ ଶାନ୍ତି ପ୍ରକ୍ରିୟା ଅନ୍ତର୍ଗତ ଜଣେ ବରିଷ୍ଠ ଭାରତୀୟ ଗୁଇନ୍ଦା ଅଧିକାରୀଙ୍କ ଅନୁରୋଧରେ ହୋଇଥିଲା।
ମଳିକର ଟିପ୍ପଣୀ ଅନୁଯାୟୀ ଆଇବି (ଇଣ୍ଟେଲିଜେନ୍ସ ବ୍ୟୁରୋ)ର ତତ୍କାଳୀନ ସ୍ବତନ୍ତ୍ର ନିର୍ଦ୍ଦେଶକ ଭି କେ ଯୋଶୀ ୨୦୦୫ରେ ହୋଇଥିବା କାଶ୍ମୀର ଭୂକମ୍ପ ପରେ ତାକୁ ଦିଲ୍ଲୀରେ ଭେଟିଥିଲେ। ପ୍ରଧାନମନ୍ତ୍ରୀଙ୍କ ଶାନ୍ତି ଉଦ୍ୟମରେ ସହଯୋଗ ପାଇଁ ମଲିକ କେବଳ ପାକିସ୍ତାନୀ ନେତୃବୃନ୍ଦ ନୁହେଁ ବରଂ ସୟିଦ ସମେତ ଆତଙ୍କବାଦୀ ଗୋଷ୍ଠୀ ସହ ଯୋଗାଯୋଗ କରିବାପାଇଁ ଯୋଶୀ ତାକୁ କହିଥିବା ସେ ଦାବି କରିଛି।
ମଲିକ ଦାବି କରିଛି ଯେ ତାକୁ ଏକଥା ମଧ୍ୟ କୁହାଯାଇଥିଲା ଯେ ଆତଙ୍କବାଦୀ ନେତାଙ୍କୁ କଥାବାର୍ତ୍ତା ମଧ୍ୟକୁ ନଆଣିବା ବିନା ପାକିସ୍ତାନ ସହ କଥାବାର୍ତ୍ତା ଅର୍ଥପୂର୍ଣ୍ଣ ହେବନାହିଁ। ଏହି ଅନୁରୋଧକ୍ରମେ ସେ ସୟିଦ ଏବଂ ୟୁନାଇଟେଡ୍ ଜିହାଦ ପରିଷଦର ଅନ୍ୟ ନେତାମାନଙ୍କୁ ପାକିସ୍ତାନର ଏକ କାର୍ଯ୍ୟକ୍ରମରେ ଭେଟିବାପାଇଁ ରାଜି ହୋଇଥିଲା। ସତ୍ୟପାଠରେ ମଲିକ ବର୍ଣ୍ଣନା କରିଛି ଯେ ସୟିଦ କିଭଳି ଜିହାଦୀ ଗୋଷ୍ଠୀମାନଙ୍କର ଏକ ବୈଠକ କରିଥିଲା ଏବଂ ଆତଙ୍କବାଦୀଙ୍କୁ ଶାନ୍ତି ପାଇଁ ଅନୁରୋଧ କରିଥିଲା। ମଲିକର ସବୁଠାରୁ ବିସ୍ଫୋରକ ଦାବି ହେଉଛି ଯେ ସେ ପାକିସ୍ତାନରୁ ଫେରିବାପରେ ତତ୍କାଳୀନ ଜାତୀୟ ସୁରକ୍ଷା ଉପଦେଷ୍ଟା ଏମ୍ କେ ନାରାୟଣନଙ୍କ ଉପସ୍ଥିତିରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଭେଟିଥିଲା। ଏହି ସମୟରେ ସିଂହ ତାକୁ ବ୍ୟକ୍ତିଗତ ଭାବେ ଧନ୍ୟବାଦ ଦେଇଥିଲେ। ବିଜେପି ଏହି ଘଟଣାରେ ତତ୍କାଳୀନ କଂଗ୍ରେସ ସରକାର ଉପରେ ତୀବ୍ର ଆକ୍ରମଣ କରିଛି। କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ମଲିକ ମନମୋହନ ସିଂହଙ୍କ ସହ ହାତ ମିଳାଇଥିଲା ଏବଂ ତାଙ୍କ ବାସଭବନକୁ ଯାଇଥିଲା। ସେଠାରେ ତାକୁ ବିରିୟାନି ଖାଇବାକୁ ଦିଆଯାଇଥିଲା। ତେବେ କଂଗ୍ରେସ ଉକ୍ତ ଘଟଣାରେ ପ୍ରତିକ୍ରିୟା ରଖି କହିଛି ଯେ ବିଜେପି କ୍ଷମତାରେ ନଥିବା ସମୟରେ ମଧ୍ୟ ବିଜେପି-ଆରଏସ୍ଏସ୍ ମଲିକ ସହ କଥା ହୋଇଥିଲେ। ପୱନ ଖେଡ଼ା ମଧ୍ୟ ମଲିକ ଅଟଳ ବିହାରୀ ବାଜପେୟୀଙ୍କୁ ଭେଟୁଥିବାର ଫଟୋ ପୋଷ୍ଟ୍ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/20/sssfxcxxc-2025-09-20-03-53-33.jpg)